‌‌ବୋଇତକୁ ଝୁରିବ ବିନ୍ଦୁସାଗର, ବିନ୍ଦୁସାଗର କୂଳ‌ରେ ଧାରା ୧୪୪

ରାତିରୁ ଫୋର୍ସ ମୁତୟନ

ପୁରୁଣା ଭୁବନେଶ୍ୱର/ଧଉଳି,: ଧର୍ମ ମାସ କାର୍ତ୍ତିକର ଶେଷ ଦିନକୁ ଥାଏ ସମସ୍ତଙ୍କ ଅପେକ୍ଷ‌ା। କାର୍ତ୍ତିକ ପୂର୍ଣ୍ଣମୀରେ ନଦୀ, ପୁଷ୍କରିଣୀରେ ଡଙ୍ଗା ଭସାଇ ଶ୍ରଦ୍ଧାଳୁ କାର୍ତ୍ତିକକୁ ବିଦାୟ ଦେଇଥା’ନ୍ତି। ଓଡ଼ିଆ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ସହ ଏହି ଡଙ୍ଗାଭସା ସହ ଯୋଡ଼ି ହୋଇ ରହିଥାଏ ପରମ୍ପରା ଓ ଧାର୍ମିକ ଭାବନା। ମାତ୍ର ଚଳିତବର୍ଷ ଏଥିରେ ବେଡ଼ି ପକାଇଛି କରୋନା କଟକଣା। ଏଥର ଖାଁ ଖାଁ ଲାଗିବ ନଦୀ ଓ ପୁଷ୍କରିଣୀ କୂଳ। ବି‌ଶେଷକରି ଏକାମ୍ର କ୍ଷେତ୍ରର ପବିତ୍ର ପୁଷ୍କରିଣୀ ବିନ୍ଦୁସାଗର ଓ ଉପକଣ୍ଠରେ ଥିବା ଦୟା ଓ କୁଆଖାଇ କୂଳରେ ଜମିବନି ଶ୍ରଦ୍ଧାଳୁଙ୍କ ଭିଡ଼। ଶୁଭିବନି ଆ..କା..ମା..ବୈ..। ଫିକା ପଡ଼ିବ ବୋଇତ ବନ୍ଦାଣ ଉତ୍ସବ।

କଟକଣାକୁ କଡ଼ାକଡ଼ି କରିବା ପାଇଁ ରବିବାର ମଧ୍ୟରାତିରୁ ବିନ୍ଦୁସାଗର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ପୁଲିସ୍‌ ପକ୍ଷରୁ କଡ଼ା ପହରାର ବ୍ୟବସ୍ଥା କରାଯାଇଛି। ବିନ୍ଦୁସାଗର କୂଳ ଓ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଅଧିକ ପୁଲିସ ବ୍ୟବସ୍ଥା କରାଯାଇଛି ବୋଲି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି। ସେହିପରି କଟକଣାକୁ ଉଲ୍ଲଂଘନ କରି ଦୟା ଓ କୁଆଖାଇରେ ବୋଇତ ଭସାଇଲେ, ସଂପୃକ୍ତ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ନଦୀଘାଟ ଅଞ୍ଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ସ୍ଥାନୀୟ ପୁଲିସ ପକ୍ଷରୁ ନଦୀଘାଟରେ ପୁଲିସ ମୁତୟନ କରାଯିବା ସହ ପିସିଆର ପୁଲିସ ପାଟ୍ରୋଲିଂ କରିବ ବୋଲି କୁହାଯାଇଛି। ଆଇନ ଉଲ୍ଲଂଘନ କଲେ ଅମାନିଆଙ୍କୁ ଗିରଫ କରାଯିବ।

ସମ୍ବନ୍ଧିତ ଖବର