ଜଟଣୀ: ବାଣ ବେପାର ପାଇଁ ପ୍ରସିଦ୍ଧ ଜଟଣୀ ସହର ଦୀପାବଳି ପୂର୍ବରୁ ଚଳଚଞ୍ଚଳ ହୋଇଉଠିଛି। ଉଭୟ ପାଇକାରୀ ଓ ଖୁଚୁରା ବାଣ ବେପାରୀମାନଙ୍କ ବେପାର ଜମି ଆସିଲାଣି। ଚଳିତ ବର୍ଷ ଖୁଚୁରା ବେପାରୀଙ୍କ ପାଇଁ ଶରତ ପାଇକରାୟ ଷ୍ଟାଡିୟମ୍‌ରେ ଖୋଲିଛି ବାଣ ବଜାର। ସେଠାରେ ପାଖାପାଖି ୧୦୫ଜଣ ବେପାରୀଙ୍କ ଷ୍ଟଲ୍‌ ଖୋଲିଛି। ସେହିଭଳି ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ବେପାରୀଙ୍କ ପାଇଁ ତଳଖେତା-ଜଟଣୀ ରାସ୍ତା କଡ଼ରେ ବି ବାଣ ବଜାର ଖୋଲିଛି, ଯେଉଁଠି ୨୪ଜଣଙ୍କୁ ଲାଇସେନ୍‌ସ ମିଳିଛି। ମଜାର କଥା ହେଉଛି ଏବର୍ଷ ବାଣ ବଜାର‌ରେ ଅପରେସନ୍‌ ସିନ୍ଦୂରର ମାହୋଲ ଦେଖିବାକୁ ମିଳୁଛି। ଏଥର ବଜାରକୁ ହେଲିକପ୍ଟର, ଡ୍ରୋନ୍‌ ଭଳି କିଛି ନୂଆ ପ୍ରକାରର ବାଣ ଆସିଥିବାରୁ ଗ୍ରାହକମାନେ ଅପରେସନ୍‌ ସିନ୍ଦୂର ଆଲୋଚନା କରି ସେହି ସବୁ ବାଣ ବେଶି ପରିମାଣର କିଣି ନେଉଛନ୍ତି। ଯୁବପିଢ଼ିଙ୍କ ଭିତରେ ସେସବୁ ବାଣ କିଣିବାକୁ ବେଶି ଆଗ୍ରହ ଦେଖିବାକୁ ମିଳୁଛି।    

Advertisment

ଚଳିତ ବର୍ଷ ବଜାରକୁ ନୂଆ କରି ଆସିଥିବା ଡ୍ରୋନ୍, ହେଲିକପ୍ଟର, ଅନ୍‌ଆର୍, ରେଡ୍ ଆଣ୍ଡ ଗ୍ରିନ୍ ଚକ୍ର, ପିକ୍‌ଅପ୍, ମିସାଇଲ୍‌, କଲର୍‌ ପେନସିଲ୍ ବାଣର ଚାହିଦା ବେଶି ଥିବା ଦେଖିବାକୁ ମିଳିଛି। ସେଗୁଡ଼ିକର ଦାମ୍ ୫୦ରୁ ୪୦୦ ଟଙ୍କା ମଧ୍ୟରେ ରହିଛି। ସେହିପରି କଲର କୁମ୍ପି, ଡିଲକ୍ସ କ୍ରାକର, ଫୁଲଝରି, ଆକାଶ ଛତା, ହାବେଳି, ସ୍କାଏ ସଟ୍, ଫଟୋ ଫ୍ଲାସ୍, ଲାୟନ କିଙ୍ଗ୍‌, ଡ୍ରୋନ୍ ଜମ୍ପର, ରସୁଣ ବାଣ, ଆଇଟମ ଚକ୍ର, ଗଙ୍ଗା ଯମୁନା ବମ୍, ବନ୍ଧୁକ, ରୋଲ୍‌ କ୍ୟାପ୍‌, ମ୍ୟୁଜିକାଲ୍ ରୋଲ୍, ବଟର୍‌ ଫ୍ଲାଏ, ଚକ୍‌ଲେଟ୍ ବମ୍, ବକ୍ସ ବମ୍, ଲଙ୍କା ବମ୍, ରକେଟ୍ ଭଳି ଫ୍ୟାନ୍‌ସି ବାଣ ପୂର୍ବ ଭଳି ବିକ୍ରି କରାଯାଉଛି। ଏଥିସହ ବହୁ ପରିମାଣର ହାତ ତିଆରି ବାଣ ମଧ୍ୟ ମିଳୁଛି। ବ୍ୟବସାୟୀମାନଙ୍କ କହିବା କଥା ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ବାଣ ଦର ଟିକେ କମ୍‌ ରହିଛି। କେବଳ ସବୁଜ ବାଣ ଫୁଟାଇବାକୁ ସରକାରୀ ଅନୁମତି ରହିଛି। ଅନ୍ୟ ପ୍ରକାର ବାଣ ଅର୍ଥାତ୍ ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଉପରେ କଟକଣା ଲାଗିଛି। ସେଭଳି ବାଣ ବିକିଲେ, ଜରିମାନା ଦେବାକୁ ପଡ଼ିବ ଏବଂ ବାଣ ଦୋକାନ ସିଲ୍‌ ହୋଇଯିବ। ତେଣୁ ଭୟରେ କେହି ସେଭଳି ବାଣ ବିକ୍ରି କରୁନାହାନ୍ତି। ସବୁଜ ବାଣଗୁଡ଼ିକ ସେଭଳି ବାଣ ତୁଳନାରେ କମ୍ ଦାମରେ ମିଳୁଛି। ଚଳିତ ବର୍ଷ ପାଗ ଭଲ ରହିଛି। ତେଣୁ ବେପାର ବି ବଢ଼ିଛି। ପ୍ରମୋଦ ସିଜିନ୍ ସେଣ୍ଟରର ମାଲିକ ପ୍ରମୋଦ ଦାସ, ଲଳିତ ସିଜିନ୍ ସେଣ୍ଟର ମାଲିକ ଲଲାଟେନ୍ଦୁ ବେବର୍ତ୍ତା, ମନୋଜ ସିଜିନ୍ ସେଣ୍ଟରର ମାଲିକ ମନୋଜ ସାହୁ, ମହାବୀର ସିଜିନ୍ ସେଣ୍ଟର ମାଲିକ ତ୍ରିଲୋଚନ ପଟ୍ଟନାୟକ, ସିଜିନ୍ ହାଉସ୍‌ର ମାଲିକ ସୁଧୀର ସାହୁ, ପୂଜା ସିଜିନ୍ ସେଣ୍ଟର ମାଲିକ ଆଦିତ୍ୟ କହିଛନ୍ତି ଯେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଦେଶୀ ବାଣ ବିକ୍ରି ଉପରେ କଟକଣା ଥିବାରୁ ସେଭଳି ବାଣ ବଜାରକୁ ଅଣାଯାଇନାହିଁ। ଯେଉଁ କମ୍ପାନି ଗ୍ରିନ୍ ସାର୍ଟିଫିକେଟ୍ ପାଇଛନ୍ତି, ସେମାନଙ୍କଠାରୁ ବାଣ ଆମଦାନି କରାଯାଇଛି। ପୂର୍ବ ଭଳି ତାମିଲନାଡ଼ୁ ଶିବକାଶୀ ବାଣ ବେଶି ମାର୍କେଟ୍‌ ନେଉଛି। ୨୧ ତାରିଖ ପର୍ଯ୍ୟନ୍ତ ବଜାର ଖୋଲା ରହିବ। ଦୀପାବଳି ପାଖେଇ ଆସିଥିବାରୁ ଏବେ ଦିନ ତମାମ ଭିଡ଼ ରହୁଛି। ପାଇକାରୀ ଦୋକାନୀମାନଙ୍କ ଗୋଦାମରେ କଡ଼ ଏଡ଼ାଇବାକୁ ଜାଗା ମିଳୁନି। ଦୋକାନ ପିଲାଙ୍କ ହାତକୁ ଫୁରୁସତ ନାହିଁ। ‌ଖୁଚୁରା ବଜାରରେ ମଧ୍ୟ ଭିଡ଼ କିଛି କମ୍‌ ନୁହେଁ। ସକାଳ ବେଳାକୁ ଛାଡ଼ି ମଧ୍ୟାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୁଚୁରା ବଜାର ଗହଳି ବି ବଢ଼ିଛି।   
ସୂଚନାଯୋଗ୍ୟ ଯେ ଜଟଣୀ ପାଇକାରୀ ବଜାରରୁ ବାଣ କିଣିବା ପାଇଁ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମଜିଲ୍ଲା ସମେତ ଭୁବନେଶ୍ୱରର ବହୁ ଖୁଚୁରା ବେପାରୀ ଛୁଟି ଆସନ୍ତି। ବର୍ଷସାରା ବିବାହ, ବ୍ରତ ଓ ଜାନିଯାତ୍ରା ପାଇଁ ମଧ୍ୟ ଲୋକେ ଏଠାରୁ ବାଣ କିଣନ୍ତି।