ସ୍ଥାୟୀ ନିଯୁକ୍ତି ଦାବି କଲା ଆୟୁଷ ଡକ୍ଟର୍ସ ଡେଭଲପ୍‌ମେଣ୍ଟ ଆସୋସିଏସନ୍

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବି କରି ଆୟୁଷ ଡକ୍ଟର୍ସ ଡେଭଲପମେଣ୍ଟ ଆସୋସିସନ୍ ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ଧାରଣା ଦିଆଯାଇଛି। ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ, ଆୟୁଷ ଡାକ୍ତରଙ୍କ ଅଭାବ ପୂରଣ କରିବାକୁ ଯାଇ ଜାତୀୟ ସ୍ୱାସ୍ଥ୍ୟ ମିସନ ଜରିଆରେ ୧୪ ବର୍ଷ ତଳେ ସାରା ରାଜ୍ୟରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ୧୪୮୫ ଆୟୁଷ ଡାକ୍ତଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ସ୍ୱଳ୍ପ ଦରମା ଓ ଗ୍ରାମାଞ୍ଚଳରେ ଭିତ୍ତିଭୂମିର ଅଭାବ ଦେଖି ଅନେକ ଡାକ୍ତର ଚାକିରି ଛାଡ଼ିଦେଲେ। ବର୍ତ୍ତମାନ ୧୧୫୧ ଜଣ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି। ସ୍ଥାୟୀ ଚାକିରି ପାଇଁ ସେମାନେ ବାରମ୍ବାର ସରକାରଙ୍କ ପାଖରେ ଦାବି କରିବା ପରେ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚାକିରି ସ୍ଥାୟୀ କରିଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାଏ ଚାକିରି ସ୍ଥାୟୀ କରି ନାହାନ୍ତି ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ତେଣୁ ଆୟୁଷ ଡକ୍ଟର୍ସ ଡେଭଲପମେଣ୍ଟ ଆସୋସିଏସନର ରାଜ୍ୟ ସଭାପତି ଡାକ୍ତର ଜ୍ୟୋତି ରଂଜନ ଗାହାଣ, କାର୍ଯ୍ୟକାରୀ ସଭାପତି ଡାକ୍ତର ଚନ୍ଦ୍ରଶେଖର ମିଶ୍ର, ଡା. ତପନ କୁମାର ଦାସ, ଡା. ମମତା ମହାନ୍ତି, ଡା. ପ୍ରଦୀପ ଚମ୍ପତ୍ତି, ଡା. ସୀମାଲତା ସ୍ବାଇଁ, ଡା.ଦୀପ୍ତି ସାହୁ, ଡା. ଚନ୍ଦ୍ରକାନ୍ତ ରାଉତଙ୍କ ସମେତ ଶତାଧିକ ଡାକ୍ତର ଧାରଣା ଦେଇ ସରକାରଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର