ଉଦ୍‌ଯାପିତ ହେଲା ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା

୨୭ରେ ଘୋଷଣା ହେବ ବିଜେତା

ଭୁବନେଶ୍ବର: ସଂଭାବନା ଟ୍ରଷ୍ଟ ପକ୍ଷରୁ ଏକାମ୍ର ହାଟରେ ଚାଲିଥିବା ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଓ ଓଡ଼ିଆ ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆଣୀ ବେଶଭୂଷା, ହୁଳହୁଳି ପ୍ରତିଯୋଗିତା ଓ ମୁଁ ଓଡ଼ିଆଣୀ ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ଭାଗ ନେଇ ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ ସଂପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ଓଡ଼ିଆଣୀ ବେଶଭୂଷା ଦକ୍ଷତାର ବିଚାରକ ଭାବେ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପାଢ଼ୀ, ଅମ୍ବୁଜ ଶତପଥୀ, ଓଡ଼ିଆ ଭାଷା ସାହିତ୍ୟ ଅଧ୍ୟାପକ ସନ୍ତୋଷ ତ୍ରିପାଠୀ ଯୋଗ ଦେଇଥିଲେ। ଆସନ୍ତା ୨୭ତାରିଖ ଦିନ ଜୟଦେବ ଭବନ ପ୍ରେକ୍ଷାଳୟରେ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ଫଳାଫଳ ଘୋଷଣା ହେବା ନେଇ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

ଟ୍ରଷ୍ଟର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ସଂଯୋଜନାରେ ଆଜି ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଣାଶୁଣା କଣ୍ଠଶିଳ୍ପୀମାନେ ସଂଗୀତ ଓ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ, ସମ୍ବଲପୁରୀ ଓ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ। ସଂଭାବନାର ଅକ୍ଷଧ୍ୟ ଶରତ ଚନ୍ଦ୍ର ଭଦ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି, ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଓ ୨୦୨୧ର ଶ୍ରେଷ୍ଠ ଓଡ଼ିଆଣୀ ରଶ୍ମି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରଷ୍ଟର ସଂପାଦକ ଦେବପ୍ରସାଦ ପରିଜା ସ୍ବାଗତ ଭାଷଣ ଦେଇଥିବା ବେଳେ ସଦସ୍ୟା ଛନ୍ଦା ମିଶ୍ର, ରାଜଶ୍ରୀ ଶଥପଥୀ, ପ୍ରଫୁଲ୍ଲ ଦେ, ସତ୍ୟବ୍ରତ ମହାପାତ୍ର, ଗୁରୁ ପ୍ରସାଦ ଦାସ ଓ ଅଭିରାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରତିଯୋଗିତାର ଦ୍ବିତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର