ଭୁବନେଶ୍ବର: ଭୁବନେଶ୍ବର ମେଟ୍ରୋ ରେଳ ନିର୍ମାଣ ଦାୟିତ୍ବ ନେଇଥିବା ରଞ୍ଜିତ ବିଲ୍ଡକନ୍ ଟେଣ୍ଡର ବାତିଲ ଦାବିରେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରଣଜିତ ପାତ୍ରଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀ ସହିଦନଗରସ୍ଥିତ ଭବାନୀ ମଲ୍ରେ ଥିବା ଭୁବନେଶ୍ବର ମେଟ୍ରୋ ରେଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଯୁବ କଂଗ୍ରେସ କର୍ମୀ ଭବାନୀ ମଲ୍ ଭିତରକୁ ପ୍ରବେଶ କଲା ବେଳେ ପୁଲିସ ପକ୍ଷରୁ ବିରୋଧ କରାଯାଇଥିଲା। ପୁଲିସ କର୍ଡନ ଭାଙ୍ଗି ମଲ୍ ଭିତରେ ପ୍ରବେଶ କରିଥିଲେ। କିଛି ସମୟର ଧାରଣା ପରେ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କର୍ତ୍ତୃପକ୍ଷ ଧାରଣାସ୍ଥଳକୁ ଆସ ଯୁବ କଂଗ୍ରେସର ସ୍ମାରକପତ୍ର ଗ୍ରହଣ କରିଥିଲେ।
ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରଞ୍ଜିତ ବିଲ୍ଡକନ୍ ଏକ କଳାତାଲିକାଭୁକ୍ତ କମ୍ପାନି ଜାଣିବା ପରେ ବି ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାକୁ କିଭଳି ଟେଣ୍ଡର ପ୍ରକ୍ରିୟାରେ ସୁଯୋଗ ଦେଲେ? ଭୁବନେଶ୍ବର ମେଟ୍ରୋ ରେଳ ନିଗମ ମଧ୍ୟ ଏହି ଠକ କମ୍ପାନିକୁ ବିରୋଧ କଲାନାହିଁ। ରାଜ୍ୟ ସରକାର ମେଟ୍ରୋର ସମସ୍ତ ଖର୍ଚ୍ଚ ବହନ କରୁଥିବା ବେଳେ ଏଥିରେ ହସ୍ତକ୍ଷେପ ନ କରି ଚୁପ୍ ବସିଛନ୍ତି। ବିଭିନ୍ନ ସ୍ଥାନରେ ଏହି କମ୍ପାନି ନିର୍ମାଣ କରିଥିବା ବ୍ରିଜ୍ ପୂର୍ବରୁ ଭୁଶୁଡ଼ି ପଡ଼ିଥିଲା। ତେଣୁ ଭୁବନେଶ୍ବର ମେଟ୍ରୋ କାମ ନିମ୍ନମାନର ହେବା ସହ ଏଥିରେ ଯାତ୍ରା କରିବା ବିପଦପୂର୍ଣ୍ଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ହେଲେ ମୁଖ୍ୟମନ୍ତ୍ରୀ ଓ ଭୁବନେଶ୍ବର ସାଂସଦ ଏହି ଘଟଣାରେ ମୁହଁ ଖୋଲୁ ନାହାନ୍ତି। ମାତ୍ର ଯୁବ କଂଗ୍ରେସ ରାଜ୍ୟବାସୀଙ୍କ ସ୍ବାର୍ଥ ଓ ସୁରକ୍ଷା ପାଇଁ ଲଢ଼େଇ କରିବ। ରଞ୍ଜିତ ବିଲ୍ଡକନ୍ର ଟେଣ୍ଡର ବାତିଲ କରାଯାଇ ଅନ୍ୟ ଯୋଗ୍ୟ କମ୍ପାନିକୁ ଏହାର ନିର୍ମାଣ କାର୍ଯ୍ୟଭାର ଦିଆଯାଉ। ଯଦି ଟେଣ୍ଡର ବାତିଲ ନ ହୁଏ ତାହାଲେ ଯୁବ କଂଗ୍ରେସ ରେଳ ପ୍ରକଳ୍ପ ନିର୍ମାଣ ସ୍ଥଳକୁ ଯାଇ କାର୍ଯ୍ୟ ବନ୍ଦ କରିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭରେ ୟାସିର ନୱାଜ, ମନୋଜ ବିଶ୍ବାଳ, ଉଦିତ ପ୍ରଧାନ, କିରଣ ସାହୁ, ଅଜୟ ସାହୁ, ନିହାର ବେହେରା, ମହମ୍ମଦ ଗୁଲଫାମ, ରଜନୀ ମହାନ୍ତି, ଶାହରୁଖ ଖାନ, ସୌମ୍ୟ ବରାଳ, ରାଜେଶ ଦାସ, ସୁରଜ ରାଉତ ଓ ଅନ୍ୟମାନେ ସାମିଲ ହୋଇଥିଲେ।