ଭୁବନେଶ୍ୱର: ଆଜି ସହିଦ ଦିବସ ପାଳନ ଅବସରରେ କଳାକାନୁନ୍ ପ୍ରତ୍ୟାହାର ଓ ଚାଷୀନେତା ରାକେଶ ଟିକାୟତଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ଲୋୟର୍ ପିଏମ୍ଜିରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ଗଣଉପବାସ ଅନୁଷ୍ଠିତ ହୋଇଯାଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନକ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସହ ବହୁ କୃଷକ ଓ ଛାତ୍ର ନେତା ସାମିଲ୍ ହୋଇଥିଲେ। ଏହି ଅବସରରେ ଦେଶ ପାଇଁ ଭଗତ ସିଂହଙ୍କ ବଳିଦାନ ଯୁଗେ ଯୁଗେ ସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ କହିଥିଲେ। ଏକ ଶୋଷଣମୁକ୍ତ ସମାଜ ଗଠନ ପାଇଁ ସେ ଯେଉଁ ସ୍ୱପ୍ନ ସେ ଦେଖିଥିଲେ, ତାହାକୁ ଶାସକମାନେ ଆଜି ହରଣ କରି ନେଇଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। କରୋନା କାଳରେ କଟକଣା ଜାରି ରହିଥିବାବେଳେ ସରକାର ତରବରିଆ ଭାବେ ଚାଷୀ ବିରୋଧୀ କଳା କୃଷି କାନୁନ୍ ଆଣିଥିବାରୁ ତା’ ବିରୋଧରେ ସଂଗ୍ରାମ ଜାରି ରଖିବାକୁ ପଡ଼ିବ ବୋଲି ଟିକାୟତ କହିଥିଲେ।
ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ, କୁଳମଣି, ଋଷିକୁଲ୍ୟା ରୟତ ମହାସଂଘର ସୀମାଞ୍ଚଳ ନାହାକ, ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ଦୁର୍ଗାପ୍ରସାଦ ଦାସ, ଦେବୀପ୍ରସାଦ ମହାରଣା, ତପନ ମିଶ୍ର, ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର, ମଧୁମିତା ସାମଲ, ଦିନେଶ ଦାଶ, ଭରତଚନ୍ଦ୍ର ସ୍ୱାଇଁ, ମଦନ ସାହୁ, ନିରଞ୍ଜନ ପ୍ରଧାନ, ଅଶୋକ ଶାନ୍ତି, ଅଶୋକ ସ୍ୱାଇଁ, ଛାତ୍ରନେତା ଅମିତ ଜେନା ପ୍ରମୁଖ ଯୋଗ ଦେଇଥିଲେ।