ବାଲିଅନ୍ତା ବଜାର: ହୃଦୟରେ କପଟ ରଖି ମହିଳାଙ୍କ ସହ ବନ୍ଧୁତା ବାନ୍ଧିଲା। ମିଠା ମିଠା କଥା କହି ମହିଳାଙ୍କ ନିକଟତର ହେଲା। ଶେଷରେ ତାଙ୍କ ଦୁର୍ବଳ ମୁହୂର୍ତ୍ତର ସୁଯୋଗ ନେଇ ଶାରୀରିକ ସମ୍ପର୍କ ରଖିଲା। ବାସ୍, ଏତିକି ଥିଲା ତା’ର ମୂଳ ଲକ୍ଷ୍ୟ। ଏହାପରେ ତା’ର ଅସଲ ଚେହେରା ମହିଳାଙ୍କ ସାମ୍ନାକୁ ଆସିଲା। ଟଙ୍କା ପାଇଁ ବ୍ଲାକ୍ମେଲ୍ କଲା। ଟଙ୍କା ନେବା ପରେ ବି ମହିଳାଙ୍କୁ ଏମିତି କଲବଲ କଲା ଯେ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ସୌଭାଗ୍ୟକୁ ସ୍ବାମୀ ତାଙ୍କୁ ବଞ୍ଚାଇଲେ ଏବଂ ଧୂର୍ତ୍ତକୁ ପୁଲିସ ଦ୍ବାରା ଗିରଫ କରାଇଲେ। ପାହାଳ ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ଏହି ବ୍ଲାକ୍ମେଲର୍ ହେଉଛି କଟକ ୪୨ ମୌଜା ବେଣ୍ଟକର ଅଞ୍ଚଳର ପ୍ରକାଶ ସାହୁ(୪୦)। କୋର୍ଟରୁ ତାକୁ ଜେଲ୍ ହାଜତକୁ ପଠାଇଦିଆଯାଇଛି।
ପତି ନମ୍ବର ୱାନ୍
କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କଥାଟି କମ୍ ରୋମାଞ୍ଚକ ନୁହେଁ। ସ୍ବାମୀ ନିଘୋଡ଼ ନିଦରେ ଶୋଇଥିବା ବେଳେ ମହିଳାଜଣକ ଅନ୍ୟ ଏକ ରୁମ୍ରେ ଫ୍ୟାନ୍ରେ ଝୁଲିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଦୈବାତ୍ ସ୍ବାମୀଙ୍କ ନିଦ ଭାଙ୍ଗି ଯାଇଥିଲା। ସ୍ତ୍ରୀଙ୍କୁ ନିଜ ପାଖରେ ନ ପାଇ ସେ ଖୋଜିଖୋଜି ଅନ୍ୟ ରୁମ୍ରେ ପହଞ୍ଚିଯାଇଥିଲେ। ମହିଳାଙ୍କୁ ମୃତ୍ୟୁମୁଖରୁ ଟାଣି ଆଣିବା ପରେ ତାଙ୍କଠାରୁ ସବୁ ଶୁଣିଥିଲେ ଏବଂ କ୍ଷମା କରିଦେଇଥିଲେ। କିନ୍ତୁ ବ୍ଲାକ୍ମେଲର୍ ଧୂର୍ତ୍ତ ପ୍ରକାଶକୁ ଉଚିତ ଶାସ୍ତି ଦେବାକୁ ସ୍ଥିର କରି ପୁଲିସର ଦ୍ବାରସ୍ଥ ହୋଇଥିଲେ।
୨୦୨୨ ମସିହାରେ ନହରକଣ୍ଟା ଅଞ୍ଚଳର ଏହି ମହିଳା ଓ ପ୍ରକାଶ ମଧ୍ୟରେ ପ୍ରଥମ ଦେଖାସାକ୍ଷାତ ହୋଇଥିଲା। ପ୍ରକାଶ ମଝିରେ ମଝିରେ ନହରକଣ୍ଟାସ୍ଥିତ ତା’ର ସମ୍ପର୍କୀୟଙ୍କ ଘରକୁ ଆସୁଥିଲା ଏବଂ ମହିଳାଙ୍କୁ ଭେଟୁଥିଲା। ଫୋନ୍ରେ କଥାବାର୍ତ୍ତା ହେବାଠାରୁ ଆରମ୍ଭ କରି ଫେସ୍ବୁକ୍ରେ ଚାଟିଂ ପର୍ଯ୍ୟନ୍ତ କଥା ଯାଇଥିଲା ଏବଂ ସେମାନଙ୍କ ବନ୍ଧୁତାର ଗଭୀରତା ବଢ଼ିବଢ଼ି ଚାଲିଥିଲା। ଉଭୟେ ବିବାହିତ ହୋଇଥିଲେ ବି ପରସ୍ପର ଆଡ଼କୁ ଆକର୍ଷିତ ହେଉଥିଲେ। ଫୋନ୍ରେ ଫୋନ୍ରେ ପ୍ରେମ ସମ୍ପର୍କ ପକ୍କା ହୋଇଗଲା। ୨୦୨୩ ଜାନୁଆରିରେ ପ୍ରକାଶ ମହିଳାଙ୍କ ଘରକୁ ଆସିଥିଲା ଏବଂ ସେଦିନ ହିଁ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ିଉଠିଥିଲା। ଏମିତି ମଝିରେ ମଝିରେ ନିୟମିତ ବ୍ୟବଧାନାରେ ପ୍ରକାଶ ନହରକଣ୍ଟା ଆସି ମହିଳାଙ୍କୁ ସାକ୍ଷାତ କରେ। ମହିଳାଙ୍କ ସ୍ବାମୀ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବାରୁ ବହୁ ସମୟରେ ବାହାରେ କଟାନ୍ତି। ତେଣୁ ପ୍ରକାଶ ଓ ମହିଳାଙ୍କ ମିଳାମିଶାରେ କୌଣସି ପ୍ରତିବନ୍ଧକ ନଥିଲା। କିଛି ଦିନ ପରେ ହଠାତ୍ ପ୍ରକାଶ ମହିଳାଙ୍କୁ ବ୍ଲାକ୍ମେଲ୍ କଲା। ବାଥ୍ରୁମ୍ରୁ ସୁଟ୍ କରିଥିବା ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଟଙ୍କା ମାଗିଲା। ପ୍ରକାଶକୁ ଭରସା କରି ମହିଳାଜଣକ ଅବାଟକୁ ଗୋଡ଼ ଖସାଇଦେଇଥିଲେ। କିନ୍ତୁ ଶେଷରେ ସେ ଏମିତି ବିଶ୍ବାସଘାତକତା କରିବ ବୋଲି ସେ କେବେ କଳ୍ପନା କରିନଥିଲେ। ପ୍ରକାଶର ଦାବି ଅନୁସାରେ ସେ ୪ ଲକ୍ଷ ଟଙ୍କା ଦେଲେ ଏବଂ ଭିଡିଓ ଡିଲିଟ୍ କରିବାକୁ ଅନୁରୋଧ କଲେ। କିନ୍ତୁ ଟଙ୍କା ପାଇବା ପରେ ପ୍ରକାଶ ଭିଡିଓ ଡିଲିଟ୍ ନକରି ଆହୁରି ୨ ଲକ୍ଷ ଟଙ୍କା ଦାବି କଲା। ପ୍ରକାଶକୁ ଟଙ୍କା ଗଣିଗଣି କେବେ ବି ସନ୍ତୁଷ୍ଟ କରିହେବ ନାହିଁ ବୋଲି ମହିଳା ବୁଝିଗଲେ। ଦିନେ ନା ଦିନେ କଥା ପ୍ରଘଟ ହେବ ବୋଲି ସେ ନିଶ୍ଚିତ ହେବା ପରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ।