ନିଲାମ ହେବ ବିଦ୍ୟା ବାଲାନ ପିନ୍ଧିଥିବା ‘ଶ୍ରୀଗଣିତ ଶାଢ଼ି’, ବିକ୍ରିର ସମସ୍ତ ଅର୍ଥ ପାଇବେ ବୁଣାକାର ଭାଗବତ ମେହେର

ଭୁବନେଶ୍ବର: ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ି’ ନିଲାମ ହେବ। ଅନଲାଇନ୍‌ରେ ୧୫ତାରିଖରୁ ନିଲାମ ଆରମ୍ଭ ହୋଇଯାଇଥିବା ବ‌େଳେ ୨୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଆଗ୍ରହୀ ବ୍ୟକ୍ତିବିଶେଷ ଏହାକୁ କିଣିବା ପାଇଁ ‘ଗୁଗୁଲ୍‌ ଫର୍ମସ୍‌’ରେ ଆବେଦନ କରିପାରିବେ। ଶାଢ଼ି ବିକ୍ରିର ସମସ୍ତ ଅର୍ଥ ଏହାର ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ। ‘ଉତ୍କଳ ଅମ୍ରିତା’ ବ୍ରାଣ୍ଡ୍‌ ‌ନାଁ’ରେ ଏହାକୁ ବିଦ୍ୟା ବାଲାନଙ୍କ ପାଖେ ପହଞ୍ଚାଇଥିବା ସାବତ ଏକ୍ସପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶିକା ଅନିତା ସାବତ ଓ ଅମ୍ରିତା ସାବତ ଏନେଇ ସୂଚନା ଦେଇଛନ୍ତି।

ଅନିତା କହିଛନ୍ତି, ମୁମ୍ବାଇରେ ଏକ ପ୍ରଦର୍ଶନୀରେ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଟିମ୍‌ ସଦସ୍ୟଙ୍କ ସହ ଅମ୍ରିତା ସାବତ ଯୋଗାଯୋଗ କରି ଶ୍ରୀଗଣିତ ଶାଢ଼ି ବାବଦରେ କହିଥିଲେ। ଏହା ଶୁଣିବା ପରେ ଟିମ୍‌ ସଦସ୍ୟ ବିଦ୍ୟା ବାଲାନଙ୍କୁ ଶାଢ଼ି ସମ୍ପର୍କରେ କହିଥିଲେ। ବିଦ୍ୟା ଶାଢ଼ିଟି ଦେଖି ଖୁସି ବ୍ୟକ୍ତ କରିଥିବା ବ‌େଳେ ଏହାକୁ ସେ ତାଙ୍କର ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଶକୁନ୍ତଳା’ର ରିଲିଜ୍‌ ପୂର୍ବଦିନ ପିନ୍ଧିବେ ବୋଲି କହିଥିଲେ। ନିଷ୍ପତ୍ତି ମୁତାବକ ଶାଢ଼ି ଯୋଗାଇ ଦିଆଯାଇଥିଲା। ବିଦ୍ୟା ଶାଢ଼ି ପିନ୍ଧି ସୋସିଆଲ ମିଡିଆରେ ବୁଣାକାରଙ୍କୁ ବହୁତ ପ୍ରଶଂସା କରିଥିଲେ। ଏଥିସହ ଚୁକ୍ତି ମୁତାବକ ଶାଢ଼ିଟି ପିନ୍ଧିବା ପରେ ଫେରାଇ ଦେଇଥିଲେ। ଶାଢ଼ିଟି ଆସିବା ପରେ ଏହାକୁ କିଣିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିଥିଲେ। ଲୋକଙ୍କ ଭିତରେ ଏହି ଆଗ୍ରହରୁ ଏହାର ନିଲାମ କଥା ମନକୁ ଆସିଥିଲା। ବିଦ୍ୟା ଏହି ଶାଢ଼ିଟି ପିନ୍ଧିବା ପରେ ଏହାର ଅନେକ ଦାବିଦାର ବାହାରୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଶାଢ଼ିର ପ୍ରକୃତ ବୁଣାକାରଙ୍କୁ ଶାଢ଼ି ନିଲାମର ସମସ୍ତ ଅର୍ଥ ଦେବାକୁ ମନସ୍ଥ କରି ଏଭଳି ନିଷ୍ପତ୍ତି ନେଇଛୁ ବୋଲି ଅନିତା କହିଛନ୍ତି। ଏହାଦ୍ବାରା ସମ୍ବଲପୁରୀ ଶାଢ଼ିର ଚାହିଦା ବୃଦ୍ଧି ପାଇଥିବାରୁ ଏବଂ ବୁଣାକାରମାନେ ଆହୁରି ଏହିଭଳି ଶାଢ଼ି ତିଆରି ପାଇଁ ଅର୍ଡର ପାଉଥିବା ଜାଣି ବହୁତ ଖୁସି ଲାଗୁଛି ବୋଲି ସେ କହିଛନ୍ତି।

ସୋନପୁର ବୀରମହାରାଜପୁରସ୍ଥିତ ଟିକିରାପଡ଼ା ଗ୍ରାମର ଭାଗବତ ମେହେର କହିଛନ୍ତି, ଏ ଶାଢ଼ିଟି ୨୦୧୬ରେ ରାଜ୍ୟ ହସ୍ତତନ୍ତ ପୁରସ୍କାର ପାଇଁ ଆବେଦନ କରିବାକୁ ତିଆରି କରିଥିଲି। ପ୍ରଫୁଲ୍ଲ ମେହେର ଏହାର ଚକ୍‌ ଓ ବ୍ଲାକ୍‌ବୋର୍ଡ ଡିଜାଇନ୍‌ କରିଥିବା ବ‌େଳେ ସୋନପୁର କେନ୍ଦୁପଲ୍ଲୀର ବୃନ୍ଦାବନ ମେହେର ଗ୍ରାଫ ତିଆରି କରିଥିଲେ। କେନ୍ଦୁପଲ୍ଲୀର ଗଙ୍ଗା ମେହେର ବାନ୍ଧ ତିଆରିରେ ସହଯୋଗ କରିଥିଲେ। ଶ୍ରୀ ମେହେର କହିଛନ୍ତି, ସେ ଏହି ଡିଜାଇନ୍‌ରେ ୪ଟି ଶାଢ଼ି ପ୍ରସ୍ତୁତ କରିଥିଲେ। ପ୍ରଥମ ଶାଢ଼ିଟି ଓଲଟା ହୋଇଯାଇଥିବାରୁ ଖରାପ ହୋଇଯାଇଥିଲା। ଦ୍ବିତୀୟ ଶାଢ଼ି ପୁରସ୍କାର ପାଇଁ ଆବେଦନ କରିଥିଲେ। ତୃତୀୟ ଶାଢ଼ି କଳାଭୂମିକ‌ୁ ଦେଇଥିଲେ। ୪ର୍ଥ ଶାଢ଼ିଟି ସେ ବିକ୍ରି କରିଥିଲେ। ଭାଗବତ ମେହେର କହିଛନ୍ତି, ବିଦ୍ୟା ବାଲାନ ଏ ଶାଢ଼ିକୁ ପିନ୍ଧିବା ପରେ ଏହା ତାଙ୍କ ୨୦ବର୍ଷର ବୁଣାକାର ପରିଶ୍ରମକୁ ସାକାର କରିଛି। ଏହାକୁ ଅମ୍ରିତା ସାବତ ବିଦ୍ୟାଙ୍କ ପାଖରେ ପହଞ୍ଚାଇଥିବାରୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର