‌ଶ୍ରୋତାଙ୍କ ରୁଚି, ମାନସିକତା ବଦଳୁଛି: ଦୀପ୍ତିରେଖା

ଟିକେ ଟିକେ ଅଚିହ୍ନ‌ା ତୁ…, ଚାଲ୍‌ କରିବା ଠିଆ ପାଲା…, ହାଏ ତୋ ପ୍ରେମର ରଙ୍ଗୋଲି.., ଓ ସୟାଁରେ ସୟାଁରେ… ଆଦି ଗୀତରେ ନିଜ କଣ୍ଠର ଯାଦୁଗରିରେ ସେ ଯୁବପିଢ଼ିଙ୍କୁ ବାନ୍ଧି ରଖିପାରିଛନ୍ତି। ତାଙ୍କ ସୁମଧୁର କଣ୍ଠ ତାଙ୍କୁ ଓଡ଼ିଆ ସଙ୍ଗୀତ ଜଗତରେ ସଫଳତାର ଶୀର୍ଷରେ ପହଞ୍ଚାଇଛି। ଖାଲି ସଙ୍ଗୀତ ନୁହେଁ, ଧାରାବାହିକ ‘ରାଜକନ୍ୟା’ରେ ବି ସେ ନିଜ ଅଭିନୟର ପରାକାଷ୍ଠା ଦେଖାଇଛନ୍ତି। ଏହି ସେଲିବ୍ରିଟିଜଣକ ଆଉ କେହି ନୁହଁନ୍ତି, ଓଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ। ତାଙ୍କ ସହ ‘ସମ୍ବାଦ’ର ଆଳାପ…

ବିବାହ ପରେ ଝିଅମାନଙ୍କ ବୃତ୍ତିଗତ ଜୀବନ ବାଧାପ୍ରାପ୍ତ ହୁଏ ବୋଲି ସାଧାରଣରେ ଧାରଣା ରହିଛି। ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି କେମିତି?
ମୋର ବି ଏ ଧାରଣା ଥିଲା। କିନ୍ତୁ ଶାଶୂଘର ଲୋକଙ୍କ ସହଯୋଗ, ସମର୍ଥନ ଯୋଗୁଁ ମୋ କ୍ଷେତ୍ରରେ ସେମିତି କିଛି ଘଟିନି। ଏବେ ବି ମୁଁ ଆଗ ଭଳି ଗୀତ ଗାଉଛି। ମୋ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନ ଭିତରେ ସନ୍ତୁଳନ ରକ୍ଷା କରିପାରିଛି। ଲୋକମାନଙ୍କ ଉଦ୍ଦେଶ୍ୟରେ କହିବି ଯେ ସମସ୍ତେ ଏ ଧାରଣା ମୁଣ୍ଡରୁ କାଢ଼ି ଦିଅନ୍ତୁ ଯେ ବିବାହ ପରେ ମହିଳାମାନେ କାମ କଲେ ପରିବାରରେ ବିଶୃଙ୍ଖଳା ସୃଷ୍ଟି ହୁଏ।

Lyricsvirics

ଓଡ଼ିଆ ଚଳଚ୍ଚିତ୍ର ଆଉ ପ୍ରାୟ ହଲ୍‌କୁ ଆସୁ ନାହିଁ। ଏଥିପାଇଁ ସଙ୍ଗୀତ ଜଗତ ବି କ’ଣ କ୍ଷତିଗ୍ରସ୍ତ ହେଉଛି?
କରୋନା ପରଠାରୁ ଓଲିଉଡ୍‌ ଦୁର୍ଦ୍ଦିନରେ ଗତି କରୁଛି। ତେଣୁ ଓଡ଼ିଆ ସଂଗୀତ ସେଥିରୁ ବାଦ୍‌ କେମିତି ପଡ଼ିବ। ଚଳଚ୍ଚିତ୍ରର ଆ‌କର୍ଷଣ ଟିକେ ଭିନ୍ନ। କିନ୍ତୁ ଏବେ ଚଳଚ୍ଚିତ୍ର ବିଲକୁଲ୍‌ ଆସୁନାହିଁ। ୨୦ଟି ଚଳଚ୍ଚିତ୍ରରେ ଗୀତ ଗାଇଲେ, ସେଥିରୁ ଗୋଟିଏ ମୁକ୍ତିଲାଭ କରୁଛି। ତାହା ପୁଣି କେତେବେଳେ ହଲ୍‌କୁ ଆସୁଛି, ଯାଉଛି, ଜାଣି ହେଉନାହିଁ। ଏସବୁ ପରେ ବି ଆଶା ଅଛି, ପୁଣି ଓଲିଉଡ୍‌ ମୁଣ୍ଡ ଟେକିବ।

ଓଡ଼ିଆ ସଙ୍ଗୀତ ପୁଣି ଥରେ ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଲାଣି। କାରଣ କ’ଣ ବୋଲି ଭାବୁଛନ୍ତି?
ଓଡ଼ିଆ ସଙ୍ଗୀତ କେବେ ବି ଲୋକପ୍ରିୟତା ହରାଇ ନଥିଲା। ବିଭିନ୍ନ ସମୟରେ ଓଡ଼ିଆ ଗୀତକୁ ନେଇ ଭିନ୍ନଭିନ୍ନ ପରୀକ୍ଷଣ ଚାଲିଛି। କିଛି ଭଲ ସହ କିଛି ଖରାପ ମିଶିଗଲେ, ଲୋକେ ଖରାପଟିକୁ ହିଁ ଦେଖି ସମାଲୋଚନା କରନ୍ତି। କିନ୍ତୁ ଏବେ ଦର୍ଶକ ଆଉ ଶ୍ରୋତାଙ୍କ ରୁଚି ବଦଳି ଗଲାଣି। ବର୍ତ୍ତମାନର ଯୁବପିଢ଼ିଙ୍କ ମାନସିକତା ବି ଭିନ୍ନ। ଏହାବ୍ୟତୀତ ଆଗରୁ ଗୀତଟିଏ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଯୋଜକଙ୍କୁ ବହୁତ କଷ୍ଟ କରିବାକୁ ପଡ଼ୁଥିଲା। ତାହାକୁ ଏବେ ୟୁ-ଟ୍ୟୁବ୍‌ ସରଳ କରିଦେଇଛି।

KoshalWorld.Com

ବର୍ତ୍ତମାନ ସମୟରେ ଓଡ଼ିଆ ସଙ୍ଗୀତକୁ ବୃତ୍ତି କରି ଚଳି ହେବ?
ଅଧିକ କାମ କଲେ ଅଧିକ ରୋଜଗାର। ଆଉ ଗୋଟିଏ କଥା ହେଲା, ଜଣେ କଣ୍ଠଶିଳ୍ପୀର ଭା‌ଗ୍ୟ ଶ୍ରୋତା ଓ ଭଗବାନ ସ୍ଥିର କରନ୍ତି। ଗୀତ ହିଟ୍‌ ହେଲେ, ଭାଗ୍ୟ ଫିଟିଯାଏ। ଯଦି ଭଲ କାମ ହାତକୁ ଆସିବ, ଜଣେ ଭଲ ଜୀବନଶୈଳୀ ବଞ୍ଚି ପାରିବ। କିନ୍ତୁ ଏକଥା ବି ମନେ ରଖିବାକୁ ହେବ ଯେ ଏବେ ଆଉ ବିଶେଷ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁନି।

ଦୀପ୍ତିରେଖାଙ୍କୁ କ’ଣ ଅଧିକ ଆତ୍ମସନ୍ତୋଷ ଦିଏ?
ସଙ୍ଗୀତରେ ହିଁ ମୁଁ ଆତ୍ମସନ୍ତୋଷ ପାଏ। ଗୀତ ଗାଇଲା ବେଳେ ମୁଁ ସଂସାରର ସବୁଠାରୁ ସୁଖୀ ମଣିଷ ବୋଲି ଅନୁଭବ କରେ। ‌‌ଶେଷ ନିଶ୍ବାସ ଯାଏ ଏ ସଙ୍ଗୀତ ଭିତରେ ହିଁ ରୁହେ, ଏହା ହିଁ ମୋର ଅଭିଳାଷ।

ଦ୍ବୈତନଗରୀ ଆପଣଙ୍କ ଜନ୍ମ ଓ କର୍ମଭୂମି। ଦୁଇ ସହରକୁ ନେଇ କିଛି ସ୍ବପ୍ନ ଅଛି?
ସ୍ବପ୍ନ ତ କିଛି ନାହିଁ, ଏତିକି ଇଚ୍ଛା‌ ଦୁଇ ସହରରେ ଶାନ୍ତି ଓ ଭାଇଚାରା ବଜାୟ ରହୁ।

ସମ୍ବନ୍ଧିତ ଖବର