ଭୁବନେଶ୍ବର: ସାଂସ୍କୃତିକ ଦଳ ଓ କଳାକାରମାନଙ୍କର ସୁବିଧା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ବ୍ୟବସ୍ଥା (ସିଟିଏମ୍‌ଏସ୍‌) କରାଯାଇଥିଲା। ଏହାଦ୍ବାରା ସମସ୍ତ ବର୍ଗର କଳାକାର ଘରେ ବସି କାମ ପାଇବେ ଏବଂ କାର୍ଯ୍ୟକ୍ରମ ପରିବେଷଣର ୧୫ ଦିନ ଭିତରେ ନିଜ ପ୍ରାପ୍ୟ ପାଇଯିବେ ବୋଲି ବିଭାଗ ନିଷ୍ପତ୍ତି ନେଲା। ହେଲେ ୧୫ ଦିନ ଭିତରେ ପ୍ରାପ୍ୟ ପାଇବା ତ ଦୂରେ ଥାଉ, ଓଲଟା ବିଭାଗର ଏବେ ଏମିତି ସ୍ଥିତି ଯେ କଳାକାରମାନେ ଏବେ କାମ ପାଇବା ବି ବନ୍ଦ ହୋଇଯାଇଛି। ଏନେଇ ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ଘନ ଘନ ଅଭିଯୋଗ ହେଉଥିବା ବେଳେ ବିଭାଗ ପକ୍ଷରୁ କିଛି ଠୋସ୍‌ ପଦକ୍ଷେପ ନିଆଯାଇପାରୁନାହିଁ। ଫଳରେ ଗୋଟିପୁଅ, ଘୁମୁରା, ରଣପା, ଘୋଡ଼ାନାଚ, ପଶୁମୁଖ୍ୟ ଭଳି ଲୋକପ୍ରିୟ ଲୋକନୃତ୍ୟ ଲୋକକଳା ଦଳ କାମ ନପାଇ ଏବେ ୩ ବର୍ଷ ହେଲା ହାତ ବାନ୍ଧି ବସିଛନ୍ତି। ଯେଉଁମାନେ ବି କଳା ପ୍ରଦର୍ଶନ କରିଛନ୍ତି, ସେମାନଙ୍କୁ ବି ବର୍ଷେରୁ ଅଧିକ ସମୟ ହେଲା ପାଉଣା ମିଳିପାରିନାହିଁ। ବାରମ୍ବାର ଅଭିଯୋଗ ସତ୍ତ୍ବେ ସିଟିଏମ୍‌ଏସ୍‌ ବ୍ୟବସ୍ଥିତ ହେଉନାହିଁ କିମ୍ବା ପୁନଃପଞ୍ଜୀକରଣ ଖୋଲୁନାହିଁ। ଯାହା ଫଳରେ ନୂଆ କଳାକାରମାନେ ଏବେ ନିଜ ବୃତ୍ତିରୁ ନିବୃତ୍ତ ହେବାକୁ ବାଧ୍ୟ ହେଉଛନ୍ତି 

