ବାରଙ୍ଗ: ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ତ୍ରିଶୁଳିଆ ନରଣପୁର ଛକରେ କାର୍‌ ଧକ୍କାରେ ଗୋଟିଏ ଛୁଆ ମାଙ୍କଡ଼ର ମୃତ୍ୟୁ ଘଟିଥିଲା। ଘଟଣାଟି ଉପରକୁ ସାଧାରଣ ଜଣାପଡ଼ୁଥିଲେ ହେଁ ଘଟଣାସ୍ଥଳରେ ପ୍ରତ୍ୟକ୍ଷଦର୍ଶୀ ଯେଉଁ ଛାତିଥରା ଦୃଶ୍ୟ ଦେଖିଲେ, ତାହା ସବୁଦିନ ପାଇଁ ଅଭୁଲା ହୋଇରହିବ ବୋଲି ଚର୍ଚ୍ଚା ହେଉଛି। ମୃତ ଛୁଆକୁ କୋଳରେ ଜାବୁଡ଼ି ଧରି ମା’ ମାଙ୍କଡ଼ର ବିକଳ କ୍ରନ୍ଦନ ଓ ଛୁଆକୁ ବଞ୍ଚାଇଦେବାକୁ ଲୋକଙ୍କ ପାଖକୁ ଧାଇଁଯିବାର ଦୃଶ୍ୟ ସମସ୍ତଙ୍କ ଆଖିରୁ ଲୁହ ଝରାଇଦେଇଥିଲା। ମା’ ମାଙ୍କଡ଼ଟି ଯେତେବେଳେ ଆମ୍ବୁଲାନ୍‌ସକୁ ଅଟକାଇଲା, ସମସ୍ତେ ଯେତିକି ବିସ୍ମିତ ହୋଇଥିଲେ, ସେତିକି ବ୍ୟଥିତ ହୋଇପଡ଼ିଲେ। ‌‌ଆଖି ଆଗରେ ଛୁଆର ମୃତ୍ୟୁ, ମା’କୁ କି କଷ୍ଟ ଦେଇଥାଏ, ତା’ର ଏକ ଜ୍ବଳନ୍ତ ନମୁନା ଆଜି ତ୍ରିଶୁଳିଆ ଛକରେ ଦେଖିବାକୁ ମିଳିଥିଲା।

Advertisment

ଆଜି ନରଣପୁର ବଜାର ଦେଇ ଗୋଟିଏ ମାଙ୍କଡ଼ ପଲ ରାସ୍ତା ପାର୍‌ ହେଉଥିଲେ। ସବୁ ମାଙ୍କଡ଼ ରାସ୍ତା ପାର୍ ହୋଇଗଲେ, କିନ୍ତୁ ଛୁଆ ମାଙ୍କଡ଼ଟି ପଛରେ ରହିଯାଇଥିଲା। ଏତିକିବେଳେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ଛୁଆଟି ଉପରେ ମାଡ଼ିଯାଇଥିଲା। କାର୍‌ଟି ପଳାଇବା ପରେ ମା’ ମାଙ୍କଡ଼ ଛୁଆ ପାଖକୁ ଧାଇଁ ଆସି ତାକୁ ତଳୁ ଉଠାଇଧରିଥିଲା। ଚିଁ ଚିଁ ହୋଇ ରଡ଼ିଛାଡ଼ିଲା। ମାଙ୍କଡ଼ପଲ ପଛକୁ ଫେରି ରାସ୍ତା ଉପରେ ବସିଗଲେ। ମା’ ମାଙ୍କଡ଼ଟି ଛୁଆକୁ ଧରି ଦେଖଣାହାରୀଙ୍କ ଆଡ଼କୁ ଧାଇଁଯାଉଥିଲା। ଏତିକିବେଳେ ଏକ ଆମ୍ବୁଲାନ୍‌ସ ସେହି ବାଟ ଦେଇ ଯାଉଥିଲା। ମଣିଷ ଭଳି ମା’ ଟି ଆମ୍ବୁଲାନ୍‌ସ ଆଗରେ ଠିଆ ହୋଇଗଲା। ଆମ୍ବୁଲାନ୍‌ସ ଚାଳକ ଗାଡ଼ି ଅଟକାଇବା ପରେ ମା’ ମାଙ୍କଡ଼ ଚାଳକଙ୍କ ପଟକୁ ଚଢ଼ି ଚିଁ ଚିଁ ହୋଇଥିଲା। କିନ୍ତୁ ଆମ୍ବୁଲାନ୍‌ସ ଚାଳକ ଗାଡ଼ି ଆଗକୁ ବଢ଼ାଇବା ପରେ ମାଙ୍କଡ଼ ତଳକୁ ଡେଇଁ ପୁଣି ଛୁଆ ପାଖକୁ ଫେରିଆସିଥିଲା। ମା’ ମାଙ୍କଡ଼ର ଏଭଳି ବିକଳିଆ କରୁଣ ଦୃଶ୍ୟ ଦେଖିବାକୁ ପୂରା ବଜାରର ଲୋକେ ଏକାଠି ହୋଇଯାଇଥିଲେ। ଅନ୍ଧାର ହୋଇଯିବା ପରେ ଏବଂ ସବୁ ଆଶା ମଉଳିବା ଦେଖି ମା’ ମାଙ୍କଡ଼ଟି ଦଳ ସହିତ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା।