ବାଲିଅନ୍ତା ବଜାର: ରାଜ୍ୟ ସରକାର ଗ୍ରାମାଞ୍ଚଳ ପରିବେଶକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ପାଇଁ ଜୈବ ବିଘଟନ ଗୃହ ନିର୍ମାଣ କରିଛନ୍ତି। କିନ୍ତୁ ଏହି ଗୃହ ଏବେ ସାଧାରଣ ଲୋକଙ୍କ କାମରେ ଆସିବା ପରିବର୍ତ୍ତେ ଅସାମାଜିକ ଯୁବକଙ୍କ ଆଡ଼ା ପାଲଟିଛି। ସରକାର ମହତ ଉଦ୍ଦେଶ୍ୟ ରଖି ନିର୍ମାଣ କରିଥିବା ଡମ୍ପିଙ୍ଗ ଗୃହକୁ ଯିବା ପାଇଁ କୌଣସି ବାଟ ନଥିବା ବେଳେ ଏହାର ଚାରିପାଖରେ ଅନାବନା ଗଛ ମାଡ଼ିଗଲାଣି। ବାଲିଅନ୍ତା ବ୍ଲକ୍ ଅଧୀନ ବାଲିଅନ୍ତା ପଞ୍ଚାୟତ ସାଇଫନ ଛକଠାରୁ ବେଣୁପୁର ପର୍ଯ୍ୟନ୍ତ ପଡ଼ିଥିବା ନଦୀବନ୍ଧର ଡାହାଣ ପାର୍ଶ୍ୱରେ ୨୦୨୨ ମସିହାରେ ୨ଲକ୍ଷ ୧୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଜୈବ ବିଘଟନ ଗୃହଟି ଲୋକଙ୍କ କାମରେ ଆସୁନାହିଁ। ସେପଟେ ଅଞ୍ଚଳରେ ଅଳିଆ ଆବର୍ଜନା ସଫା ନହେବାରୁ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି।
ବାଲିଅନ୍ତା ପଞ୍ଚାୟତ ୧୦ଟି ରାଜସ୍ବ ଗ୍ରାମ ରହିଥିବା ବେଳେ ୧୩ ହଜାରରୁ ଅଧିକ ଲୋକେ ରହୁଛନ୍ତି। ପ୍ରତିଦିନ ପଲିଥିନ୍, ଜରି, ଅନାବଶ୍ୟକ ସାମଗ୍ରୀ, କାଗଜ, ପ୍ଲାଷ୍ଟିକ୍ ବୋତଲ, ଖାଦ୍ୟ ଡେଲିଭରି ବକେଟ୍ ଏବେ ନାଳ, ରାସ୍ତା ଉପରେ ପଡ଼ିରହୁଛି। ସରକାର ଏହି ଅଳିଆଗୁଡ଼ିକୁ ସଂଗ୍ରହ କରିବା ପାଇଁ ଦୁଇଟି ଅଳିଆ ବୋହିବା ଟ୍ରଲି ପ୍ରଦାନ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି କାମରେ ନଲାଗି ପଞ୍ଚାୟତରେ ଖତ ହେଉଛଇ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ କୃଷ୍ଣକେଶବ ଆପଟ୍ଟଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି, ସରକାର ଏହାକୁ ପରିଚାଳନା କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦେଇଥିବା ବେଳେ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ସେପଟେ ଦୁଇଟି ଅଳିଆ ବୋହିବା ଟ୍ରଲି ଚଳାଇବା ପାଇଁ କେହି ନାହାନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ପୁନର୍ବାର କିପରି କାର୍ଯ୍ୟକାରୀ ହେବ ସେଥିପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/24/fhsfsfxvbv-2025-11-24-02-34-58.jpg)