ଭୁବନେଶ୍ବର: ବିନା କୌଣସି ପୂର୍ବ ସୂଚନାରେ, ୧୦ ନମ୍ବର ୱାର୍ଡ ଅନ୍ତର୍ଗତ ମଞ୍ଚେଶ୍ବର ଓଡ଼ିସିଏଲ୍ ଛକରେ ଥିବା ଆମିଷ ମାର୍କେଟ୍କୁ ବିଏମ୍ସି ବନ୍ଦ କରିଦେଇଛି। ଗତକାଲି ସକାଳେ ବିଏମ୍ସିର ଏକ ଟିମ୍ ସେଠାରୁ ବ୍ୟବସାୟୀମାନଙ୍କୁ ହଟାଇବା ସହ ଏଠାରେ ଆଉ ଆମିଷ ବିକ୍ରି ହୋଇପାରିବ ନାହିଁ ବୋଲି ତାଗିଦ୍ କରିଛି। ମିଳିଥିବା ସୂଚନାନୁଯାୟୀ, ଏହି ଛକ ନିକଟରେ କେନ୍ଦ୍ର ସରକାରଙ୍କ ଏକ କାର୍ଯ୍ୟାଳୟ ରହିଛି। ଆମିଷ ବଜାର ବସିବା ଦ୍ବାରା ମାଛ, ମାଂସର ଅବଶେଷ ଏଠାରେ ପଡ଼ି ଡ୍ରେନ୍ ଜାମ୍ ହେବା ସହ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏଥିଯୋଗୁଁ ଅଫିସ୍ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ଏଠାରେ ଆମିଷ ବ୍ୟବସାୟକୁ ବିଏମ୍ସି ପକ୍ଷରୁ ବାରଣ କରାଯାଇଥିବା କୁହାଯାଉଛି। ତେବେ ବିନା କୌଣସି ସୂଚନାରେ ହଠାତ୍ ଏହି ମାର୍କେଟ୍କୁ ବନ୍ଦ କରିଦିଆଯାଇଥିବାରୁ ଉଭୟ ବ୍ୟବସାୟୀ ଓ ସ୍ଥାନୀୟ ଲୋକ ହଇରାଣ ହୋଇଛନ୍ତି। ଏଥିପାଇଁ ବ୍ୟବସାୟୀମାନଙ୍କ ୭ରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇଥିବା ସେମାନେ କ୍ଷୋଭର ସହ ଜଣାଇଛନ୍ତି। ସେହିପରି ଗ୍ରାହକମାନେ ମଧ୍ୟ ଏଠାକୁ ଆସି ହଟହଟା ହୋଇ ଖାଲି ହାତରେ ଫେରି ଯାଇଛନ୍ତି।
ଏହି ଛକରୁ ୧୦୦ ମିଟର ଦୂରରେ ରାସ୍ତାକଡ଼କୁ ଲାଗି ୪୦ଜଣ ଆମିଷ ବ୍ୟବସାୟୀ ଓ ୨୦ଜଣ ପରିବା ବ୍ୟବସାୟୀ ପ୍ରାୟ ୩୦ବର୍ଷ ବ୍ୟବସାୟ କରି ଆସୁଥିଲେ। ଏହି ବଜାର ଉପରେ ମଞ୍ଚେଶ୍ବର, ଚକେଇସିହାଣୀ, ସମେଇଗାଡ଼ିଆ, ଭୋଟପଡ଼ା, ଭିଏସ୍ଏସ୍ ନଗର, ରଙ୍ଗମାଟିଆ, ଗାଡ଼କଣ ଆଦି ଅଞ୍ଚଳର ଲୋକମାନେ ନିର୍ଭର କରନ୍ତି। କିନ୍ତୁ ଗତକାଲି ହଠାତ୍ ମାର୍କେଟ୍କୁ ବନ୍ଦ କରିଦିଆଯିବା ଦ୍ବାରା ସମ୍ପୃକ୍ତ ଅଞ୍ଚଳର ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ଶନିବାର ଥିବାରୁ ଏତେଟା ଭିଡ଼ ହୋଇନଥିଲା। କିନ୍ତୁ ଆଜି ରବିବାରରେ ଶହଶହ ଗ୍ରାହକ ଆମିଷ କିଣିବା ପାଇଁ ଏହି ମାର୍କେଟ୍କୁ ଆସିଥିବା ବେଳେ ହଟହଟା ହୋଇ ଘରକୁ ଖାଲି ହାତରେ ଫେରିଥିଲେ।
ଅପରପକ୍ଷେ ଏହି ମାର୍କେଟ୍କୁ ହଠାତ୍ ବନ୍ଦ କରିଦିଆଯିବା ଦ୍ବାରା ସେଠାରେ ବେପାର କରୁଥିବା କ୍ଷୁଦ୍ର ବ୍ୟବସାୟୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଏହି ମାର୍କେଟ୍ ଉପରେ ନିର୍ଭର କରି ସେମାନେ ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ବିଏମ୍ସିର ଏହି ରାତିଅଧିଆ ନିଷ୍ପତ୍ତି ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି। ତେଣୁ ବିଏମ୍ସି ସେମାନଙ୍କୁ ଥଇଥାନ କରୁ କିମ୍ବା ଅନ୍ୟ କୌଣସି ସ୍ଥାନରେ ବେପାର ପାଇଁ ଅନୁମତି ଦେଉ ବୋଲି ସେମାନେ ଦାବି କରିଛନ୍ତି।
ଏ ସଂପର୍କରେ ବ୍ୟବସାୟୀ ସଞ୍ଜୟ ବେହେରା କହିଛନ୍ତି, ଆମକୁ ସ୍ଥାୟୀ ଜାଗା ଦେବା ପର୍ଯ୍ୟନ୍ତ ଏଇଠି ଅସ୍ଥାୟୀ ଭାବେ ବ୍ୟବସାୟ କରିବାକୁ ସୁଯୋଗ ଦିଆଯାଉ। ଆମେ ବେପାର କରିବା ପରେ ନିୟମିତ ଭାବେ ଏହି ସ୍ଥାନ ସଫା ରଖିବା ସହ ରାସ୍ତା ଜାମ୍ ନହେବା ଉପରେ ମଧ୍ୟ ଦୃଷ୍ଟି ଦେବୁ। ଅନ୍ୟଜଣେ ବ୍ୟବସାୟୀ କୈଳାସ ଖଟୁଆ କହିଛନ୍ତି, ଆମେ (ଏନ୍ଏସ୍ଆଇସି)ର କାର୍ଯ୍ୟାଳୟଠାରୁ ୧୫୦ମିଟର ଦୂରରେ ବସୁଛୁ। ଯେମିତି ତାଙ୍କ ଅଫିସ୍ କାମରେ କୌଣସି ବାଧା ନ ହେବ, ସେଭଳି କାର୍ଯ୍ୟ କରୁଛୁ। ହେଲେ ସିଏ ଅକ୍ରୋଶମୂଳକ ଭାବେ ଆମ ବେପାର ବନ୍ଦ କରିଦେବାକ ଚେଷ୍ଟା କରୁଛନ୍ତି।
ଏନେଇ ସ୍ଥାନୀୟ କର୍ପୋରେଟର୍ ଏସ୍.କେ ନୁର୍ କହିଛନ୍ତି, ବ୍ୟବସାୟୀମାନଙ୍କ ଥଇଥାନ ବିଷୟରେ ବିଏମ୍ସି ସହ ଆଲୋଚନା ଚାଲିଛି। ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏ ସଂପର୍କରେ ବିଏମ୍ସିର ଉତ୍ତର ମଣ୍ଡଳର ଉପାୟୁକ୍ତ ପୁରନ୍ଦର ନନ୍ଦଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/17-8.jpg)