ପୁରୁଣା ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥରେ ଲାଗିବାକୁ ଥିବା ବିଭିନ୍ନ ପଶୁପକ୍ଷୀ ଓ ପାର୍ଶ୍ୱ ଦେବତାଙ୍କ ମୂର୍ତ୍ତିରେ ଚିତ୍ର କାମ ଚାଲିଛି। ଏଥି ପାଇଁ ପ୍ରତିବର୍ଷ ପରି ପ୍ରଥମେ ଚାରି ଘୋଡ଼ାକୁ ପ୍ରସ୍ତୁତ କରାଯାଇଛି। କାହିଁ କେଉଁ କାଳରୁ ରଥ ପାର୍ଶ୍ୱ ଦେବତା, ଚାରି ଘୋଡ଼ା, ସଖୀ, ଶୁଆଶାରୀ, କଳସ, ପଟ୍ଟା ଶକି, ଅଁଳା, ବେକି, ବ୍ରହ୍ମା ଓ ରଥରେ ଥିବା ବିଭିନ୍ନ ଚିତ୍ର କରିଥାନ୍ତି ଶିଳ୍ପୀ ପରିବାର। ରଥରେ ଲାଗୁଥିବା ପଶୁ ପକ୍ଷୀ ଓ ଦେବତାଙ୍କୁ ରଙ୍ଗ କରିବାରେ ସେମାନେ ବ୍ୟସ୍ତ। ପ୍ରଭୁକୃପା ପାଇବା ପାଇଁ ସ୍ଥାନୀୟ ବଶିଷ୍ଠନଗରରେ ରହୁଥିବା କେଦାରନାଥ ମହାରଣାଙ୍କ ପରିବାରର ସମସ୍ତ ସଦସ୍ୟ ଏଥିପାଇଁ ଦିନରାତି ଲାଗିପଡ଼ିଛନ୍ତି। ୧୯୮୫ ମସିହାରୁ ଏହି କାର୍ଯ୍ୟ ତାଙ୍କ ବାପା ଓ ଜେଜେବାପା କରି ଆସୁଛନ୍ତି ବୋଲି କେଦାରନାଥ କୁହନ୍ତି।
ଶ୍ରୀ ମହାରଣାଙ୍କ ପରିବାରରେ ତାଙ୍କ ପତ୍ନୀ, ୨ପୁଅ ଏହି କାମରେ ସହଯୋଗ କରୁଛନ୍ତି। କେଦାରନାଥଙ୍କ ବୟସ ୬୧ ଛୁଇଁଲାଣି। ଏହି କାମ ପାଇଁ ପାରିଶ୍ରମିକ ଯାହା ମିଳେ ତାହା ସମୁଦ୍ରକୁ ଶଙ୍ଖେ। ଯେତେ ଯାହା କାମ ଥାଉ ପଛେ ଠାକୁରଙ୍କ ସେବା କରିବାର ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ଠାକୁରଙ୍କ ଏହି ସେବା କରିବାକୁ ସେ ଚାହିଁ ବସିଥାନ୍ତି। ପ୍ରଭୁକୃପା ପାଇଁ ଏହି ସେବା କରିଆସୁଛନ୍ତି। ଏହି ସେବା କରି ତାଙ୍କ ପରିବାର ବହୁ ଆନନ୍ଦ ପାଉଛି ବୋଲି ଶ୍ରୀ ମହାରଣା କହିଛନ୍ତି। ରଥଯାତ୍ରାର ୧୫ଦିନ ପୂର୍ବରୁ ଶ୍ରୀ ମହାରଣା ରଙ୍ଗ କାମ ଆରମ୍ଭ କରିଥିବା ବେଳେ ସପ୍ତାହ ପୂର୍ବରୁ ତାଙ୍କ ପରିବାରର ସମସ୍ତ ସଭ୍ୟ ଏଥିରେ ଲାଗି ପଡ଼ନ୍ତି। ଏହି କାର୍ଯ୍ୟ ପାଇଁ ତାଙ୍କ ପରିବାରର ସବୁ ସଦସ୍ୟଙ୍କ ସହ ଶେଷ ୪ଦିନ ପାଇଁ ୪ଜଣ ଚିତ୍ରଶିଳ୍ପୀଙ୍କୁ ରଘୁରାଜପୁରରୁ ଡକାଯାଇଥିବା କୁହାଯାଇଛି।