ଭୁବନେଶ୍ବର: ଜୟ ଜଗନ୍ନାଥ... ଧ୍ବନିରେ ପ୍ରକମ୍ପିତ ହେଉଥିଲା ପ୍ରେକ୍ଷାଳୟ। ଜଗନ୍ନାଥଙ୍କ ଭକ୍ତିରେ ଲୀନ ଭକ୍ତଙ୍କ ଦୁଇ ହାତ ଆପେ ଉଠିଯାଉଥିଲା ସମର୍ପଣ ଭାବରେ। ‘ସାରା ଦୁନିଆର ରକ୍ଷକ ଯିଏ, ନିଜ ରକ୍ଷା ପାଇଁ ଧାଉଁଛି ସିଏ...’ ଗୀତ ପଡ଼ୁ ପଡ଼ୁ ଲୋତକଧାରା ଆଉ ବୋଲ ମାନି ନଥିଲା। ନିଜ ଭଗବାନଙ୍କୁ କଷ୍ଟରେ ଦେଖି ଭକ୍ତର ଛାତି ଫାଟିପଡ଼ୁଥିଲା। ଓଡ଼ିଆ ଜାତିର ଆତ୍ମା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଯାଇଥିବା ବେଳେ ଏମିତି କିଛି ନିଆରା ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ବଳ କରୁଥିଲା।
ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଅନନ୍ୟ ଅଧ୍ୟାୟକୁ ଆଧାର କରି ‘ଚକଲେଟ୍ ପ୍ରଡକ୍ସନ୍ସ’ ପକ୍ଷରୁ ମଞ୍ଚସ୍ଥ ହେଉଛି ଐତିହାସିକ ନାଟକ ‘ଆହେ ନୀଳଶଇଳ’। ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମ୍ର ବିଷ ଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନରକ୍ଷା ଲାଗି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବ ବହୁ କଷ୍ଟ ସହିଛନ୍ତି, ଅତ୍ୟାଚାରର ଶିକାର ହୋଇଛନ୍ତି ଏବଂ ତାଙ୍କ ପାଇଁ କିଭଳି ସିଂହଦ୍ବାରରେ ପତିତପାବନ ପ୍ରତିଷ୍ଠା ହୋଇଛନ୍ତି ତାହା ନାଟକରେ ଉପସ୍ଥାପିତ ହୋଇଛି। ନାଟକର କାହାଣୀ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ ହୋଇଥିବା ବେଳେ ନାଟକର ରଚନା କରିଛନ୍ତି ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା। ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବୀରେନ୍ ରାୟ।
ରାଜ୍ୟରେ ଓ ରାଜ୍ୟ ବାହାରେ ‘ଆହେ ନୀଳଶଇଳ’ର ୨୮ଟି ସୋ’ ଅନୁଷ୍ଠିତ ହୋଇ ସାରିଥିବା ବେଳେ ଆଜି ୨୯ତମ ସୋ’ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି। ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଓ ଉତ୍କଣ୍ଠାକୁ ଆଧାର କରି ଆଜିଠାରୁ ୨୦ ତାରିଖ ଯାଏଁ ରବୀନ୍ଦ୍ର ମଣ୍ଡପରେ ନାଟକ ମଞ୍ଚସ୍ଥ ପାଇଁ ସ୍ଥିର ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ଟିକେଟ୍ ବୁକିଂ ଆରମ୍ଭର କିଛି ଦିନ ଭିତରେ ପ୍ରାୟ ଟିକେଟ୍ ବିକ୍ରି ହୋଇ ଯାଇଛି। ଆଜି ରବିବାର ଯୋଗୁଁ ସମ୍ପୂର୍ଣ୍ଣ ଟିକେଟ୍ ବୁକିଂ ହୋଇଯାଇଥିବା ବେଳେ ଅନେକ ଦର୍ଶକ ନାଟକ ଦେଖିବାକୁ ଆସି ନିରାଶ ହୋଇ ଫେରି ଯାଇଥିଲେ। ଆଗାମୀ ଦିନର ସମସ୍ତ ସୋ’ର ଟିକେଟ୍ ମଧ୍ୟ ବିକ୍ରି ହୋଇସାରିଛି। ଆଜି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ଦର୍ଶକଙ୍କୁ ସ୍ବାଗତ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ନାଟକର ନିର୍ଦ୍ଦେଶକ ଶ୍ରୀ ରାୟ ପ୍ରଦୀପ ପ୍ରଜ୍ବଳନ କରି ନାଟକର ଶୁଭାରମ୍ଭ କରିଥିଲେ। ଶ୍ରୀମତୀ ପଟ୍ଟନାୟକ ଦର୍ଶକଙ୍କୁ କୃତଜ୍ଞତା ଜଣାଇବା ସହ ନାଟକକୁ ଏତେ ଭଲ ପାଇବା ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ। ‘ବୁକ୍ ମାଇଁ ସୋ’ ୱେବ୍ସାଇଟ୍ରେ ‘ଆହେ ନୀଳଶଇଳ’ର ଅଗ୍ରିମ ଟିକେଟ୍ ବିକ୍ରୟ ଆରମ୍ଭ ହୋଇଛି। ନାଟକ ପ୍ରଦର୍ଶନ ଓ ଟିକେଟ୍ ସଂପର୍କରେ ଅଧିକ ସୂଚନା ଲାଗି ୯୮୫୩୦୩୫୧୦୪ ଓ ୮୯୦୮୦୨୦୧୦୪ ନମ୍ବରରେ ଯୋଗାଯୋଗ କରିବାକୁ ଚକଲେଟ୍ ପ୍ରଡକ୍ସନ୍ସ ପକ୍ଷରୁ ନିବେଦନ କରାଯାଇଛି।
ଜୟ ଜଗନ୍ନାଥ ଧ୍ବନିରେ କମ୍ପିଲା ପ୍ରେକ୍ଷାଳୟ: ୨୦ ଯାଏଁ ସବୁ ସୋ ହାଉସ୍ଫୁଲ୍
ଜୟ ଜଗନ୍ନାଥ... ଧ୍ବନିରେ ପ୍ରକମ୍ପିତ ହେଉଥିଲା ପ୍ରେକ୍ଷାଳୟ। ଜଗନ୍ନାଥଙ୍କ ଭକ୍ତିରେ ଲୀନ ଭକ୍ତଙ୍କ ଦୁଇ ହାତ ଆପେ ଉଠିଯାଉଥିଲା ସମର୍ପଣ ଭାବରେ। ‘ସାରା ଦୁନିଆର ରକ୍ଷକ ଯିଏ, ନିଜ ରକ୍ଷା ପାଇଁ ଧାଉଁଛି ସିଏ...
/sambad/media/media_files/2025/08/18/new-project-13-2025-08-18-08-04-59.jpg)