ଭୁବନେଶ୍ବର: ଭୁବନେଶ୍ବରର କାୟାବୃଦ୍ଧି ପରେ ରାଜ୍ୟ ସରକାର ସହର ଉପକଣ୍ଠରେ ୪୫ଟି ଅତ୍ୟାଧୁନିକ ସହର(ଟାଉନ୍ ପ୍ଲାନିଂ) ଗଢ଼ୁଛନ୍ତି। ଗୁଜରାଟ ମଡେଲ୍ରେ ଜମି ସଂଗ୍ରହ(ଲ୍ୟାଣ୍ଡ ପୁଲିଂ) ପ୍ରକ୍ରିୟାରେ ଟାଉନ୍ ପ୍ଲାନିଂ ଯୋଜନାକୁ ପୂର୍ଣ୍ଣରୂପ ଦେବାକୁ ଯୋଜନା ହୋଇଛି। କିନ୍ତୁ ୧୦ ବର୍ଷ ତଳର ଏହି ଯୋଜନାରେ ସେତେଟା ଅଗ୍ରଗତି ଦେଖିବାକୁ ମିଳିନି। ବିଶେଷ କରି ପୂର୍ତ୍ତ ବିଭାଗର ମନ୍ଥରତା ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇ ଦେଉନଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଟାଉନ୍ ପ୍ଲାନିଂ ୧, ୨ ଓ ୩ ଭାବେ ୩ ଯୋଜନାର କାମ ଆରମ୍ଭ କରିଛନ୍ତି ସତ, କିନ୍ତୁ ଏହା ପୂର୍ଣ୍ଣରୂପ ନେଇପାରିନି। ଯେଉଁଠି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପିଚୁ ରାସ୍ତା ନିର୍ମାଣ କଲାଣି, ସେଠି ପୂର୍ତ୍ତ ବିଭାଗ ରାସ୍ତା ପାଇଁ ମାଟି ମୁଠେ ପକାଇପାରିନି। କେବଳ ଚିହ୍ନଟ ଜମିରେ ସିମେଣ୍ଟ ଖୁଣ୍ଟି ପୋତି କାମ ସାରିଦେଇଛି। ଏଣୁ ରାଜ୍ୟ ସରକାର ୪୫ଟି ଟାଉନ୍ ପ୍ଲାନିଂକୁ ପୂର୍ଣ୍ଣରୂପ ଦେବାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।
ରାଜ୍ୟ ସରକାର ୨୦୧୪-୧୫ ମସିହାରେ ୬୫ କିମିର ରିଂରୋଡ୍ ସହ ୪୫ଟି ଟାଉନ୍ ପ୍ଲାନିଂ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଥିଲେ। ବିଡିଏ ୪୫ଟି ଟାଉନ୍ ପ୍ଲାନିଂ ଯୋଜନାକୁ ପୂର୍ଣ୍ଣରୂପ ଦେବ। ପୂର୍ତ୍ତ ବିଭାଗ ଟାଉନ୍ ପ୍ଲାନିଂ ଯୋଜନା ଭିତର ଚଉଡ଼ାରାସ୍ତା ସହ ସଂଲଗ୍ନ ରିଂରୋଡ୍ କାମ କରିବ। ଟିପିସିଓଡିଏଲ୍ ବିଜୁଳି ଓ ୱାଟ୍କୋ ପାଣି ସଂଯୋଗ ଦେବେ। ଟାଉନ୍ ପ୍ଲାନିଂ ଅଞ୍ଚଳର ପୂର୍ଣ୍ଣାଙ୍ଗ ବିକାଶ ପୂର୍ବରୁ ରାସ୍ତା, ଡ୍ରେନ୍ ସଂଯୋଗୀକରଣ ପ୍ରମୁଖ ଆବଶ୍ୟକତା। ବିଡିଏ ୯, ୧୨, ୧୫ ଓ ୧୮ ମିଟର ଚଉଡ଼ା ରାସ୍ତା ଓ ପୂର୍ତ୍ତ ବିଭାଗ ୧୮ ଫୁଟରୁ ୬୦ ଫୁଟ ଚଉଡ଼ା ରାସ୍ତା ନିର୍ମାଣ କରୁଛି। ଟାଉନ୍ ପ୍ଲାନିଂ ଯୋଜନା-୧, ୨ ଓ ୩ ଅଞ୍ଚଳରେ ୯ରୁ ୧୮ ମିଟର ରାସ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ପୂର୍ତ୍ତ ବିଭାଗ ନେଇଥିବା ରାସ୍ତା ଜମାରୁ ଆରମ୍ଭ ହୋଇନି। କେବଳ କିଛି କଲଭର୍ଟ ନିର୍ମାଣ ହୋଇଛି।
ବାକି ଜାଗା ଚିହ୍ନଟ ପାଇଁ କେବଳ ସିମେଣ୍ଟ ଖୁଣ୍ଟ ପୋତାହୋଇଛି। ୧, ୨ ଓ ୩ ଟାଉନ୍ ପ୍ଲାନିଂ ଭିତର ଓ ରିଂ ରୋଡ୍ ମିଶାଇ ପ୍ରାୟ ୧୪ କିଲୋମିଟର ରାସ୍ତା ୧୮ରୁ ୬୦ ମିଟର ଚଉଡ଼ା ହେବ। ପୂର୍ତ୍ତ ବିଭାଗ ତିନିଟି ଠିକାସଂସ୍ଥାକୁ ଏହାର ଟେଣ୍ଡର ଦେଇଛି। କାଳିକା ଷ୍ଟୋନ୍ ୱାର୍କସ ସଂସ୍ଥା ପ୍ରାୟ ୪୬.୫୩ କୋଟି ଟଙ୍କାରେ ୫.୪୦ କିଲୋମିଟର ରାସ୍ତା, ଆରକେଡି କନ୍ଷ୍ଟ୍ରକ୍ସନ୍ ୧୭.୬୯ କୋଟି ଟଙ୍କାରେ ୨.୮୭ କିଲୋମିଟର ରାସ୍ତା ଓ ପ୍ରମୋଦ କୁମାର ସ୍ବାଇଁ ୩୦.୨୬ କୋଟି ଟଙ୍କାରେ ୬.୦୪ କିଲୋମିଟର ରାସ୍ତା ନିର୍ମାଣର ଟେଣ୍ଡର ନେଇଛନ୍ତି। କିନ୍ତୁ କାମର ଅଗ୍ରଗତି ଦେଖିଲେ, କାଳିକା ଷ୍ଟୋନ୍ ୱାର୍କସ ମାତ୍ର ୧୪ ପ୍ରତିଶତ କାମ କରିଥିବା ବେଳେ ଆରକେଡି କନ୍ଷ୍ଟ୍ରକସନ୍ ୬୧.୦୭ ପ୍ରତିଶତ ଓ ପ୍ରମୋଦ କୁମାର ସ୍ବାଇଁ ୨୨.୮୩ ପ୍ରତିଶତ କାମ କରିଛନ୍ତି। ପୂର୍ତ୍ତ ଓ ବିଡିଏ କାମକୁ ତୁଳନା କଲେ ଆକାଶପାତାଳ ଫରକ। ବିଡିଏ ତିନି ଟାଉନ୍ ପ୍ଲାନିଂରେ ରାସ୍ତା, ଡ୍ରେନ୍ କାମ ପ୍ରାୟ ଶେଷ କରି ସାରିଲାଣି। ଅଧିକାଂଶ ରାସ୍ତା ପିଚୁ ହୋଇଗଲାଣି। ବିଡିଏ କର୍ତ୍ତୃପକ୍ଷ କହିଛନ୍ତି, ଯେହେତୁ ରିଂରୋଡ୍ କି ଅନ୍ୟ ସଂଲଗ୍ନ ଚଉଡ଼ା ରାସ୍ତା ହୋଇନି, ଅଗ୍ରୀମ ଟଙ୍କା ଦେଇଥିଲେ ବି ଟାଉନ୍ ପ୍ଲାନିଂ ଅଞ୍ଚଳକୁ ପାଣି, ବିଜୁଳି ସଂଯୋଗ ମିଳିପାରୁନି। ସେପଟେ ପାଣି, ବିଜୁଳି ସଂଯୋଗ ଦେବା ପାଇଁ ରାସ୍ତା ଖୋଳିବାକୁ ପଡ଼ିବ। ଏଣୁ ସବୁ ରାସ୍ତାକୁ ପିଚୁ କରିବା ପୂର୍ବରୁ ଅନେକ ଥର ଭାବିବାକୁ ପଡ଼ୁଛି। ଯେତେଶୀଘ୍ର ରିଂରୋଡ୍ ଓ ଅନ୍ୟ ଚଉଡ଼ା ରାସ୍ତା ସରିଯିବ, ସେତେଶୀଘ୍ର ଟାଉନ୍ ପ୍ଲାନିଂ ଭିତର ଅଞ୍ଚଳ ବିକାଶ ହେବ। ଅପରପକ୍ଷେ ପୂର୍ତ୍ତ ବିଭାଗର ତିନି ଠିକାସଂସ୍ଥା କାରଣ ଦର୍ଶାଇଛନ୍ତି କି ଏନ୍ଟିପିସିରୁ ଫ୍ଲାଏ ଆସ୍ ଆସି ରିଂ ରୋଡ୍ ଓ ଟାଉନ୍ ପ୍ଲାନିଂ ଭିତର ଚଉଡ଼ା ରାସ୍ତା ନିର୍ମାଣ କାମ ହେବା କଥା। କିନ୍ତୁ ସେଠାରୁ ଫ୍ଲାଏ ଆସ୍ ମିଳିପାରୁନି। ଯେଉଁଥିପାଇଁ କାମ ଆଗେଇ ପାରୁନି।