ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ପଣ୍ଡାପାର୍କ ନିକଟରେ ଜଣେ କାର୍ ଚାଳକଙ୍କୁ ମାଡ଼ ମାରି ଲୁଟ୍ କରୁଥିବା ବେଳେ ଲୋକଙ୍କ ଦ୍ବାରା ଧରାପଡ଼ି ବହେ ଛେଚା ଖାଇଛନ୍ତି ଦୁଇ ଦୁର୍ବୃତ୍ତ। ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଉ ଦୁଇ ଜଣଙ୍କୁ ଉଠାଇଛି। ୪ ଦୁର୍ବୃତ୍ତଙ୍କୁ ଅଟକ ରଖି ପୁଲିସ ଅଧିକ ତଦନ୍ତ ଚଳାଇଛି।
ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ କାର୍ ଚାଳକଜଣକ ପଣ୍ଡାପାର୍କ ନିକଟ ଏକ ଅନ୍ଧାରିଆ ରାସ୍ତାରେ ଯାଉଥିବା ବେଳେ ତାଙ୍କ ଗନ୍ତବ୍ୟସ୍ଥଳର ଠିକଣା ପାଇନଥିଲେ। ତେଣୁ ଗୋଟିଏ ସ୍ଥାନରେ ଠିଆ ହୋଇଥିବା ୪ ଜଣ ଯୁବକଙ୍କୁ ସେ ଠିକଣା ପଚାରିବାକୁ କାର୍ ଅଟକାଇଥିଲେ। କାର୍ ଅଟକିବା ମାତ୍ରେ ଯୁବକମାନେ ଗାଡ଼ି ଆଗ ପଛରେ ବାଇକ୍ ରଖି ଚାଳକଙ୍କୁ ବାହାରକୁ ଆସିବାକୁ କହିଥିଲେ। କାର୍ ଚାଳକ ବାହାରକୁ ଆସିବା ମାତ୍ରେ ସେମାନେ ଆଗ ମାଡ଼ ମାରିବା ଆରମ୍ଭ କରିଦେଲେ ଏବଂ ତାଙ୍କ ପକେଟ୍ରୁ ପର୍ସ ଛଡ଼ାଇନେଇଥିଲେ। ସେମାନେ କାର୍ ଚାବି ଛଡ଼ାଇବାକୁ ଉଦ୍ୟମ କରିବା ଦେଖି ଚାଳକ ଚାବିକୁ ଫୋପାଡ଼ି ଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ତାଙ୍କୁ ଆହୁରି ମାଡ଼ ମାରିଥିଲେ। ତେବେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ବସ୍ତିର ଲୋକେ ସେଠାକୁ ଧାଇଁ ଆସିଥିଲେ। ଲୋକଙ୍କୁ ଦେଖି ଦୁର୍ବୃତ୍ତମାନେ ଦୌଡ଼ିବାକୁ ଆରମ୍ଭ କରିବା ବେଳେ ଦୁଇ ଜଣ ଧରାପଡ଼ିଯାଇଥିଲେ ଏବଂ ଅନ୍ୟ ଦୁଇଜଣ ବାଇକ୍ ସହ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ।
ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ଲୋକଙ୍କ କବ୍ଜାରେ ଥିବା ଦୁଇ ଦୁର୍ବୃତ୍ତଙ୍କୁ ଥାନାକୁ ନେଇଥିଲା। ପରେ ସେମାନଙ୍କ ସୂଚନା ଆଧାରରେ ଅନ୍ୟ ଦୁଇ ଦୁର୍ବୃତ୍ତଙ୍କୁ ନିକଟସ୍ଥ ଅନ୍ୟ ଏକ ବସ୍ତିରୁ ଉଠାଇଥିଲା।