ସଂଗ୍ରାମ ଓ ସାଧନାର ଶିଳ୍ପୀ ଥିଲେ ବିନୋଦ କାନୁନ୍‌ଗୋ

ରାଜ୍ୟସ୍ତରୀୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ସଂଗ୍ରାମ ଓ ସାଧନାର ଶିଳ୍ପୀ ଥିଲେ ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋ। ଏକାଧାରରେ ସେ ସ୍ବାଧୀନତା ସଂଗ୍ରାମୀ, ଭାଷା ଓ ସାହିତ୍ୟର ଖାତନାମା ଗବେଷକ, ସାମ୍ବାଦିକ, ଜୀବନୀକାର, ଶିଶୁ ସାହିତ୍ୟିକ, ଜନପ୍ରିୟ ବିଜ୍ଞାନ ଲେଖକ ଥିଲେ। ଓଡ଼ିଆ ବିଶ୍ବକୋଷ ‘ଜ୍ଞାନମଣ୍ଡଳ’ର ଅନନ୍ୟ ସ୍ରଷ୍ଟା ଭାବେ ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ସାହିତ୍ୟ ରଚନାରେ ନିଆରା ସ୍ବାଦ ଭରି ରହିଥିଲା। ମାତୃଭାଷା ମାଧ୍ୟମରେ ସେ ଜ୍ଞାନର ପରିସୀମାକୁ ବ୍ୟାପକ କରିବା ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ପ୍ରଖର ଜ୍ଞାନ ସହ ବିନୟ ଭାବ ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ବର ପରିଚୟ। ଓଡ଼ିଆ ଭାଷାକୁ ଜ୍ଞାନର ଭାଷା କରିବାରେ ସେ ନିଜର ତ୍ୟାଗ ଓ ତପସ୍ବୀ ଜୀବନକୁ ଉତ୍ସର୍ଗ କରିଥିଲେ। ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଆୟୋଜିତ ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଆଜି ଏହା କହିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି କବି ଓ ଅନୁବାଦକ ଭଗବାନ ଜୟସିଂହ କହିଲେ, ବିନୋଦ କାନୁନ୍‌ଗୋ ଏକାକୀ ୨୨ଖଣ୍ଡ ଓଡ଼ିଆ ବିଶ୍ବକୋଷ ‘ଜ୍ଞାନମଣ୍ଡଳ’କୁ ରଚନା କରି ବିରଳ ଇତିହାସ ସୃଷ୍ଟି କରିଛନ୍ତି। ସମ୍ମାନିତ ଅତିଥି ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଲେ, ବିନୋଦ କାନୁନଗୋ ବିଂଶ ଶତାବ୍ଦୀର ବିସ୍ମୟକର ପ୍ରତିଭା। ଓଡ଼ିଶା ସାହିତ୍ୟ ଏକାଡେମିର ସଦସ୍ୟ ବିବେକାନନ୍ଦ ପାଣିଗ୍ରାହୀ ବିନୋଦ କାନୁନ୍‌ଗୋଙ୍କ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରି ତାଙ୍କ ଅବଦାନ ଏ ଜାତି କେବେ ପାସୋରି ପାରିବ ନାହିଁ ବୋଲି କହିଥିଲେ। ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ କାର୍ଯ୍ୟକ୍ରମ‌ରେ ପୌରୋହିତ୍ୟ କରିଥିଲେ। ଏକାଡେମିର ସଚିବ ପ୍ରବୋଧ କୁମାର ରାଉତ ସ୍ବାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପବିଭାଗ ଅଧିକାରୀ ସଞ୍ଜୟ କୁମାର ଛୁଆଳସିଂହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର