କାର୍‌ରେ ବାଇକ୍‌ ବାଜିଗଲା ବୋଲି… ରାସ୍ତା ଉପରେ ଡାକ୍ତରଙ୍କୁ ଛୁରାମାଡ଼

ରାସ୍ତା ଉପରେ ଡାକ୍ତରଙ୍କୁ ଛୁରାମାଡ଼

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଆତଙ୍କ ଖେଳାଉଛନ୍ତି ଅସାମାଜିକ, ଅପରାଧୀ। କଥାକଥାକେ ଛୁରାମାଡ଼, ମାରଣାସ୍ତ୍ରରେ ଆକ୍ରମଣ ଭଳି ଘଟଣା ଘଟୁଛି। ମାଷ୍ଟରକ୍ୟାଣ୍ଟିନରେ ଅପରାଧୀଙ୍କ ଆତଙ୍କରାଜ, ପଳାଶୁଣୀ ମୁଣ୍ଡାସାହିରେ ବର୍ବରକାଣ୍ଡ ଘଟଣା ରାଜଧାନୀବାସୀଙ୍କ ମନରୁ ନ ଲିଭୁଣି ଆଜି ଆଉ ଏକ ସାଂଘାତିକ ଚିତ୍ର ଦେଖିବାକୁ ମିଳିଛି। କାର୍‌ରେ ବାଇକ୍‌ ବାଜିଯିବା ଘଟଣାକୁ ନେଇ ଜଣେ ଡାକ୍ତରଙ୍କୁ ଛୁରାମାଡ଼ ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ଡାକ୍ତରଙ୍କ ହାତରେ ଛୁରାମାଡ଼ ହେବାରୁ ସେ ଆହତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ ଅଭିଯୁକ୍ତ କାର୍‌ ଚାଳକ ସୋନୁ ପଟ୍ଟନାୟକକୁ ଗିରଫ କରିବା ସହ ଛୁରି ଜବତ କରିଛି। ଏ ସଂକ୍ରାନ୍ତରେ ଡାକ୍ତର ଆଶୁତୋଷ ପ୍ରଧାନଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରି ଥାନାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି।

ପୁଲିସ ସୂଚନା ଅନୁସାରେ, ଆଶୁତୋଷ କୋରାପୁଟ ସୁନାବେଡ଼ାରେ ଡାକ୍ତର ଅଛନ୍ତି। ସେ ଭୁବନେଶ୍ବରରେ ତାଙ୍କ ସାଙ୍ଗ ଘରକୁ ବୁଲିବାକୁ ଆସିଥିଲେ। ସାଙ୍ଗର ବିଏମଡବ୍ଲୁ ବାଇକ୍ ଧରି ଖଣ୍ଡଗିରିରୁ ଜାଗମରା ରାସ୍ତାରେ ଯାଉଥିଲେ। ଜାଗମରା ଛକ ପୂର୍ବରୁ ଥିବା ଏକ ହମ୍ପସ୍ ନିକଟରେ ବ୍ରେକ୍ ମାରି ବାଇକ୍‌ର ଗତି କମାଇଥିଲେ। ତାଙ୍କ ପଛପଟୁ ଆସୁଥିବା କାର୍‌ ବାଇକକୁ ଧକ୍କା ଦେଇଥିଲା। ଏହାକୁ ନେଇ ଆଶୁତୋଷ ଓ କାର୍‌ ମାଲିକ ତଥା ଚାଳକ ସୋନୁ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହା ପରେ ସୋନୁ କାର୍‌ ଭିତରୁ ଏକ ଛୁରି ଆଣି ପ୍ରଥମେ ବାଇକ୍‌ର ସିଟ୍ କାଟି ପକାଇଥିଲା। ଆଶୁତୋଷ ଏହାର ବିରୋଧ କରିବାରୁ ସେ ତାଙ୍କୁ ଛୁରାମାଡ଼ କରିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା।

ସମ୍ବନ୍ଧିତ ଖବର