ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ପାରି କରିବେ ଭୋଳାଶଙ୍କର-୨ର ଅଡିଓ ଲୋକାର୍ପଣ ଉତ୍ସବ ଆଜି ହୋଟେଲ ଆର୍ଯ୍ୟପ୍ୟା‌ଲେସ୍‌ରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜୀ ସାର୍ଥକର ଚିଫ୍ ଚାନେଲ୍ ଅଫିସର୍‌ ପ୍ରତୀକ ସିଲ, ଜୀ ସାର୍ଥକ ଫିଲ୍ମସ କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଅଭିନେତା ରାକେଶ ଦେଓ, ଅଭିନେତ୍ରୀ ଲିପିକା ସେନାପତି ଓ ସୋମୁ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ସୂଚନା‌‌ଯୋଗ୍ୟ, ‘ପାରିକରିବେ ଭୋଳାଶଙ୍କର’ର ସଫଳତା ପରେ ଭିନ୍ନ ଏକ କାହାଣୀକୁ ନେଇ ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ନିର୍ମାଣ ହୋଇଛି। ଡାକ୍ତର ପ୍ରଭାକର ଏକ ସଞ୍ଜୀବନୀ ତିଆରି କରିଛନ୍ତି, ଯାହା ଯେକୌଣସି ବିଷକୁ କାଟି ପାରିବ। ହେଲେ ମନ୍ଦ ଉଦ୍ଦେଶ୍ୟ ରଖି ଫର୍ମୁଲା ଚୋରି କରିବାକୁ ଚାହୁଥିବା ଡାକ୍ତର ରୟଙ୍କ ପାଖରୁ ଏହାକୁ ବଞ୍ଚାଇବାକୁ ଗଲା ବେଳେ ପ୍ରଭାକର ନିଜ ପୁଅ ଶଙ୍କରକୁ ହଜାଇ ଦେଇଛନ୍ତି। ଭୋଳାଶଙ୍କରଙ୍କ ଅଶୀର୍ବାଦରୁ ସେହି ପୁଅ ବଡ଼ ହେଇଛି ଓ ସେ କିଛି ଚମତ୍କାର ଶକ୍ତିର ଅଧିକାରୀ ହୋଇପାରିଛି। ଏହି ଶକ୍ତିକୁ ସେ କେବଳ ଲୋକଙ୍କ ଭଲ ପାଇଁ ବ୍ୟବହାର କରିଛି। ଏକଥା ଡାକ୍ତର ରୟଙ୍କ କାନରେ ପଡ଼ିଛି। ସେ ଅନୁସନ୍ଧାନ କରି ଜାଣିଛନ୍ତି ଶଙ୍କର କିଏ ଓ ଡାକ୍ତର ପ୍ରଭାକର ସଞ୍ଜୀବନୀ ତିଆରି କରିଥିବା ଫର୍ମୁଲା କୋଉଠି ଅଛି ଓ ୨୫ ବର୍ଷ ତଳର ସେ ଫର୍ମୁଲା ଖୋଜିବାରେ ସେ ଲାଗି ପଡ଼ିଛନ୍ତି। ଏମିତି କିଛି ନିଆରା କାହାଣୀକୁ‌ ନେଇ ଆସନ୍ତା ୯ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ଜୀ ସାର୍ଥକରେ ଏହି ଚଳଚ୍ଚିତ୍ର ପ୍ରସାରିତ ହେବ।