ଭୁବନେଶ୍ବର: ଗତ କିଛି ଦିନ ହେଲା ଘରୁ ବାହାରିବା ମୁସ୍କିଲ୍ ହୋଇଯାଉଛି। ହେଲେ ଆଜି ତାତି ଅସହ୍ୟ ହୋଇପଡ଼ିଥିଲା। ଆଜି ଘରେ ରହିବା ବି ଅସହ୍ୟ ହୋଇଯାଇଥିଲା। ସ୍ଥିତି ଏମିତି ଥିଲା ଯେ ବାହାରକୁ ବାହାରିଲେ ଦେହ, ମୁହଁ ପୋଡ଼ି ଯାଉଥିଲା। ଖାଲି ଆଖିରେ ଖରାକୁ ଚାହିଁବା ଓ ମୁଣ୍ଡ ନ ଢାଙ୍କି ଖରାକୁ ବାହାରିବା ମୁସ୍କିଲ୍ ହୋଇଯାଇଥିଲା। ମଧ୍ୟାହ୍ନ ସୁଦ୍ଧା ରାଜଧାନୀର ରାସ୍ତାଘାଟ ଶୂନ୍ଶାନ୍ ହୋଇଯାଇଥିଲା। ଖରା ଯୋଗୁଁ ଥଣ୍ଡା ପାଣି ବୋତଲ, ମୃଦୁପାନୀୟ, ଆଖୁରସ, ପୋଦିନା ପାଣି ଓ ପଇଡ଼ ବିକ୍ରି ଆଶାତୀତ ଭାବେ ବଢ଼ିଯାଇଥିଲା।
ଏ ବର୍ଷର ସବୁଠୁ ଅଧିକ ତାତି
ବଢ଼ୁଛି ଆର୍ଦ୍ରତା
୫୫ ଡିଗ୍ରିର ଗରମ ସହୁଛନ୍ତି ଲୋକେ
ଆଶ୍ବସ୍ତ କଲା କାଳବୈଶାଖୀ ବର୍ଷା
ଲସି ବେପାରୀଙ୍କ ଫୁର୍ସତ୍ ନଥିଲା। ଦୁଇଚକିଆ ଚଲାଇବା କଷ୍ଟକର ଥିବା ବେଳେ ଚାରିଚକିଆ ଯାନର ଏସି ବି କାମ ଦେଇ ନଥିଲା। ଖରା, ତାତିକୁ ଗୁଳୁଗୁଳି କଷ୍ଟ ବୋଝ ଉପରେ ନଳିତା ବିଡ଼ା ଭଳି ଲାଗିଥିଲା। କାରଣ ଆଜି ରାଜଧାନୀର ଦିନର ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରି ରେକର୍ଡ ହୋଇଥିଲା। ଯାହାକି ସ୍ବାଭାବିକ ତାପମାତ୍ରାଠାରୁ ୮.୩ ଡିଗ୍ରି ଅଧିକ। ଏଥିସହ ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ରାଜଧାନୀର ଆର୍ଦ୍ରତା ୫୯% ରହିଥିଲା। ଫଳରେ ରାଜଧାନୀବାସୀ ୫୫ ଡିଗ୍ରି ତାପମାତ୍ରାର ଗରମ ଅନୁଭବ କରିଥିଲେ। ଯାହାକି ଅତ୍ୟନ୍ତ ଅସହ୍ୟ ଓ ଅସ୍ବାଭାବିକ ଥିଲା। ଅନ୍ୟପଟେ ଆଜି ରେକର୍ଡ ହୋଇଥିବା ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ଚଳିତ ବର୍ଷ ଭୁବନେଶ୍ବରର ଆଜି ପର୍ଯ୍ୟନ୍ତର ସବୁଠୁ ଅଧିକ। ଏହାପୂର୍ବରୁ ଏହି ବର୍ଷ ୨୦ ଏପ୍ରିଲରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରି ରେକର୍ଡ ହୋଇଥିଲା। ତେବେ ଆଜି ରାଜଧାନୀରେ ରେକର୍ଡ ହୋଇଥିବା ତାପମାତ୍ରା ଗତ ୧୦ ବର୍ଷରେ ଦ୍ବିତୀୟ। ଏହାପୂର୍ବରୁ ୨୦୧୨ ମସିହା ଜୁନ୍ ୫ରେ ରାଜଧାନୀର ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା ୪୬.୭ ଡିଗ୍ରି ରେକର୍ଡ ହୋଇଥିଲା।
ସୋମବାର ସକାଳୁ ସକାଳୁ ହିଁ ଆରମ୍ଭ ହୋଇଯାଇଥିଲା ଖରା ଯାତନା। ଦିନ ସାଢ଼େ ୧୧ଟା ସୁଦ୍ଧା ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୧.୬ ଡିଗ୍ରିରେ ପହଞ୍ଚି ଯାଇଥିବା ସହ ଆର୍ଦ୍ରତା ଥିଲା ୪୩%। ଏଥିସହ ଦିନ ସାଢ଼େ ୨ଟା ସୁଦ୍ଧା ପାରଦସ୍ତର ୪୩.୮ ଡିଗ୍ରିକୁ ଉଠିଥିଲା ଓ ଆର୍ଦ୍ରତା ୪୦% ରେକର୍ଡ ହୋଇଥିଲା। ଶେଷରେ ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ରାଜଧାନୀର ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରି ରେକର୍ଡ ହେବା ସହ ଆର୍ଦ୍ରତା ୫୯%କୁ ବଢ଼ିଯାଇଥିଲା। ତେବେ ରାଜଧାନୀରେ ଆଜି ରେକର୍ଡ ହୋଇଥିବା ତାପମାତ୍ରା ସର୍ବକାଳୀନ ତାପମାତ୍ରା ନୁହେଁ। ଅପରପକ୍ଷରେ ଆଜି ରାତିରେ କାଳବୈଶାଖୀ ବର୍ଷା ରାଜଧାନୀବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତ କରିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ମେ’ ମାସରୁ ଜୁନ୍ ମାସ ମଧ୍ୟରେ ତାପମାତ୍ରା ବଢ଼ିବା ଯୋଗୁଁ ଉପକୂଳ ଓଡ଼ିଶାରେ ଏହି ସମୟରେ ଗୁଳୁଗୁଳି ବଢ଼ିଯାଏ। ମେ’ରୁ ଧୀରେଧୀରେ ଆର୍ଦ୍ରତା ବଢ଼ି ଉପକୂଳରେ ଗୁଳୁଗୁଳି ବଢ଼ିବାର ଏକ ସ୍ବାଭାବିକ ପ୍ରକ୍ରିୟା। ସାଧାରଣତଃ ଜୁନ୍ ମାସର ଏହି ସମୟ ଆଡ଼କୁ ରାଜ୍ୟ, ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ବର୍ଷା ଆରମ୍ଭ ହୋଇଯାଇ ମୌସୁମୀ ଆସିଯାଇଥାଏ। ଫଳରେ ବର୍ଷା ଯୋଗୁଁ ତାପମାତ୍ରା ଖସିଯାଏ। ଏହି ସମୟରେ ସ୍ବାଭାବିକ ଭାବେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୩ରୁ ୩୫ ଡିଗ୍ରି ମଧ୍ୟରେ ରହିବା କଥା। ଆଜି କିନ୍ତୁ ଆଜି ରାଜଧାନୀର ତାପମାତ୍ରା ୪୪.୩ ଡିଗ୍ରି ରେକର୍ଡ ହୋଇଛି। ଯାହାକି ସ୍ବାଭାବିକଠାରୁ ପ୍ରାୟ ୮.୩ ଡିଗ୍ରି ଅଧିକ। ଖାଲି ଆଜି ନୁହେଁ, ଗତକାଲି ମଧ୍ୟ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୨.୬ ଡିଗ୍ରି ରେକର୍ଡ ହୋଇଥିଲା। ଯାହାକି ସ୍ବାଭାବିକଠାରୁ ୬.୬ ଡିଗ୍ରି ଅଧିକ ରହିଥିଲା। ଆସନ୍ତାକାଲି ମଧ୍ୟ ରାଜଧାନୀ ଭୁବନେଶ୍ବରରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରି ଉପରେ ଓ ଆର୍ଦ୍ରତା ୪୦%ରୁ ଅଧିକ ରହିବ। ଫଳରେ ରାଜଧାନୀବାସୀ ଗରମ, ଗୁଳିଗୁଳି ଅନୁଭବ କରିବେ। ଏଣୁ ପ୍ରଚୁର ତରଳଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ସହ ସିଧାସଳଖ ଖରାରୁ ଦୂରେଇ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
୨ ବୁଲା ବିକାଳି ବେହାସ୍
ଚନ୍ଦ୍ରଶେଖରପୁର: ସୋମବାର ସ୍ଥାନୀୟ ଅଞ୍ଚଳରେ ପ୍ରଚଣ୍ଡ ଖରାରେ ଦୁଇ ବୁଲା ବିକାଳି ରାସ୍ତାରେ ସଂଜ୍ଞାହୀନ ହୋଇପଡ଼ିଥିବା ଜଣାପଡ଼ିଛି। ସେମାନେ ହେଲେ ପଟିଆ ଅଞ୍ଚଳର କୈଳାସ ଦାସ ଓ ସରସ୍ବତୀ ବସ୍ତିର ତାରିଣୀ ବେଜ୍। ତେବେ ସ୍ଥାନୀୟ ଲୋକେ ସେମାନଙ୍କୁ ଠିକଣା ସମୟରେ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇବାରୁ ସେମାନେ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ହସ୍ପିଟାଲ୍ର ଅଂଶୁଘାତ ୱାର୍ଡରେ ସେମାନଙ୍କୁ ଚିକିତ୍ସା କରାଯିବା ପରେ ସଂଧ୍ୟାରେ ଘରେ ଛାଡ଼ି ଦିଆଯାଇଛି। ସୂଚନାନୁଯାୟୀ ମନୋହରି ସାମଗ୍ରୀ ବିକୁଥିବା କୈଳାସ ଶୈଳଶ୍ରୀବିହାର କଲୋନିରେ ବେହୋସ୍ ହୋଇପଡ଼ିଥିବା ବେଳେ ବିସ୍କୁଟ୍, ପାଉଁରୁଟି ବିକୁଥିବା ତାରିଣୀ ଜିଏ କଲୋନିରେ ସଂଜ୍ଞାହୀନ ହୋଇପଡ଼ିଥିଲେ।