ଭୁବନେଶ୍ବର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ସାରା ରାଜ୍ୟରେ ବି ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ପ୍ରାୟ ସମସ୍ତ କୋଭିଡ୍ ହସ୍ପିଟାଲରେ ଅଧାରୁ ଅଧିକ ଶଯ୍ୟା ଖାଲି ରହିଛି। ତେଣୁ କୋଭିଡ୍ ହସ୍ପିଟାଲର ଶଯ୍ୟା କମାଇବାକୁ ବିଏମ୍ସି ଯୋଜନା କରିଛି। ଯେଉଁ କୋଭିଡ୍ ହସ୍ପିଟାଲରେ ଯେତିକି ଆଇସିୟୁ ଶଯ୍ୟା ଥିବ ସେଠାରେ ସେତିକି ସାଧାରଣ ଶଯ୍ୟା ରଖାଯିବ। ଏନେଇ ବିଏମ୍ସି ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଥିବାବେଳେ ଦିନେ ଦୁଇ ଦିନ ମଧ୍ୟରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।
ବିଏମ୍ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କମିଲାଣି। ବାହାର ଜିଲ୍ଲାରୁ ଯେଉଁଭଳି ଆକ୍ରାନ୍ତ ଭୁବନେଶ୍ବର ଆସୁଥିଲେ ଏବେ ସେହିଭଳି ଆସୁନାହାନ୍ତି। ରାଜଧାନୀରେ ପ୍ରାୟ ୮୦% ଆକ୍ରାନ୍ତ ଗୃହ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି। ଯେଉଁମାନେ ହସ୍ପିଟାଲ ଯାଉଛନ୍ତି ସେଥିରୁ ଅଧିକାଂଶ ଗୁରୁତର ଅବସ୍ଥାରେ ଯାଉଛନ୍ତି କିମ୍ବା ସେମାନଙ୍କର ଅନ୍ୟ କିଛି ରୋଗ ଥିଲେ ଯାଉଛନ୍ତି। ବାହାର ରାଜ୍ୟରୁ କେବଳ ଗୁରୁତର ଆକ୍ରାନ୍ତ ଆସୁଛନ୍ତି। ତେଣୁ କୌଣସି କୋଭିଡ୍ ହସ୍ପିଟାଲରେ ଆଇସିୟୁ ଶଯ୍ୟା ନକମାଇ ସାଧାରଣ ୱାର୍ଡ କମାଇବାକୁ ନିଷ୍ପତ୍ତି ହୋଇଛି। ହେଲେ ସମ୍, କିମ୍ସ କୋଭିଡ୍ ହସ୍ପିଟାଲ ପାଇଁ ଏମ୍ସିଏଲ୍ ଓ ଓଏମ୍ସି ଅର୍ଥ ଦେଉଥିବାରୁ ସେମାନଙ୍କ ସହ ବି ଆଲୋଚନା କରାଯିବ। କେତେ ଶଯ୍ୟା କମାଗଲା, କେତେ ଶଯ୍ୟା ରହିଲା ତାହା ତାଙ୍କୁ ଜଣାଯିବ।
ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଏବେ ପଟିଆସ୍ଥିତ କୋଭିଡ୍ କେୟାର ସେଣ୍ଟରରେ ୬୦ଟି ଶଯ୍ୟା ଅଛି। ବାକି ସମସ୍ତ କୋଭିଡ୍ କେୟାର ସେଣ୍ଟର ବନ୍ଦ କରିଦିଆଯାଇଛି। ଏଥିରେ ହାଇଟେକ୍ କୋଭିଡ୍ କେୟାର ସେଣ୍ଟରରେ ଥିବା ୫୦୦ ଶଯ୍ୟା, ଡୁମଡୁମା ସିସିସିରେ ଥିବା ୬୦ଟି ଶଯ୍ୟା, ଜାମୁଝରୀ ସିସିସିରେ ଥିବା ୪୮୦ଟି ଶଯ୍ୟା, ଜଟଣୀ ସିସିସିରେ ଥିବା ୩୦୦ଟି ଶଯ୍ୟା, ପୋଖରୀପୁଟରେ ଥିବା ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ବନ୍ଦ ହୋଇଯାଇଛି। ଏବେ କେବଳ ୭ଟି କୋଭିଡ୍ ହସ୍ପିଟାଲ ଏବଂ ଗୋଟିଏ କୋଭିଡ୍ କେୟାର ସେଣ୍ଟରରେ କରୋନା ଆକ୍ରାନ୍ତ ଚିକିତ୍ସା ହେବାର ସୁବିଧା ଅଛି। ଏହାବ୍ୟତୀତ ୩୦ରୁ ଅଧିକ ଶଯ୍ୟା ଥିବା ସମସ୍ତ ଘରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ୫୦% ଶଯ୍ୟା ଅଛି।