ନାଗ ମୁହଁରୁ ବର୍ତିଲା ଶିଶୁ, ରକ୍ଷାକବଚ ସାଜିଲା ପୋଷା ବିଲେଇ

ମେଣ୍ଢାଶାଳ: ଅଗଣାରେ ନିଶ୍ଚିତରେ ଖେଳୁଥିଲା ୨ ବର୍ଷର ଶିଶୁ ପୁତ୍ର ଅଂଶୁମାନ। ଆର ପାଖରେ ଫଣା ଟେକି ଜଗି ବସିଥିଲା ନାଗ। ଗୋଟେ ପଟେ ନିଷ୍ପାପ ମନ, ଅନ୍ୟ ପାଖେ କାଳ ସର୍ପ। ତେବେ ଦୁହିଁଙ୍କ ମଝିରେ ବାଡ଼ ହୋଇ ସାପର ବାଟ ଓଗାଳିଥିବା ଛିଟା ମଣିଷ ପିଲା ନୁହେଁ, ବରଂ ଥିଲା ଏକ ପୋଷା ବିଲେଇ।

ଛତାବର ପଞ୍ଚାୟତ ଅନ୍ତର୍ଗତ ଜାମୁଝରୀରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜାମୁଝରୀର ବାସିନ୍ଦା ଭାସ୍କର ଚନ୍ଦ୍ର ସାହୁଙ୍କ ନାତି ଅଂଶୁମାନ ସବୁଦିନ ଭଳି ଆଜି ବି ଅଗଣାରେ ଖେଳୁଥିଲା। ମଧ୍ୟାହ୍ନ ସମୟ। ଅଂଶୁମାନଙ୍କ ଜେଜେ ମା’ ପାର୍ବତୀ ଯାଇ ଦେଖନ୍ତି ନାତି ଖେଳୁଥିବା ସ୍ଥାନକୁ ପଛ କରି ବିଲେଇ ଜଗି ବସିଛି। ଅନ୍ୟ ପାର୍ଶ୍ବରେ ଫୁଲ ଗଛ ମୂଳେ ନାଗ ଫଣା ଟେକି ରହିଛି। ଏହା ଦେଖିବା ପରେ ପାର୍ବତୀ ନାତିକୁ ତୁରନ୍ତ ଟାଣି ଆଣି ଘରକୁ ପଶି ଯାଇଥିଲେ। କିଛି ସମୟ ପର୍ଯ୍ୟନ୍ତ ବିଲେଇ ଛିଟା ନାଗକୁ ଛକି ରହିଥିଲା। ପରେ ସାପଟି ବାରିପଟୁ ଆସିଥିବା ବୁଦା ଆଡ଼କୁ ଚାଲି ଯାଇଥିଲା। ଏ ଘଟଣା ପରେ ଛିଟାକୁ ଲୋକେ ପ୍ରଶଂସା କରିଛନ୍ତି। ହୁଏତ ଲୋକଙ୍କ ପ୍ରଶଂସାକୁ ଛିଟା ଅନୁଭବ କରିପାରିନାହିଁ, କିନ୍ତୁ ସେ ପ୍ରଭୁ ଭକ୍ତିରେ ଉତ୍ତୀର୍ଣ୍ଣ ହୋଇ ‌ପ୍ରମାଣିତ କରିଦେଇଛି ସେ ବି ତା’ ମାଲିକ ପାଇଁ ବିପଦ ଆଗରେ ମୁଣ୍ଡ ଦେଖାଇପାରେ।

ସମ୍ବନ୍ଧିତ ଖବର