ବାରଙ୍ଗ: କେନ୍ଦୁଝରରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇ ନନ୍ଦନକାନ ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ଥିବା ୩ ମାସର ହାତୀ ଛୁଆଟି ଧୀରେଧୀରେ ସୁସ୍ଥ ହେଉଛି। ଗୋଡ଼ର ଘା’ ବହୁ ମାତ୍ରାରେ ଶୁଖିଆସିଥିବା ବେଳେ ଆଙ୍ଗୁଠି ହାଡ଼ର ଫାଟ ଯୋଡ଼ିହେଉଥିବା ଜଣାପଡ଼ିଛି। ତେଣୁ ଖୁବ୍ଶୀଘ୍ର ହାତୀ ଛୁଆଟି ପୂରା ସୁସ୍ଥ ହୋଇଯିବ ବୋଲି ଚିକିତ୍ସକମାନେ ଆଶାବାଦୀ ଥିବା କହିଛନ୍ତି। ଆଜି ଓୟୁଏଟି ପ୍ରାଣୀ ଅସ୍ଥି ଓ ଶଲ୍ୟ ବିଭାଗ ମୁଖ୍ୟ ପ୍ରଫେସର ଇନ୍ଦ୍ରମଣୀ ନାଥ ହାତୀ ଛୁଆ ଗୋଡ଼ରେ ଲାଗିଥିବା ଷ୍ଟିଲ୍ କ୍ଲାମ୍ପ୍କୁ ଖୋଲି ଯାଞ୍ଚ କରିଥିଲେ। ଗୋଡ଼ର କ୍ଷତରେ ଆଉ ସଂକ୍ରମଣ ନଥିବା ଓ ଘା’ ଶୁଖିବା ଦେଖିବାକୁ ପାଇଥିଲେ। ଘା’ର ପରିଧି ବେଶ୍ କମିଥିବା ଦେଖିବାକୁ ମିଳିଥିଲା।
ସେହିଭଳି ଆଙ୍ଗୁଠିର ଭଙ୍ଗା ହାଡ଼ ମଧ୍ୟ ଯୋଡ଼ି ହେଉଥିବା ଦେଖାଯାଇଥିଲା। ଯାଞ୍ଚ ପରେ ଚିକିତ୍ସକମାନେ ପୁଣି କ୍ଷତରେ ଔଷଧ ଲଗାଇ କ୍ଲାମ୍ପିଂ କରିଥିଲେ। ଛୁଆ ହାତୀଟି ଏବେ ବିପଦମୁକ୍ତ ବୋଲି ଚିକିତ୍ସକମାନେ କହିଛନ୍ତି। ଆଜି ଛୁଆ ହାତୀର ସ୍ବାସ୍ଥ୍ୟ ପରୀକ୍ଷା ବେଳେ ନନ୍ଦନକାନନର ନିର୍ଦ୍ଦେଶକ ମନୋଜ ଭି. ନାୟର ଓ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଗତ ମାସରେ ବନ ବିଭାଗ କର୍ମଚାରୀମାନେ ଏହି ଛୁଆ ହାତୀଟି ଦଳ ଭିତରେ ଛୋଟେଇ ଛୋଟେଇ ଚାଲୁଥିବା ଦେଖିବାକୁ ପାଇଥିଲେ। ବନ କର୍ମଚାରୀମାନେ ତା’ର ଚିକିତ୍ସା ପାଇଁ ପିଛା କରିଥିଲେ ହେଁ ଦଳ ଭିତରେ ଥିବାରୁ ସମ୍ଭବ ହୋଇନଥିଲା। ପ୍ରାୟ ୨ ଦିନ ପରେ ମା’ ହାତୀ ଓ ହାତୀ ପଲ ଅସୁସ୍ଥ ଛୁଆ ହାତୀକୁ ଜଙ୍ଗଲରେ ଏକୁଟିଆ ଛାଡ଼ି ପଳାଇଥିଲେ। ପିଛା କରୁଥିବା ବନ କର୍ମଚାରୀମାନେ ତାକୁ ଉଦ୍ଧାର କରି ନନ୍ଦନକାନନକୁ ଆଣିଥିଲେ।