ପୀଠ‌ର ଆକର୍ଷଣ ଅଲୌକିକ ଶକ୍ତି: ଗୋଖୀବାବାଙ୍କ ମକର ମେଳାରେ କଟକଣା

ପୀଠର ମହାତ୍ମ୍ୟ

ପୁରୁଣା ଭୁବନେଶ୍ୱର: ଏହା ସେହି ପବିତ୍ର ପୀଠ ଯେଉଁଠି ଦିନେ ଆଦୌ ପ୍ରସବ କରିନଥିବା ଗାଈ ଦୁଧ ଦେଇ ସନ୍ଥମାନଙ୍କ ଭୋକ ଓ ତୃଷ୍ଣା ନିବାରଣ କରିଥିଲା। ଏହା ସେହି ବିଶ୍ବାସର ପୀଠ ଯେଉଁଠି ଶ୍ରଦ୍ଧାଳୁ ନଡ଼ିଆଟିଏ ଭୋଗ କଲେ, ହଜିଲା ଜିନିଷ ମିଳିଯାଏ ଓ ବହୁ ରୋଗବ୍ୟାଧିରୁ ମୁକ୍ତି ମିଳେ। ଏହା ସେହି ପବିତ୍ର ପୀଠ ଯେଉଁଠି ଅବତାର ପୁରୁଷ ଗୋଖୀବାବା ଦେହତ୍ୟାଗ କରିଥିଲେ। ସେଦିନର ଘନ ଏକାମ୍ର ଜଙ୍ଗଲର ଏହି ସ୍ଥାନ ଆଜି ବି ଲୋକଙ୍କ ଶ୍ରଦ୍ଧାଭାଜନ ହୋଇ ରହିଛି ଓ ମକର ମେଳାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏକାଠି ହୋଇ ଗୋଖୀବାବାଙ୍କୁ ପୂଜା କରନ୍ତି। ତେବେ ଏବର୍ଷ କୋଭିଡ଼୍‌ କଟକଣାରେ ସୁନ୍ଦରପଦାସ୍ଥିତ ଏହି ପବିତ୍ର ଗୋଖୀବାବା ପୀଠରେ ହେବ ମକର ମେଳା। ୧୩ ତାରିଖରେ ଭାଗବତ ପାଠ ଓ ଭଜନ ସମାରୋହ କରାଯିବା ସହ ପାଣି ତୋଳାଯାଇ ଏହି ପର୍ବର ଶୁଭାରମ୍ଭ ହେବ। ମକର ସଂକ୍ରାନ୍ତି ତିଥିରେ ଗାଦି ପୂଜା, ଯଜ୍ଞ ଓ ନାମ ସଂକୀର୍ତନ କରାଯିବ। ୧୫ତାରିଖରେ ନଗରକୀର୍ତ୍ତନ ଓ ହନୁମାନ ଚାଳିଶା ପାଠ କରାଯିବ। ୧୬ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଭାଗବତ ପାରାୟଣ କରାଯିବ। ସବୁ କିଛି କୋଭିଡ୍‌ ମାର୍ଗଦର୍ଶିକା ଅନୁସାରେ ଶ୍ରଦ୍ଧାଳୁଙ୍କ ବିନା ଭିଡ଼ରେ ଆୟୋଜନ କରାଯାଉଛି।

ପ୍ରାୟ ୩ଶହ ବର୍ଷ ତଳେ ସୁନ୍ଦରପଦା ନିକଟ ପୋଖରୀପୁଟ ଗ୍ରାମରେ ରହୁଥିଲେ ଗୋଖୀ ଦାସ। ବାଲ୍ୟକାଳରୁ ଅନାଥ ହୋଇଥିବ‌ା ଗୋଖୀ ଦାସ ଗାଈ ଚରାଇ ନିଜ ଗୁଜୁରାଣ ମେଣ୍ଟାଉଥିଲେ। ଏକଦା ୩ଜଣ ତୃଷାର୍ତ୍ତ ସନ୍ଥଙ୍କ କ୍ଷୁଧା ଓ ତୃଷ୍ଣା ନିବାରଣ ପାଇଁ ସେମାନଙ୍କ ପରାମର୍ଶରେ ଗୋଖୀ ଦାସ ଗୋଟିଏ ଛଡ଼ା(ଯେଉଁ ଗାଈ ପୂର୍ବରୁ କେବେ ପ୍ରସବ କରିନଥାଏ)କୁ ଦୁହିଁ ଦୁଧ ପାଇଥିଲେ ଓ ସନ୍ଥମାନଙ୍କୁ ଦେଇଥିଲେ। ସେଦିନ ଗୋଖୀ ଦାସ ସନ୍ଥତ୍ରୟଙ୍କ ସାଙ୍ଗରେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ତେବେ କିଛି ବର୍ଷ ପରେ ସେ ଯେତେବେଳେ ଫେରିଲେ, ଲୋକେ ତାଙ୍କଠାରେ ଏକ ସିଦ୍ଧପୁରୁଷର ଲକ୍ଷଣମାନ ଦେଖିବାକୁ ପାଇଲେ। ସୁନ୍ଦରପଦା ଗାଁର ସୁନ୍ଦରେଶ୍ୱର ଓ ଦଧିବାମନ ଜୀଉଙ୍କ ମନ୍ଦିର ନିକଟରେ କୁଡ଼ିଆ ନିର୍ମାଣ କରି ଗୋଖୀବାବା ରହିବା ପରେ ଧୀରେଧୀରେ ତାଙ୍କ ଅଲୌକିକ ଶକ୍ତି ବାବଦରେ ଲୋକେ ଅବଗତ ହେଲେ। ସେତେବେଳେ ଗାଁ ଗାଁରେ ମହାମାରୀ ବ୍ୟାପୁଥିଲା ଓ ଗୋଖୀବାବା ମହାମାରୀ ଦୂର କରୁଥିଲେ। ବାବାଙ୍କ ନିର୍ଦ୍ଦେଶରେ ରୋଗ ପୋକ ଚାଷ ଜମି ପାଖ ମାଡ଼ୁନଥିଲା। ନଡ଼ିଆଟିଏ ଯାଚି ଭୋଗ କଲେ, ମାନସିକଧାରୀର ସବୁ କଷ୍ଟ ଲାଘବ ହେଉଥିଲା। ସାଧନାରତ ଅବସ୍ଥାରେ ଦେହତ୍ୟାଗ- ବାବା ସାଧନାରତ ଅବସ୍ଥାରେ ଦେହତ୍ୟାଗ କରିଥିବା କୁହାଯାଏ।

ଏକଦା ସେ ସ୍ବଗୃହକୁ ରୁଦ୍ଧ କରି ତପସ୍ୟାରତ ରହିଲେ। ଦ୍ୱାର ନଖୋଲିବାକୁ ଶ୍ରଦ୍ଧାଳୁମାନଙ୍କୁ କହିଥିଲେ। ମାତ୍ର ତିନି ଦିନ ବିତିବା ପରେ ବିଚଳିତ ଶ୍ରଦ୍ଧାଳୁ କବାଟ ଖୋଲିଦେଲେ। ସେତେବେଳେ ବାବା ଶୂନ୍ୟରେ ଭୂମିରୁ ପ୍ରାୟ ୨ଫୁଟ୍‌ ଉଚ୍ଚରେ ଝୁଲନ୍ତା ଅବସ୍ଥାରେ ତପରତ ଥିବା ଦେଖାଯାଇଥିଲା। ଜଣେ ଭକ୍ତ ତାଙ୍କୁ ସ୍ପର୍ଶ କରିବା ମାତ୍ରେ ସେ ଟଳିପଡ଼ିଥିଲେ। ବାବାଙ୍କୁ ସେଠାରେ ହିଁ ସମାଧି ଦିଆଯାଇଥିଲା। ମାତ୍ର ବଡ଼ ବିସ୍ମୟର କଥା ଏପଟେ ବାବାଙ୍କୁ ସମାଧି ଦିଆଯାଉଥିବା ବେଳେ ପୁରୀ ଯାଇଥିବା ସ୍ଥାନୀୟ କିଛି ଲୋକ ତାଙ୍କୁ ଶ୍ରୀମନ୍ଦିର ପାଖରେ ଦେଖିବାକୁ ପାଇଥିଲେ। ଠିକ୍ ସେମିତି କିଛି ଲୋକ ଠିକ୍‌ ସେହି ସମୟରେ ଖଣ୍ଡଗିରିରେ ତପରତ ଥିବା ଦେଖିଥିଲେ। ସେମାନେ ଗାଁ ଫେରିବା ପରେ ଏହା ପ୍ରଘଟ ହୋଇଥିଲା ଓ ଗୋଖୀବାବାଙ୍କ ଦେହତ୍ୟାଗକୁ ନେଇ ଲୋକେ ଚକିତ ହୋଇପଡ଼ିଥିଲେ। ତେଣୁ ବାବା ଜଣେ ଅବତାର ପୁରୁଷ ବୋଲି ସେବେଠୁ ବିଶ୍ବାସ ରହିଛି।

ସମ୍ବନ୍ଧିତ ଖବର