କଳିଙ୍ଗବିହାର ବାସିନ୍ଦାଙ୍କୁ ଭଣ୍ଡେଇଦେଲା ବିଡିଏ: ୨୫ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ

ଖଣ୍ଡଗିରି: ବିଡିଏ ଭଳି ସରକାରୀ ସଂସ୍ଥାରୁ ଜମି ବା ଘର କିଣିଲେ, ନିରାପଦ ବୋଲି ମନେ କରି ସେମାନେ କଳିଙ୍ଗବିହାରରେ ପ୍ଲଟ୍‌ ଓ ଘର କିଣିଥିଲେ। କେବଳ ସେତିକି ନୁହେଁ, ସରକାରୀ ସଂସ୍ଥା ଗ୍ରାହକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ଅବହେଳା କରିବ ନାହିଁ ବୋଲି ସେମାନେ ବିଶ୍ବାସ କରିଥିଲେ। ତେଣୁ ପ୍ଲଟ୍‌ ଓ ଘର କିଣିବା ବେଳେ ସେମାନେ ନିଶ୍ଚିତ ଥିଲେ ଯେ ସବୁ ମୌଳିକ ସୁବିଧା‌ ସୁଯୋଗ ମିଳିବ। ରାସ୍ତା, ଡ୍ରେନେଜ୍ ବ୍ୟବସ୍ଥା, ଷ୍ଟ୍ରିଟ୍‌ ଲାଇଟ୍‌ ଭଳି ମୌଳିକ ସୁବିଧା ସୁଯୋଗ ମିଳିବ ବୋଲି ଆଶା କରିଥିଲେ। ମାତ୍ର ସେମାନଙ୍କ ଆଶା ଆଶାରେ ହିଁ ରହିଗଲା। ୨୫ ବର୍ଷ ପରେ ବି ରାଜଧାନୀର ଏହି ସରକାରୀ ହାଉସିଂ ପ୍ରକଳ୍ପର ବାସିନ୍ଦାମାନେ ସହରୀ ବୋଲି ଭାବି ପାରୁନାହାନ୍ତି। ବିଡିଏ ସେମାନଙ୍କୁ ଭଣ୍ଡେଇ ଦେଇଛି ବୋଲି ସେମାନେ ଅଭିଯୋଗ କରିଆସୁଛନ୍ତି।

ସୂଚନାଯୋଗ୍ୟ, ୧୯୯୧ ମସିହାରେ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ ସୁବୁଦ୍ଧିପୁର ମୌଜାରେ କଳିଙ୍ଗବିହାର ନାଁରେ ଜମି ବିକ୍ରି ଆରମ୍ଭ କରିଥିଲା। ୧୯୯୭ ମସିହା ପର୍ଯ୍ୟନ୍ତ ପ୍ଲଟ୍‌ ବିକ୍ରି ହେଲା ଓ କଲୋନିରେ ବିଜୁଳି ଖୁଣ୍ଟି, ରାସ୍ତା, ସ୍ବେରେଜ୍‌ ଲାଇନ୍‌ କାମ କରାଯାଇଥିଲା। କିନ୍ତୁ ଲୋକେ ଘର କରି ରହିବା ପରେ ବିଡିଏ ଚୁପ୍ ବସିଗଲା। ଏ ପର୍ଯ୍ୟନ୍ତ କଳିଙ୍ଗବିହାର କେ-୧ରୁ କେ-୯ ପର୍ଯ୍ୟନ୍ତ ସବୁ ଅଞ୍ଚଳର ସମସ୍ତ ରାସ୍ତା ତିଆରି ହୋଇପାରିନାହିଁ। କେ-୪, କେ-୬ କଲୋନି ରାସ୍ତା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସେହିପରି ଏହି ଅଞ୍ଚଳରେ ଲାଗିଥିବା ବିଦ୍ୟୁତ୍ ଖୁଣ୍ଟରେ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିପାରିନାହିଁ। କିଛି କିଛି ସ୍ଥାନରେ କଲୋନିବାସୀ ନିଜ ଖର୍ଚ୍ଚରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇଥିଲେ। ତାହା ଏବେ ଖରାପ ହୋଇଗଲାଣି। ବିଡିଏଠାରୁ ଜାଗା କିଣିବା ବେ‌ଳେ ଜାଗାମାଲିକଙ୍କୁ ବିଭିନ୍ନ ସୁବିଧା ମିଳିବା ନେଇ ବିଡିଏ ନିଜର ପ୍ଲାନ ଦେଇଥିଲା। ହେଲେ ପ୍ଲାନରେ ଥିବା କୌଣସି ଗୋଟିଏ ବି ସୁବିଧା ଗତ ୨୫ ବର୍ଷ ଭିତରେ ହୋଇପାରିନାହିଁ। ପ୍ରତ୍ୟେକ କଲୋନିରେ ମାର୍କେଟ କଂପ୍ଲେକ୍ସ, କଲ୍ୟାଣୀ ମଣ୍ଡପ, ହାଟ, ଫାଣ୍ଡି, ଖେଳପଡ଼ିଆ, ଡାକ୍ତରଖାନା ଓ ପାର୍କ ଭଳି ଏକାଧିକ ସୁବିଧା ଦେବାକୁ ପ୍ରତିଶ୍ରୁତି ଦେଇଥିବା ବିଡିଏ, ତନ୍ମଧ୍ୟରୁ ଗୋଟିଏରେ ବି ଆଖିଦୃଶିଆ କାମ କରିନାହିଁ। କେ-୪ ପାଣିଟାଙ୍କି ପଡ଼ିଆରେ ମ୍ୟାପ୍‌ ମୁତାବତ ଏକ ସ୍କୁଲ, ଖେଳପଡ଼ିଆ, ମାର୍କେଟ କ‌ମ୍ପ୍ଲେକ୍ସ ପାଇଁ ଜାଗା ଛଡାଯାଇଥିଲା। କିନ୍ତୁ ପରେ ୨୦୧୪ ମସିହାରେ ଏଠାରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଯୋଜନା କରାଗଲା।

ଏହାକୁ ନେଇ କଲୋନି ବାସିନ୍ଦା ପ୍ରତିବାଦ କରିବାରୁ ଏହି ପ୍ରକଳ୍ପ ବର୍ତ୍ତମାନ ବନ୍ଦ ରଖାଯାଇଛି। ସେହିପ‌ରି କେ-୭ ଅଞ୍ଚଳରେ ଆବାସିକ କଲୋନି ଭିତରେ ମଦ‌ ଦୋକାନ ଖୋଲିବାକୁ ସରକାରଙ୍କ ଅନୁମତି ଦେବାକୁ ନେଇ ସେଠିକା ବାସିନ୍ଦାଙ୍କ ଭିତରେ ତୀବ୍ର ଅସନ୍ତୋଷ ଲାଗି ରହିଛି। ପରିତାପର କଥା କେ-୯ (ଏ) ଓ କେ-୯ (ବି) ଅଞ୍ଚଳର ପ୍ରାୟ ଖୋଲା ଜାଗାକୁ ଏବେ ସରକାର ବିକ୍ରି କରି ଦେଉଛନ୍ତି। କଲୋନିବାସୀଙ୍କ ବ୍ୟବହାର ପାଇଁ ବିଡିଏ ଛାଡ଼ିଥିବା ଜମିକୁ ପୁଣି ବିକ୍ରି କରି ଦିଆଯାଉଛି। ଏ ନେଇ କଲୋନିବାସୀ ଅନେକ ଥର ବିଡିଏ-ବିଏମ୍‌ସିର ଦ୍ବାରସ୍ଥ ହୋଇଥିଲେ ହେଁ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ।

ଏବେ ବିଡିଏର ଅବହେଳାଠାରୁ ବଳେଇ ପଡ଼ିଛି କମିସନରେଟ୍‌ ପୁଲିସର ଏହି ଅଞ୍ଚଳ ପ୍ରତି ଅଣଦେଖା। ଦୁର୍ବଳ ପୁଲିସ ପାଟ୍ରୋଲିଂ ଯୋଗୁଁ ଏହି ଅଞ୍ଚଳରେ ଘନଘନ ଚୋରି ହେଉଛି। ଦୁର୍ବୃତ୍ତମାନେ ଅଗଣାରୁ ବାଇକ୍‌ ଉଠାଇ ନେଉଥିବାବେଳେ ସିନ୍ଧିଚୋରମାନେ ଘରର କବାଟ ଝରକା ତାଡ଼ି ଘରେ କଳାକନା ବୁଲାଇ ଦେଉଛନ୍ତି।

ସମ୍ବନ୍ଧିତ ଖବର