ଭୁବନେଶ୍ୱର: ହକି ବିଶ୍ବକପ୍ ସମୟରେ ରାଜଧାନୀର ସୌନ୍ଦର୍ଯ୍ୟ ଆଖି ଝଲସାଇଦେଇଥିଲା। ରାସ୍ତାଘାଟରେ ରଙ୍ଗ, ରାଜରାସ୍ତା କଡ଼ର ଗଛପତ୍ରରେ ରଙ୍ଗିନ୍‌ ଆଲୋକମାଳା, ସୁନ୍ଦର ସୁନ୍ଦର ଡଷ୍ଟବିନ୍‌ ଓ ପ୍ରମୁଖ ଛକରେ ସୁନ୍ଦର ସୁନ୍ଦର ମୂର୍ତ୍ତି ଭୁବନେଶ୍ବରକୁ ନୂଆ ରୂପ ଦେଇଥିଲା। ମାତ୍ର ଏବେ ସେସବୁ କିଛି ନାହିଁ। ମାତ୍ର ୩ ମାସ ଭିତରେ ସବୁ କିଛି ହଜିଯାଇଛି ଏବଂ ଭୁବନେଶ୍ବର ତା’ର ପୁରୁଣା ରୂପକୁ ଫେରିପାଇଛି। ରାସ୍ତାରୁ ରଙ୍ଗ ଉଡ଼ିଯାଇଥିବା ବେଳେ ସୁନ୍ଦର ଡଷ୍ଟବିନ୍‌ ସବୁ ଗାଏବ୍ ହୋଇଯାଇଛି। ସେହିଭଳି ଯେଉଁ ଗଛ ରଙ୍ଗିନ୍‌ ଆଲୋକରେ ଝଲମଲ କରୁଥିଲା, ଏବେ ତା’ ମୂଳରେ ଆବର୍ଜନା ପାହାଡ଼ ମୁଣ୍ଡ ଟେକିଛି। ତେଣୁ ମାତ୍ର ୩ ମାସରେ କୋଟି କୋଟି ଟଙ୍କା ପାଣିରେ ବୋହିଗଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଠିକାଦାର ପୋଷିବା ସହ ଭିନ୍ନ ଲକ୍ଷ୍ୟ‌ରେ ଏଭଳି କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି।

ସୂଚନାଯୋଗ୍ୟ ଯେ ହକି ବିଶ୍ବକପ୍‌ ପୂର୍ବରୁ ରାଜଧାନୀର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ପାର୍କ, ସ୍ମାର୍ଟ ଜନପଥ, ମନ୍ଦିର, ଐତିହ୍ୟ କୀର୍ତ୍ତିରାଜି ସବୁସ୍ଥାନକୁ ସଜେଇ ଦିଆଯାଇଥିଲା। ବିଏମ୍‌ସି, ବିଡିଏ, ପୂର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମି‌ଟେଡ୍‌, କ୍ରୁଟ୍‌, ୱାଟ୍‌କୋ, ଗେଲ୍‌ ଓ କମିସନରେଟ୍‌ ପୁଲିସ ମିଳିତ ଭାବେ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟରେ ଲାଗିପଡ଼ିଥିଲେ। କିନ୍ତୁ ବିଶ୍ୱକପ୍‌ ସରିବା ପରେ ପରେ ଆଉ କେହି ସେହି ସୌନ୍ଦର୍ଯ୍ୟୀକରଣର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦେଲେନାହିଁ। ଫଳରେ ମାତ୍ର ୩ଟା ମାସରେ ଭୁଶୁଡ଼ି ଗଲା ସବୁ କୃତ୍ରିମ ସୌନ୍ଦର୍ଯ୍ୟ। ସେତେବେଳେ ସହରର ୮୦ କିମି ରାସ୍ତାର ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। ମଧୁସୂଦନ ମାର୍ଗର ସୌନ୍ଦର୍ଯ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ରାସ୍ତାରେ ସୁନ୍ଦର ଆଲୋକୀକରଣ ସାଙ୍ଗକୁ ବିଭିନ୍ନ ରଙ୍ଗର ଗୋଲେଇ କରାଯାଇଥିଲା। ମାତ୍ର ବର୍ତ୍ତମାନ ସେସବୁ ଲିଭିଗଲାଣି ଏବଂ ଚିତ୍ର ଥିବା ସ୍ଥାନରେ ପାନ ପିକ ଭର୍ତ୍ତି ହୋଇଗଲାଣି। କେବଳ ସେତିକି ନୁହେଁ, ରାସ୍ତାର କଡ଼ରେ ପଡ଼ିଥିବା ପେଭର ବ୍ଲକ୍‌ ମଧ୍ୟ ଭାଙ୍ଗି ଗଲାଣି। ସେହିପରି ଆଚାର୍ଯ୍ୟବିହାର ଛକରୁ ସୈନିକ ସ୍କୁଲ୍‌କୁ ଲମ୍ବିଥିବା ରାସ୍ତାର ଅବସ୍ଥା ମଧ୍ୟ ସମାନ।

ଏହି ରାସ୍ତାରେ ଶୟନମୁଦ୍ରାରେ ଥିବା ସୁନ୍ଦରୀ ମତ୍ସ୍ୟକନ୍ୟା ଲାଞ୍ଜରୁ ରଙ୍ଗ ଛାଡ଼ିଯାଇଛି। ନିକଟସ୍ଥ ଧଳା ରଙ୍ଗର ମାଠିଆଟି ଏବେ ଡଷ୍ଟବିନ୍‌ରେ ପରିଣତ ହୋଇଯାଇଛି। ସେହିଭଳି ସୌନ୍ଦର୍ଯ୍ୟୀକରଣ ପାଇଁ ଲାଗିଥିବା ଗଛମୂଳରେ ଲୋକେ ଆବର୍ଜନା ଗଦା କରିଛନ୍ତି। ସେହିପରି ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ସେଲ୍‌ଫି ପଏଣ୍ଟ ବି ସେତେବେଳର ଆକର୍ଷଣ ହରାଇଛି। ‘ଆଇ ଲଭ୍‌ ଭୁବନେଶ୍ୱର’ର ମଧ୍ୟ ଅନୁରୂପ ଅବସ୍ଥା। ଅକ୍ଷରଗୁଡ଼ାକରେ କେଉଁଠି ଗାତ ହୋଇଯାଇଥିବା ବେଳେ କେଉଁଠି ଫାଟି ଗଲାଣି। ସେହିପରି ବିଭିନ୍ନ ଛକରେ ଥିବା ରଙ୍ଗିନ୍‌ ପିଣ୍ଡିଗୁଡ଼ିକ ଭାଙ୍ଗି ଗଲାଣି। ମହର୍ଷି କଲେଜ ସମ୍ମୁଖ ରାସ୍ତାରେ ଥିବା ବାଉଁଶ ବ୍ୟାରିକେଡ୍‌ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି ଏବଂ ବାଉଁଶ ସବୁ କଦର୍ଯ୍ୟ ଭାବେ ଓହଳିଛି।