ତୀବ୍ରରୂପ ନେଲାଣି ରାଜଧାନୀ ବିଜେପିର ଅନ୍ତଃକନ୍ଦଳ: ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦଳରୁ ବିଦା

ଜଗନ୍ନାଥ ପ୍ରଧାନ ଏବେ ଏକଘରକିଆ, ଗଲେ ରଶ୍ମି ମହାପାତ୍ର, ଆସିଲେ ରଶ୍ମି ମୁଦୁଲି

ଭୁବନେଶ୍ବର: ବିଜେପି ଜିଲ୍ଲା ଯୁବ ‌େମାର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କୁ ହଟାଇବାକୁ ଚକ୍ରାନ୍ତ ହେଉଥିବା ନେଇ ବିଜେପିର ମଧ୍ୟ ନିର୍ବାଚନ ମଣ୍ଡଳୀ ନେତା ଜଗନ୍ନାଥ ପ୍ରଧାନ ଅଭିଯୋଗ କରିଥିଲେ। ଏବେ ସତକୁ ସତ ସେହି ଯୁବ ମୋର୍ଚ୍ଚା ସଭାପତିଙ୍କୁ ଦଳବିରୋଧୀ କାର୍ଯ୍ୟକଳାପ ଓ ଦଳ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ସଭାପତି ପଦରୁ ହଟାଇ ଦେଇଛନ୍ତି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ। କେବଳ ଏତିକି ନୁହେଁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ବିଦା କରିବା ସହ ଦଳରୁ ଆଜୀବନ ବହି‌ଷ୍କାର କରିବା ନିମନ୍ତେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ସୁପାରିସ୍ କରିଛନ୍ତି। ରଶ୍ମିରଞ୍ଜନ ମହାପାତ୍ରଙ୍କୁ ବିଦା କରିବା ପରେ ରଶ୍ମିରଞ୍ଜନ ମୁଦୁଲିଙ୍କୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଭାବେ ବାବୁ ସିଂହ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର ଜିଲ୍ଲା ସଭାପତିଙ୍କ ଏହି ନିଷ୍ପତ୍ତି ନେଇ ବୁଧବାର ବିଳମ୍ବିତ ରାତିରେ ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।

ଦଳର ଭୁବନେଶ୍ବର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଥା‌ଉଥାଉ କାହିଁକି କାର୍ଯ୍ୟକାରୀ ସଭାପତି ନିଯୁକ୍ତି କରାଗଲା, ଜିଲ୍ଲା ଯୁବମୋର୍ଚ୍ଚା ବ୍ୟାନରରେ କାର୍ଯ୍ୟକ୍ରମ ହେଉଥିଲେ ହେଁ ସଭାପତିଙ୍କୁ କାହିଁକି ଡକାଯାଉନି ଭଳି ପ୍ରଶ୍ନ ଜଗନ୍ନାଥ ଉଠାଇଥିଲେ। ଏପରିକି ଏ ନେଇ ସେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଜଣାଇଥିଲେ। ହେଲେ କେହି କିଛି ପଦକ୍ଷେପ ନେଲେନି। ଏହାପରେ ଜଗନ୍ନାଥ ଦଳ ଛାଡ଼ିବା ନେଇ ଧମକ ଦେଇଥିଲେ। ବିଜେଡିର ପ୍ରଭାବଶାଳୀ ନେତାଙ୍କ ସହ ତାଙ୍କର ଗୋପନ ବି ଆଲୋଚନା ହୋଇଥିଲା। ହେଲେ ବି‌େଜଡିରେ ବିରୋଧର ସ୍ବର ଉଠିବାରୁ ଜଗାଙ୍କ ମିଶ୍ରଣ ପର୍ବ ଅଟକିଯାଇଛି। ସବୁଠୁ ଅାଶ୍ଚର୍ଯ୍ୟର ବିଷୟ ହେଲା, ଜଗନ୍ନାଥ ବିଜେଡିରେ ମିଶିବା ନେଇ ଜୋରଦାର୍ ଚର୍ଚ୍ଚା ଚାଲିଥିବାବେଳେ ସେ ବହୁବାର ବିଜେଡି ନେତାଙ୍କ ସହ ବସି ଏନେଇ ଆଲୋଚନା କଲେଣି। କିନ୍ତୁ ଏବେବି ବିଜେପି ଚିହ୍ନ ସହ ସେ ନିଜର ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରୁଛନ୍ତି। ଏବେବି ସେ ବିଜେପିରେ ଅଛନ୍ତି ବୋଲି ପରୋକ୍ଷରେ କହି ଚାଲିଛନ୍ତି। ବିଜେପିରେ ଅଛନ୍ତି ବୋଲି ଜଗନ୍ନାଥ ପ୍ରମାଣ ଦେଉଛନ୍ତି; କିନ୍ତୁ କୌଣସି କାର୍ଯ୍ୟକ୍ରମରେ ସାମିଲ୍‌ ହେଉନାହାନ୍ତି।

ନିକଟରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ସମୟରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଓ ଦଳ କାର୍ଯ୍ୟାଳୟରେ ବିପୁଳ ସମ୍ବର୍ଦ୍ଧନା ଦିଆଗଲା। ହେଲେ ସେଠାକୁ ଜଗନ୍ନାଥ କି ତାଙ୍କ ସମର୍ଥକ କେହି ଆସିଲେନି। କେବଳ ଏତିକି ନୁହେଁ; ଜଗନ୍ନାଥ ଆଶା ରଖିଥିଲେ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ସେ ଜଣେ ବିଶ୍ବସ୍ତ ଅନୁଗତ ଥିବାରୁ କେନ୍ଦ୍ର ମନ୍ତ୍ରୀ ନିଶ୍ଚିତ ଏଥିରେ ହସ୍ତକ୍ଷେପ କରିବେ। ତାଙ୍କ ଦାବି ପୂରଣ ହେବ। ତାହା ବି ହେଲାନି। କେବଳ ମନ୍ତ୍ରୀ ନୁହେଁ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ଯେପରି ନୂଆଦିଲ୍ଲୀରୁ ଫେରିବା ପରେ ବିମାନବନ୍ଦରରୁ ସିଧା ଜଗନ୍ନାଥଙ୍କ କାର୍ଯ୍ୟାଳୟକୁ ଯାଇ ଆଲୋଚନା କଲେ ଓ ପରେ ପରେ ଫୋନ୍‌ରେ ଓ ସିଧାସଳଖ ଆଲୋଚନା କଲେ। ସେଥିରେ ଜଗନ୍ନାଥ ବହୁତ ଆଶାବାଦୀ ହୋଇଯାଇଥିଲେ। ହେଲେ ଦିନ ଯେତେ ଗଡ଼ୁଛି; ତାଙ୍କ ଆଶା ସେତେ ମଉଳି ମଉଳି ଯାଉଛି। କେହି ଏବେ ଜଗନ୍ନାଥଙ୍କ ସହ ଆଲୋଚନା କରୁନାହାନ୍ତି କି ତାଙ୍କ ଦାବି ପୂରଣ ହେବା ନେଇ ପ୍ରତିଶ୍ରୁତି ଦେଉନାହାନ୍ତି।

ଏପରିସ୍ଥଳେ ବାବୁ ସିଂହ ଓ ଜଗନ୍ନାଥଙ୍କ ମଧ୍ୟରେ ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ଆଜୀବନ ବହିଷ୍କାର କରିବାକୁ ବାବୁ ସୁପାରିସ୍‌ କରିବା ପରେ ଦଳର ଅନ୍ତଃକନ୍ଦଳ ତୀବ୍ରରୂପ ନେଇଛି ବୋଲି ଜଳଜଳ ଦିଶିଲାଣି। ଏବେ ବାବୁ ସିଂହଙ୍କ ପଛରେ ରାଜ୍ୟ ସଭାପତି, କେନ୍ଦ୍ର ମନ୍ତ୍ରୀ, ସାଂସଦଙ୍କ ସମର୍ଥନ ଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ଜଗନ୍ନାଥଙ୍କୁ ଦଳ ଏବେ ଏକ ଘରକିଆ କରିଦେଇଥିବାବେଳେ ସେ ଦଳ ଛାଡ଼ିବେ କି ନାହିଁ ତାହା ସ୍ପ‌ଷ୍ଟ କରୁନାହାନ୍ତି। ବିଜେଡି ନେତାମାନେ ମଧ୍ୟ ତାଙ୍କୁ ଦଳରେ ସାମିଲ୍‌ କରିବା ନେଇ କିଛି ସ୍ପଷ୍ଟ ଚିତ୍ର ଦେଖାଉନାହାନ୍ତି । ଯାହାକୁ ନେଇ ସେ ଏବେ ଅକଳରେ ପଡ଼ିଯାଇଛନ୍ତି।

ସମ୍ବନ୍ଧିତ ଖବର