ଇପ୍ରୋକ୍ ଅନ୍ତର୍ଜାତୀୟ ପୁରସ୍କାର ଘୋଷିତ: ପୁରସ୍କୃତ ହେବେ ଓଡ଼ିଆ ଚିତ୍ରଶିଳ୍ପୀ ରବୀନ୍ଦ୍ର ଶବର

ଭୁବନେଶ୍ବର: ଓଡ଼ିଆ ସଂସ୍କୃତିର ସମୃଦ୍ଧି ଦିଗରେ କାର୍ଯ୍ୟରତ ଦିଲ୍ଲୀର ସଂସ୍ଥା ଇପ୍ରୋକ୍ ତରଫରୁ ଲୋକ ଏବଂ ଆଦିବାସୀ ଚିତ୍ରକଳା ବିଭାଗରେ ଏକ ହଜାର ଆମେରିକୀୟ ଡଲାର ଅର୍ଥରାଶିର ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ସଉରା ପେଣ୍ଟିଂ ପାଇଁ ବିଜୟୀ ହୋଇଛନ୍ତି ଓଡ଼ିଶାର ଚିତ୍ରକର ରବୀନ୍ଦ୍ର ଶବର। ଅନ୍ୟ ଦୁଇ ପୁରସ୍କୃତ ଚିତ୍ରକର ହେଉଛନ୍ତି, ଭାରତୀୟ ଶିଳ୍ପୀ ଭୁରି ବାଈ (ଭିଲ୍‌ ପେଣ୍ଟିଂ) ଏବଂ ଦକ୍ଷିଣ କୋରିଆର ପାର୍କ ୟେନ୍ ଓକ୍ (ମିନ୍‌ୱା ପେଣ୍ଟିଂ)। ଚିଲିକାସ୍ଥିତ ଓଡି ଆର୍ଟ ସେଣ୍ଟର୍‌ର ସହଭାଗିତାରେ ନ୍ୟାସ୍‌ନାଲ୍‌ କ୍ରାଫ୍ଟ ମ୍ୟୁଜିୟମ୍‌, ଦିଲ୍ଲୀଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଲୋକ ଏବଂ ଆଦିବାସୀ କଳା ପ୍ରଦର୍ଶନୀରେ ଏହି ଚିତ୍ରଗୁଡ଼ିକ ଚୟନ କରାଯାଇଥିଲା। ପ୍ରତିଯୋଗିତାର ବିଚାରକ ଥିଲେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଚିତ୍ରଶିଳ୍ପୀ ଜଗନ୍ନାଥ ପଣ୍ଡା, ଜୟା ଜେଟଲୀ, ସୁଷମା ବହଲ ଏବଂ ଅର୍ଚ୍ଚନା ସିଂହ। ଇପ୍ରୋକ୍‌ର ସଂପାଦକ ବିଶ୍ବଜିତ ଦାସ ଏହି ପୁରସ୍କାର ସଂପର୍କରେ ଘୋଷଣା କରିଛନ୍ତି। ଓଡି ଆର୍ଟ ସେଣ୍ଟର୍‌ର ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାଶ ସୂଚନା ଦେଇଛନ୍ତି ଯେ ଏହି ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ସା‌ତଟି ଦେଶର ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା। ଆସନ୍ତା ଡିସେମ୍ବରରେ ଓଡି ଆର୍ଟ ସେଣ୍ଟର୍‌ର ବାର୍ଷିକ ଉତ୍ସବରେ ବିଜେତା ଚିତ୍ରଶିଳ୍ପୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର