‘ବ୍ଲାକ୍‌ ଇଗଲ୍ ବୁକ୍ସ୍ ଇଣ୍ଟେଲେକ୍ଟ ସେଣ୍ଟର୍’ ଉଦ୍‌ଘାଟିତ: ପୁସ୍ତକ ରୂପକ ଗହଣାକୁ ସବୁ ଧର୍ମର ଲୋକ ପରିଧାନ କରିବା ଉଚିତ

ଭୁବନେଶ୍ୱର: ପୁସ୍ତକ ହେଉଛି ମୂଲ୍ୟବାନ ଗହଣା। ଏହାକୁ ପରିଧାନ କଲେ ମନ, ଜ୍ଞାନ ଓ ଚେତନା ଜାଗ୍ରତ ହୋଇଥାଏ। ‘ବ୍ଲାକ ଇଗଲ୍ ବୁକ୍ସ୍ ଇଣ୍ଟେଲେକ୍ଟ ସେଣ୍ଟର୍’ର ଭୁବନେଶ୍ୱର ବହି ଗ୍ୟା‌ଲେରି ଓ ସଭାଗୃହର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜ୍ଞାନପୀଠ ବିଜୟିନୀ ପ୍ରତିଭା ରାୟ ଏହା କହିଛନ୍ତି।
ବିଶିଷ୍ଟ କଥାକାର ଗୌରହରି ଦାସ ସଭାରେ ସଭାପତିତ୍ବ କରି କହିଲେ ଯେ ଓଡ଼ିଆ ସାହିତ୍ୟକୁ ବିଶ୍ବ ଦରବା‌ରରେ ଓ ବିଶ୍ବ ସାହିତ୍ୟକୁ ଓଡ଼ିଆ ପାଠକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏହି କେନ୍ଦ୍ର କାମ କରିବ। ନିଜ ବକ୍ତବ୍ୟ ପ୍ରସଙ୍ଗରେ ସେ ଅନୁବାଦର ଗୁରୁତ୍ବାରୋପ କରିବା ସହ ବିଦେଶୀ ପ୍ରକାଶକଙ୍କ ଭାରତୀୟ ଭାଷା‌ରେ ପ୍ରକାଶିତ ବହିକୁ ନେଇ ରହିଥିବା ସରକାରୀ ପୁରସ୍କାର ନୀତିର ପରିବର୍ତ୍ତନ ଦାବି କରିଥିଲେ।

ଅନ୍ୟତମ ଅତିଥି ପ୍ରଫେସର୍‌ ଯତୀନ୍ଦ୍ର କୁମାର ନାୟକ କହିଥିଲେ ଯେ କିଛି ଲୋକଙ୍କ ଧାରଣା ଯେ ଆଗାମୀ ଦିନରେ ବହିର ସ୍ଥାନ ଡିଜିଟାଲ ଇ-ବୁକ୍ସ ନେବ। କିନ୍ତୁ ଏହା କେବେ ବି ସମ୍ଭବ ‌ହୋଇପାରିବ ନାହିଁ। ଯେତେ ଭର୍ଚୁଆଲ ତଥା ଡିଜିଟାଲ ବୁକ୍ସ ଆସିଲେ ମଧ୍ୟ ସେମାନେ ବହିର ସ୍ଥାନ ନେଇପାରିବେ ନାହିଁ। ଏହି ଅବସରରେ ସାହିତ୍ୟ ସମାଲୋଚିକା ଅଧ୍ୟାପିକା ସଂଘମିତ୍ରା ଭଞ୍ଜଙ୍କ ଲିଖିତ ଓ ‘ବ୍ଲାକ୍ ଇଗଲ’ ଦ୍ବାରା ପ୍ରକାଶିତ ‘ସମାଜ: ଦର୍ଶନ ଓ ସାହିତ୍ୟ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଦେବାଶିଷ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ଅଶୋକ ପରିଡ଼ା ଧନ୍ୟବାଦ ଦେଇଥିଲେ।

ପରେ ବ୍ଲାକ୍‌ ଇଗଲ୍ ବୁକ୍ସ୍ ଇଣ୍ଟେଲେକ୍ଟ ସେଣ୍ଟର୍‌ର ଗ୍ୟାଲେରି ଓ ସଭାଗୃହ ବିଭିନ୍ନ ଅତିଥିମାନଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା। ଏହି ଗ୍ୟାଲେରିରେ ଓଡ଼ିଆ ସାହିତ୍ୟର ପ୍ରଥିତଯଶା ଓ ଲୋକପ୍ରିୟ ସାହିତ୍ୟିକ ଚିତ୍ତରଞ୍ଜନ ଦାସ, ମନୋଜ ଦାସ, ପ୍ରତିଭା ରାୟ, ହରପ୍ରସାଦ ଦାସ ଓ ଗୌରହରି ଦାସଙ୍କ ନାମରେ ପ୍ରସ୍ତୁତ ବୁକ୍ ସେଲଫ୍ ଅନାବରଣ ହୋଇଥିଲା। କାର୍ଯ୍ୟକ୍ରମରେ ରବି ସ୍ବାଇଁ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ଅକ୍ଷୟ ପରିଜା, ଆଦ୍ୟାଶା ରାୟ, ବାବାଜୀ ଚରଣ ଜେନା, ଧରଣୀଧର ସାହୁ, ରକ୍ଷକ ନାୟକ, ସୁରେନ୍ଦ୍ର କୁମାର ମହାରଣା, ଅଭୟ ନାୟକ, ସରୋଜ ବଳ, ଭାନୁମତୀ ସାହୁ, କନକ ମଞ୍ଜରୀ ସାହୁ, ଭାଷ୍କର ପରିଚ୍ଛା, ପ୍ରଦୋଷ ମିଶ୍ର, ସ‌ନ୍ତୋଷ ତ୍ରିପାଠୀ, ଜେ.ପି ଜଗଦେବ, ଅଜୟ ମହାପାତ୍ର, କପିଳାସ ଭୂୟାଁ, ସୁରେନ୍ଦ୍ରନାଥ, ସୁନିଲ ପ୍ରଧାନ, ଦୀପ୍ତିମୟୀ ସାହୁ, ବୈରାଗୀ ଚରଣ ଜେନା, ନୀହାରିକା ମଲ୍ଲିକ ସମେତ ବହୁ ବିଶିଷ୍ଟ ପ୍ରଶାସକ, ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଉଲ୍ଲ‌େଖଯୋଗ୍ୟ ଯେ ପ୍ରବାସୀ ଓଡ଼ିଆ ପ୍ରକାଶକ ସତ୍ୟ ପଟ୍ଟନାୟକ ଦୀର୍ଘ ଦିନ ଧରି ଯୁକ୍ତରାଷ୍ଟ୍ର ଆମେରିକାର ଡବ୍ଲିନ୍‌ଠାରେ ବ୍ଲାକ୍ ଇଗଲ୍ ବୁକ୍ସର ପ୍ରତିଷ୍ଠା କରି ଓଡ଼ିଆ ଭାଷାର ବହୁ ପ୍ରାଚୀନ, ମଧ୍ୟଯୁଗୀୟ ଓ ଆଧୁନିକ ପୁସ୍ତକ ପ୍ରକାଶ ସହ ସମସାମୟିକ ଲେଖକ/ଲେଖିକାଙ୍କ ଶତାଧିକ ପୁସ୍ତକ ବ୍ଲାକ୍ ଇଗଲ ପକ୍ଷରୁ ପ୍ରକାଶ କରିପାରୁଛନ୍ତି। ଭୁବନେଶ୍ବର ସିଆର୍‌ପି ଛକଠାରେ ଉଦ୍‌ଘାଟିତ ଏହି କେନ୍ଦ୍ର ତାଙ୍କ ପ୍ରକାଶନୀ ସଂସ୍ଥାର ଲୋକସଂପର୍କ ବୃଦ୍ଧିରେ ସହାୟକ ହେବ ବୋଲି ଅଶୋକ ପରିଡ଼ା ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର