ଭୁବନେଶ୍ବର: ଆଜି ମାତ୍ର ଅଧଘଣ୍ଟାର ବର୍ଷାରେ ବୁଡ଼ିଛି ରାଜଧାନୀ ଭୁବନେଶ୍ବର। ସହରତଳି ଅଞ୍ଚଳ ଭିନ୍ନ କଥା, ଏହି ବର୍ଷାରେ ଉବୁଟୁବୁ ହୋଇଛି ରାଜଧାନୀର ପ୍ରମୁଖ ରାସ୍ତାଘାଟ। କଲବଲ ହୋଇଛନ୍ତି ରାଜଧାନୀବାସୀଙ୍କ ସହ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଆଗନ୍ତୁକ। ଏହି ବର୍ଷା ବିତ୍ପାତ କେବଳ ରାଜଧାନୀର ଜନଜୀବନକୁ ପ୍ରଭାବିତ କରିନି, ପରିବହନ ସେବାକୁ ବି ଗୁରୁତର ପ୍ରଭାବିତ କରିଛି। ମାଷ୍ଟରକ୍ୟାଣ୍ଟିନ୍, ବାଣୀବିହାର, ରାଜମହଲ ଆଦି ଅଞ୍ଚଳରେ ପାଣି ଜମିବାରୁ ଗାଡ଼ିମୋଟର ଚଳାଚଳ ଠପ୍ ହୋଇଛି ଓ ଗୁରୁତର ଟ୍ରାଫିକ୍ ସମସ୍ୟା ଉପୁଜିଛି। ବସ୍, ଚାରିଚକିଆ, ତିନିଚକିଆ, ଦୁଇଚକିଆ ସହ ଲୋକେ ଘଣ୍ଟା ଘଣ୍ଟା ଭିଡ଼ରେ ଫସି କଲବଲ ହୋଇଛନ୍ତି। ଜନପଥ ଓ ଅନ୍ୟାନ୍ୟ ଜାଗାରେ ଦୁଇଚକିଆ ଗାଡ଼ି ଭାସିଯିବାର ବି ଦେଖିବାକୁ ମିଳିଛି। ବମିଖାଲ, ରସୁଲଗଡ଼, ରାଜମହଲ, ବାଣୀବିହାର, ପାୱାର ହାଉସ୍ ଛକ, ଇସ୍କନ୍ ମନ୍ଦିର ସମ୍ମୁଖ ରାସ୍ତା, ସବୁଠି ସ୍ଥିତି ସମାନ। ସବୁଠି ଅଢ଼େଇରୁ ୩ ଫୁଟ ଉଚ୍ଚରେ ପାଣି ଲହଡ଼ି ମାରିଛି।
/filters:format(webp)/sambad/media/media_files/2025/10/09/untitled-16-2025-10-09-07-19-27.jpg)
ସେପଟେ ଆଜି ଲୋକେ ଜଳବନ୍ଦି ସମସ୍ୟା ଭୋଗିଛନ୍ତି। ଲୋକଙ୍କ ଘରେ ବର୍ଷା ପାଣି ମିଶା ନାଳପାଣି ପଶିଛି। ସରକାରୀ କ୍ବାର୍ଟର୍ସ ବି ଏଥିରୁ ବାଦ୍ ପଡ଼ିନି। ପାଣି ଭିତରେ ଆସବାବ ଛାଡ଼ି ଛାତ ଉପରେ ଅବା ସିଡିରେ ଲୋକେ ଆଶ୍ରୟ ନେଇଛନ୍ତି। ରସୁଲଗଡ଼ ଶବର ସାହି ଓ ଅନ୍ୟାନ୍ୟ ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏଭଳି ଦୟନୀୟ ସ୍ଥିତି ଭୁବନେଶ୍ବର ମହାନଗର ନିଗମ ଓ ନଗର ଉନ୍ନୟନ ବିଭାଗର ବିଫଳତାକୁ ବଖାଣିଛି।
/filters:format(webp)/sambad/media/media_files/2025/10/09/untitled-17-2025-10-09-07-20-04.jpg)
ରାଜଧାନୀର ଏଭଳି ଦୟନୀୟ ସ୍ଥିତି ଆଜିର ନୁହେଁ। ଯେବେ ବି ବର୍ଷା ହେଉଛି, ସେବେ ରାଜଧାନୀ ଉବୁଟୁବୁ ହେଉଛି। ପ୍ରମୁଖ କାରଣ ବର୍ଷା ଜଳ ନିଷ୍କାସନ ବାଟ ବନ୍ଦ। କେଉଁଠି ଜବରଦଖଲ ତ’ କେଉଁଠି ନାଳ ଜାମ୍। ଆଉ କେଉଁଠି ନାଳ ଉଚ୍ଚତା ଅଧିକ। ପରିଣାମ ସ୍ବରୂପ ରାଜଧାନୀର ନାଳରେ ପାଣି ନିଷ୍କାସନ ନ ହୋଇପାରି ନାଳପାଣି ମିଶା ବର୍ଷା ପାଣି ରାସ୍ତାରେ ଲହଡ଼ି ମାରୁଛି ଓ ଘରେ ପଶୁଛି। ତଥାପି ଭୁବନେଶ୍ବର ମହାନଗର ନିଗମ ହେଉ କି ରାଜ୍ୟ ନଗର ଉନ୍ନୟନ ବିଭାଗ, ଏହାର ସ୍ଥାୟୀ ପ୍ରତିକାର ନ କରିପାରିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲ ଓ ରାଜଧାନୀବାସୀ ମତ ଦେଇଛନ୍ତି।
ଆସନ୍ତା ୧୦ ତାରିଖରେ ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ ପାଇଁ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷକରି ଉପକୂଳ ଓ ଉତ୍ତର-ଅଭ୍ୟନ୍ତରୀଣ ଓଡ଼ିଶାରେ ଏହାର ତୀବ୍ରତା ଅଧିକ ରହିପାରେ। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହାର ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ଏଣୁ ଆଜିଠାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ୨୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ମାଲକାନଗିରି, କୋରାପୁଟ ପ୍ରମୁଖ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୦ ତାରିଖ ପାଇଁ ସାରା ଓଡ଼ିଶାର ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାର ପ୍ରଭାବ ଆଜିଠାରୁ ଅନୁଭୂତ ହୋଇଛି। ଆଜି ଅପରାହ୍ଣ ପ୍ରାୟ ୧ଟାରୁ ଅଧଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲା। ଫଳରେ ରାଜଧାନୀର ମୁଖ୍ୟ ରାସ୍ତାରେ ପାଣି ଜମିବା ସହ ପରିବହନ ସେବାକୁ ଠପ୍ କରି ଦେଇଥିଲା। ପାଣି ଖସିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲେ ବି ଲୋକଙ୍କ ମନରେ ବର୍ଷାକୁ ନେଇ ଛନକା ପଶିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/09/untitled-15-2025-10-09-07-18-28.jpg)