ଆରମ୍ଭ ହେଲା ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା

ଭୁବନେଶ୍ବର: ପ୍ରାଥା, ପରମ୍ପରା ଓ ପରିପାଟୀ ମଧ୍ୟରେ ବଞ୍ଚି ରହିଥିବା ଓଡ଼ିଆଙ୍କର ପରିଚୟ ସହ ଭାଷା, ସଂସ୍କୃତି ତଥା ଓଡ଼ିଆ ଅସ୍ମିତାର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଲକ୍ଷ୍ୟରେ ସଂଭାବନା ଟ୍ରଷ୍ଟ ପକ୍ଷରୁ ଓଡ଼ିଆ ମହୋତ୍ସବ-୨୦୨୧ରେ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୟୁନିଟ୍-୨ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଆଣୀମାନଙ୍କ ଭଳିକି ଭଳି ସୁସ୍ୱାଦୁ ପିଠାର ବାସ୍ନା ଓ ଶଙ୍ଖଫୁଙ୍କା ମଧ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଚିତ୍ରାଙ୍କନ ପ୍ରତିଯୋଗିତାରୁ ଶିଶୁ-କିଶୋର ଓଡ଼ିଆ ସ୍ୱାଭିମାନ ପ୍ରତିଯୋଗିତାର ମଧ୍ୟ ଶୁଭାରମ୍ଭ ହୋଇଛି। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଯୋଗଦେଇ କହିଥିଲେ, ଆମ ରାଜ୍ୟର ପ୍ରକୃତିକ ସମ୍ପଦ ଲୁଟ୍ ହେଉଛି। ଯହା ଫଳରେ ଆମ ରା଼ଜ୍ୟର ବିକାଶ ହେଇପାରୁନାହିଁ। ବରିଷ୍ଠ ସାହିତ୍ୟିକ ଦାଶ ବେନହୁର ଓଡ଼ିଆଙ୍କ ତିନୋଟି ପରିଚୟ ଜଗନ୍ନାଥ, ଲକ୍ଷ୍ମୀପୁରାଣ ଓ ଓଡ଼ିଆ ଭାଷା ବୋଲି କହିଥିଲେ। କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ୨୦୧୯ର ଶ୍ରେଷ୍ଠ ଓଡ଼ିଆଣୀ ମୀନା ପାଣିଗ୍ରାହୀ, ଓଡ଼ିଆଣୀ ସମିତିର ସଂଯୋଜିକା ସୌଦାମିନୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
ସଂଭାବନାର ପରିଚାଳନା ଟ୍ରଷ୍ଟି ଦେବ ପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିଲେ। ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ଆର୍ଯ୍ୟା ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ସନ୍ତୋଷ ପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅଭୀପ୍‌ସା ଭଞ୍ଜ ଅଭିନୟ ପରିବେଷଣ କରିଥିଲେ। ଅର୍ଣ୍ଣବ ପଣ୍ଡା,ବିପୁଲ ଓ ଛନ୍ଦା ମିଶ୍ର ପ୍ରମୁଖ ଓଡ଼ିଆ ସଙ୍ଗୀତ ଗାନ କରିଥିଲେ।

ସମ୍ବନ୍ଧିତ ଖବର