ଖଳା ବୁଲିଲେ ବିଏମ୍‌ସି କମିସନର, ରୁକୁଣା ରଥରେ ଲାଗିଲା ନାହାକା

ପୁରୁଣା ଭୁବନେଶ୍ୱର: ରଥ ଖଳାରେ ମହାରଣା ସେବାୟତମାନେ ରଥ ନିର୍ମାଣ କାମରେ ଲାଗିଛନ୍ତି। ପାର୍ଶ୍ୱ ଦଣ୍ଡା ସହ ୪ଟି କୋଣ ସିଂହ ପରେ ନାହାକା କାମ ଶେଷ ହୋଇଛି। ଆଜି ସେବାୟତଙ୍କ ଦ୍ବାରା ପୂଜା କରାଯାଇ ରଥରେ ଚାରି ନାହାକା ସଂଯୋଗ କରାଯାଇଛି। ଏଥି ସହିତ ପଞ୍ଚାଣ ମାଡ଼ ଆରମ୍ଭ ହୋଇଛି। ଆସନ୍ତାକାଲି ପଟ୍ଟାଗୁଜ, ବଡ଼ ଛନ୍ଦା ଲଗାଯିବା ପରେ ଭୂଇଁ କାମ ଆରମ୍ଭ ହେବ ବୋଲି ମହାରଣା ସେବାୟତ ସୋମନାଥ କହିଛନ୍ତି।

ରୁକୁଣା ରଥ ନିର୍ମାଣ କାମ ଚାଲିଥିବା ବେଳେ ଆଜି ପୂର୍ବାହ୍ନରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ରଥ ଖଳା ବୁଲି ଦେଖିଛନ୍ତି। ରଥ କାମ ବେଳେ ଆବଶ୍ୟକ ସାମାଜିକ ଦୂରତା, ମାସ୍କ ବ୍ୟବହାର, ବାହାର ଲୋକ ଏଠାକୁ ନଆସିବା ଓ ମହାରଣାଙ୍କ ପ୍ରତିଦିନ ତାପମାତ୍ରା ମାପ କରିବାକୁ କହିଥିଲେ। ସେହିପରି ମନ୍ଦିର ଭିତରେ କମିସନର ବୁଲିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ। ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର ଓ ପ୍ରତିଦିନ ଶରୀରର ତାପମାତ୍ରା ମାପ କରିବାକୁ କହିଥିଲେ। ସେବାୟତମାନଙ୍କ ଗାଡ଼ି ପାର୍କିଂ ସମ୍ପର୍କରେ ଆଲୋଚନା କରିଥିଲେ। ରଥ ଖଳା ନିକଟରେ ସେବାୟତଙ୍କ ସୁବିଧା ଦୃଷ୍ଟିରୁ ଗାଡ଼ି ପାର୍କିଂ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ସମୟରେ ବିଏମ୍‌ସି ଜୋନାଲ ଡେପୁଟି କମିସର ଅଂଶୁମାନ ରଥ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବିଏମ୍‌ସି କମିସନର ଆସିବା ବେଳେ ମନ୍ଦିର ନିକଟରେ କିଛି ବ୍ୟବସାୟୀ ସାମଗ୍ରୀ ଗଦାକରି ବିକ୍ରି କରୁଥିବାରୁ ସେମାନଙ୍କୁ ଉଚ୍ଛେଦ କରାଯାଇଥିଲା। ଏନେଇ ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଉଚ୍ଛେଦ ପୂର୍ବରୁ ଘୋଷଣା ହୋଇନଥିବାରୁ ସେମାନେ ପ୍ରତିବାଦ କରିଥିଲେ।

ସମ୍ବନ୍ଧିତ ଖବର