ଶୁକଶାରି ମନ୍ଦିର ଅନୁଧ୍ୟାନ କଲେ ଏଏସ୍‌ଆଇ ଯୁଗ୍ମ ନିର୍ଦେଶକ, ବାହାରିଲା ଆଉ ଏକ ଚଟାଣ

ପୁରୁଣା ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ନିକଟସ୍ଥ ଶୁକଶାରି ମନ୍ଦିର ନିକଟରେ ଏଏସ୍ଆଇ ଐତିହ୍ୟସ୍ଥଳର ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ବେଳେ ମନ୍ଦିରର ଉତ୍ତର ଦିଗରେ ଆଉ ଏକ ଚଟାଣ ବାହାରିଛି। ଏହି ଚଟାଣ ମନ୍ଦିର ସହ ଜଡ଼ିତ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଏପଟେ ଏଏସ୍‌ଆଇ ଯୁଗ୍ମ ନିର୍ଦେଶକ ସଞ୍ଜୟ କୁମାର ମଞ୍ଜୁଲ ଆଜି ଶୁକଶାରି ମନ୍ଦିର ନିକଟରେ ଅନୁଧ୍ୟାନ କରିଛନ୍ତି। ଶ୍ରୀ ମଞ୍ଜୁଲ କହିଛନ୍ତି ଯେ ଖନନ ବେଳେ କିଛି କୀର୍ତ୍ତିରାଜି ଦେଖାଯାଉଛି। ଖନନ ଠିକଠାକ୍‌ ଚାଲିଛି। କାମ ସରିବା ପରେ ଆଗକୁ ଏହା ବହୁତ ସୁନ୍ଦର ଦେଖାଯିବ। ଖନନ ସମୟରେ ଯାହା କିଛି ମାଟି ତଳେ ଦବି ରହିଥିଲା, ସେସବୁ ସାମ୍ନାକୁ ଆସିଛି। ଖନନ ସମୟରେ କ’ଣ ଭାଙ୍ଗିଛି ନା ନାହିଁ, ତାହା ଜଣାପଡ଼ିବ।

ତେବେ ପ୍ରାରମ୍ଭିକ ସ୍ତରରେ କ’ଣ ଭାଙ୍ଗିଛି ଜଣାପଡ଼ିବନି। ଏଥିପାଇଁ ମନ୍ଦିରର ପୁରୁଣା ଫଟୋ ସହିତ ମେଳ କଲେ ଜଣାପଡ଼ିବ। ମନ୍ଦିର ପାର୍ଶ୍ବରେ କାର୍ଯ୍ୟ ହେଉଥିବାରୁ ଏଥିପାଇଁ ଏଏସ୍‌ଆଇ ପାଖକୁ ପ୍ରଥମେ ଡକ୍ୟୁମେଣ୍ଟ ଯିବା ଦରକାର ଥିଲା। କିନ୍ତୁ ଏଏସଆଇରୁ ଅନୁମତି ଆସିନି। ଏ ସଂକ୍ରାନ୍ତରେ ଆଲୋଚନା ଚାଲିଛି। କିଛି ନୂଆ କୀର୍ତ୍ତିରାଜି ବାହାରିଛି, ତାହା ଏହି ମନ୍ଦିର ସମ୍ବନ୍ଧିତ ବୋଲି ଜଣାପଡ଼ୁଛି। ଆଗକୁ ଖନନ ହେଲେ କିଛି ନୂଆ କୀର୍ତ୍ତିରାଜି ଅଛି କି ନାହିଁ, ସ୍ପଷ୍ଟ ହେବ। ଏନେଇ ଇନ୍‌ଟାକ୍‌ର ପ୍ରକଳ୍ପ ସଂଯୋଜକ ଅନିଲ୍ ଧୀର କହିଛନ୍ତି, ସଂରକ୍ଷିତ କୀର୍ତ୍ତିରାଜିର ୧୦୦ମିଟର ନିଷିଦ୍ଧାଞ୍ଚଳ ଥିବା ବେଳେ ୨୦୦ ମିଟର ରେଗୁଲେଟେଡ୍ ଅଞ୍ଚଳ ରହିଛି। ଏହି ପରିସୀମା ଭିତରେ ଅତି ଗୁରୁତ୍ବପୂର୍ଣ୍ଣ ହେଲେ ଯାଇ ନବୀକରଣ ଓ ପୁନଃ ନିର୍ମାଣ ପାଇଁ ଅନୁମତି ଦିଆଯିବାର ବ୍ୟବସ୍ଥା ରହିଛି। ମାତ୍ର ଏହାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଛି। ଆମ୍‌ସାର ଆଇନ କାର୍ଯ୍ୟକାରୀ ହେଉନାହିଁ। ଐତିହ୍ୟ ଜୋନ୍‌ରେ କୌଣସି ନୂଆ ନିର୍ମାଣ ଓ ପୁରୁଣା କୀର୍ତ୍ତିରାଜି ଭଙ୍ଗାରୁଜା କଲା ବେଳେ ଜିପିଆର୍ ସର୍ଭେ ହୋଇନାହିଁ। ଏକାମ୍ରକ୍ଷେତ୍ରର ନବୀକରଣ ବେଳେ ଜିପିଆର୍ ସର୍ଭେ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି ବୋଲି ଶ୍ରୀ ଧୀର କହିଛନ୍ତି।

ସମ୍ବନ୍ଧିତ ଖବର