Advertisment

ଏନେଇ ଅଲ୍‌ ଓଡ଼ିଶା ପରଫର୍ମିଂ ଆର୍ଟିଷ୍ଟ୍‌ ଆସୋସିଏସନ୍‌ ପକ୍ଷରୁ ଏପ୍ରିଲ ମାସରେ ସଂସ୍କୃତି ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ପରେ କଳାକାରମାନଙ୍କ ବାରମ୍ବାର ଅଭିଯୋଗ ଫଳରେ ସିଟିଏମ୍‌ସ୍‌ରେ ସଂସ୍କାର ଅଣାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ନକଲି ଦଳକୁ ଚିହ୍ନଟ କରି ତାଙ୍କୁ କଳାତାଲିକାଭୁକ୍ତ କରାଯିବ ବୋଲି କୁହାଗଲା। ଅଗଷ୍ଟ ୧୫ ସୁଦ୍ଧା ବିଭିନ୍ନ ସାଂସ୍କୃତିକ ଦଳର ଟଙ୍କା ଦିଆଯାଇ ପୁରୁଣା ପଞ୍ଜୀକୃତ ଦଳକୁ ରଦ୍ଦ କରାଯିବ ଏବଂ ନୂତନ ପଞ୍ଜୀକରଣ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ହେଲେ ସେ ଦିଗରେ ଏ ଯାଏ କୌଣସି ପଦ‌‌କ୍ଷେପ ନିଆଯାଇନାହିଁ ଓ କଳାକାରଙ୍କ ଭାଗ୍ୟ ଫିଟୁନାହିଁ ବୋଲି ଆସୋସିଏସନ୍‌ର ସମ୍ପାଦକ ବାସୁଦେବ ନାଥ କହିଛନ୍ତି।  ସୂଚନାଯୋଗ୍ୟ, ସିଟିଏମ୍‌ଏସ୍‌ରେ ରାଜ୍ୟର ୩ ହଜାର ସାଂସ୍କୃତିକ ଦଳ ପଞ୍ଜୀକୃତ ହୋଇଛନ୍ତି। ଏବେବି ୨୫୦୦ ସାଂସ୍କୃତିକ ଦଳ କାର୍ଯ୍ୟକ୍ରମରେ କଳା ପ୍ରଦର୍ଶନ ପରେ ୨୦୨୪ ମସିହା ଜୁନ୍‌ଠାରୁ ନିଜ ପ୍ରାପ୍ୟ ପାଇନାହାନ୍ତି। ଏହି ବକେୟା ଟଙ୍କା ଅଗଷ୍ଟ ୧୫ ଭିତରେ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ଇତିମଧ୍ୟରେ କିଛି କିଛି ଦଳ ଟଙ୍କା ପାଇଥିବା ବେଳେ ଅନେକଙ୍କ ପ୍ରାପ୍ୟ ବାକି ଅଛି। ଆସୋସିଏସନ୍‌ର କହିବା ମୁତାବକ, ସରକାର ନିଜ ପ୍ରତିଶ୍ରୁତି ରକ୍ଷା କରି ବକେୟା ଟଙ୍କା ନିହାତି ପ୍ରଦାନ କରିବେ। ହେଲେ ଚିନ୍ତାର ବିଷୟ କଳାକାରଟିଏ ଏବେ କାମ ପାଉନି। 

ଏନେଇ ଶ୍ରୀ ନାଥ କହିଛନ୍ତି, ସିଟିଏମ୍‌ଏସ୍‌ରେ ଗୋଟିଏ ଅନୁଷ୍ଠାନକୁ ବାର୍ଷିକ ୨୪ଟି କାର୍ଯ୍ୟକ୍ରମ ମିଳିପାରିବ ବୋଲି ବ୍ୟବସ୍ଥା ଥିଲା। ହେଲେ ୨୪ଟି କାର୍ଯ୍ୟକ୍ରମ ପରେ ବନ୍ଦ ହୋଇଯାଇଥିବା ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ଗତ ୩ ବର୍ଷ ହେଲା ଆଉ କାର୍ଯ୍ୟକ୍ଷମ କରାଯାଇନାହିଁ। ଫଳରେ ଅନ୍‌ଲାଇନ୍‌ରେ ଏହି ସାଂସ୍କୃତିକ ଅନୁଷ୍ଠାନର ନାଁ ଦେଖାଉନାହିଁ ଓ ଅନୁଷ୍ଠାନର କଳାକାରମାନେ ୩ ବର୍ଷ ହେଲା ରୋଜଗାର ପାଇପାରୁନାହାନ୍ତି। ସିଟିଏମ୍‌ଏସ୍‌ର ସୁପରିଚାଳନା ପାଇଁ ଆସୋସିଏସନ୍‌ ପକ୍ଷରୁ ସଂସ୍କୃତି ନିର୍ଦ୍ଦେଶକଙ୍କୁ ବାରମ୍ବାର ପତ୍ର ଲେଖାଯାଇଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।