ଶ୍ରୀଲିଙ୍ଗରାଜ ମନ୍ଦିରରୁ ଖସି ପଡ଼ିଥିବା ବୃଷଭ ମୂର୍ତ୍ତି ବସାଇ ପାରୁନି ଏଏସ୍ଆଇ

ପୁରୁଣା ଭୁବନେଶ୍ୱର: ବ‌ର୍ଷେ ବିତିଲା। ଅଥଚ ଶ୍ରୀଲିଙ୍ଗରାଜ ମନ୍ଦିରରୁ ଖସି ପଡ଼ିଥିବା ଏକ ବୃଷଭ ମୃର୍ତ୍ତିକୁ ଠିକଣା ସ୍ଥାନରେ ପୁନଃପ୍ରତିଷ୍ଠା କରିପାରିଲା ନାହିଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)। ଏମିତିକି ବୃଷଭ ମୂର୍ତ୍ତିଟି କେଉଁଠି ପୂଜା ପାଉଛି କି ଅପୂଜା ରହିଛି, ସେ ବାବଦରେ ମଧ୍ୟ ସ୍ପଷ୍ଟ ସୂଚନା ନାହିଁ। ଏଭଳି ଦାୟିତ୍ବହୀନତାକୁ ନେଇ ସେବାୟତମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲେ ହେଁ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିବା ଅଭିଯୋଗ ହେଉଛି।

ଅଭିଯୋଗ ଅନୁସାରେ ପ୍ରାୟ ବର୍ଷକ ପୂର୍ବେ ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭ ଗୃହ ଆଡ଼ କାଠ ନିକଟରେ ଥିବା ଯୋଡ଼ା ବୃଷଭ ମଧ୍ୟରୁ ଗୋଟିଏ ମୂର୍ତ୍ତି ଖସି ପଡ଼ିଥିଲେ। ପ୍ରାୟ ଏକ ଦେଢ଼ ଫୁଟ୍‌ ଲମ୍ବର ଏହି ବୃଷଭ ମୂର୍ତ୍ତି ଖସି ପଡ଼ିବା ପରେ ଜଣେ ସେବାୟତ ଏହାକୁ ଉଦ୍ଧାର କରି ଏଏସ୍‌ଆଇ ଜିମା ଦେଇଥିଲେ। ତେବେ ଗତ ବର୍ଷ ସେ‌ପ୍ଟେମ୍ବର ମାସ ୬ ତାରିଖରେ ଏହି ମୂର୍ତିକୁ ପୁନଃସ୍ଥାପନ କଲାବେଳେ ଏଏସ୍‌ଆଇ ଅଧିକାରୀ ଓ ସେବାୟତଙ୍କ ସହ ଯୁକ୍ତିତର୍କ ଲାଗିଥିଲା। ତେଣୁ ବୃଷଭ ମୂର୍ତ୍ତି ବସି ପାରିନଥିଲା। ସେହି ଦିନଠାରୁ ଉକ୍ତ ମୂର୍ତ୍ତି ପ୍ରତିଷ୍ଠା ହୋଇପାରିନାହିଁ। ଅଧିକାରୀ ପରେ ଅଧିକାରୀ ବଦଳୁଛନ୍ତି ହେଲେ ଏଏସ୍ଆଇର ଉଦାସୀନତା ଯୋଗୁଁ ଉକ୍ତ ବୃଷଭ ମୂର୍ତ୍ତିକୁ ବର୍ଷେ ହେଲା ଏଏସ୍‌ଆଇ କାର୍ଯ୍ୟାଳୟରେ ରଖାଯାଇଛି। ଉକ୍ତ ମୂର୍ତ୍ତି ପୂଜା ପାଉଛି କି ନାହିଁ ଏଏସ୍ଆଇ ଅଧିକାରୀ କହିପାରୁ ନାହଁନ୍ତି। ଏ ସମ୍ପର୍କରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୁହନ୍ତି ଯେ ମନ୍ଦିର ମୂର୍ତ୍ତି ସମ୍ପର୍କିତ ଘଟଣା ଏଏସ୍ଆଇର ଦାୟିତ୍ବ। ତେଣୁ ଏ ସମ୍ପର୍କରେ‌ ସେ କିଛି କରିପାରିବେ ନାହିଁ ବୋଲି କହି କାନ୍ଧ ଖସାଇ ଦେଇଥିଲେ। ଏଏସ୍‌ଆଇ ଭୁବନେଶ୍ବର ସଂଗ୍ରାଧୀକ୍ଷକ ସୁଶାନ୍ତ ଗୋଚ୍ଛାୟତ କୁହନ୍ତି ଯେ ଦୀର୍ଘ ବର୍ଷକର ଘଟଣା ହୋଇଥିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନାହାନ୍ତି। ତେଣୁ ଏ ବାବଦରେ ତଦନ୍ତ କରି ସେ ପଦ‌କ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ରବିବାର ବ୍ରହ୍ମେଶ୍ବର ମନ୍ଦିର ପରିସରରେ ଖାଲି ଥିବା ଏକ ମନ୍ଦିରରେ ସ୍ଥାନୀୟ ଲୋକେ ରାଧାକୃଷ୍ଣ ମୂର୍ତ୍ତି ବସାଇଥିଲେ, କିନ୍ତୁ ଏହାକୁ ବେଆଇନ ଦର୍ଶାଇ ଏଏସ୍ଆଇ ବାହାର କରି ନେଇଛି। ଫଳରେ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଶ୍ରୀଲିଙ୍ଗରାଜ ମନ୍ଦିରରୁ ବାହାରି ପଡ଼ିଥିବା ବୃଷଭକୁ ଏଏସ୍‌ଆଇ ପୁନଃପ୍ରତିଷ୍ଠା କରିପାରୁନଥିବାବେଳେ ରାଧାକୃଷ୍ଣ ମୂର୍ତ୍ତି ବାହାର କରି ଦେଇଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର