ବିଲେଇ ଛୁଆକୁ କୁକୁର ମୁହଁକୁ ଫିଙ୍ଗିଦେଲେ, ଭୁଲିଗଲେ ମଣିଷପଣିଆ

ଚନ୍ଦ୍ରଶେଖରପୁର: ମଣିଷ ଭୁଲିଗଲା ମଣିଷପଣିଆl ସୀମା ଟପିଲା ନିରୀହ ଜନ୍ତୁଙ୍କ ଉପରେ କ୍ରୁରତା l ଘରେ ପଶିଲା ବୋଲି ବିଲେଇ ଛୁଆକୁ ଅଧାମରା କରି ରାସ୍ତାରେ ଫିଙ୍ଗି ଦେଲେ। ଆଉ ଆଖି ସାମ୍ନାରେ ବିଲେଇ ଛୁଆଟିକୁ ଝୁଣି ମାରିଦେଲେ ବୁଲା କୁକୁର। ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହେବା ପରେ ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା l ଏ ନେଇ ଜଣେ ବ୍ୟକ୍ତି ଇନଫୋସିଟି ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଛି l

ଚନ୍ଦ୍ରଶେଖରପୁର ଇନଫୋସିଟି ଥାନା ପ୍ରଶାନ୍ତି ବିହାର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା l ଗୋଟିଏ ଛୋଟ ବିଲେଇଛୁଆ ଉପରେ କିଭଳି ଜଣେ ବ୍ୟକ୍ତି ଅମାନବୀୟ ଭାବେ ଅତ୍ୟାଚାର କରୁଛନ୍ତି ତାର ପୂରା ଦୃଶ୍ୟ ଭାଇରାଲ ଭିଡିଓରେ ସାମ୍ନାକୁ ଆସିଛି। ଗୋଟିଏ ବିଲେଇ ଛୁଆ ଜଣଙ୍କ ଘରେ ପଶିଯାଉଛି l ଆଉ ଉକ୍ତ ବ୍ୟକ୍ତି ଜଣଙ୍କ ବିଲେଇ ଛୁଆଟିକୁ ନିର୍ଦ୍ଧୁମ ପିଟୁଛନ୍ତି l ସେତିକିରେ ତାଙ୍କ ମନ ଶାନ୍ତି ହେଉ ନାହିଁ l ବିଲେଇ ଛୁଆଟିକୁ ଅଧାମରା କରି ସେ ରାସ୍ତାକୁ ଫୋପାଡ଼ି ଦେଉଛନ୍ତିl ଆଉ ୩ ଟି ବୁଲା କୁକୁର ମାଡ଼ି ଆସି ବିଲେଇ ଛୁଆଟିକୁ ଝୁଣି ମାରି ଦେଉଛନ୍ତି। ମାଆ ବିଲେଇ ନିଜ ଛୁଆକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରୁଛି। କିନ୍ତୁ ରକ୍ତମୁଖା କୁକୁର ଆଗରେ ହାରିଯାଉଛି।

ଏ ଦୃଶ୍ୟ ଯେତିକି ବିବ୍ରତ କରୁଛି ସେତିକି ମଧ୍ୟ ବ୍ୟଥିତ କରୁଛି l ଏ ଦୃଶ୍ୟ ଦେଖି ଗୌରବ ଉଦଗାତା ନାମକ ଜଣେ ବ୍ୟକ୍ତି ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଇନଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ପୁଲିସ ଅଭିଯୋଗ ଅନୁସାରେ ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି। ପୁଲିସର ସୂଚନାନୁଯାୟୀ ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ ମୁରଲୀଧର ବେହେରା l ସେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ପୁଲିସ ଅଭିଯୋଗ ଆଧାରରେ ତାଙ୍କ ବିରୋଧ‌ରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର