ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ବିଜେବି କଲେଜ୍ରେ ଷ୍ଟ୍ରଙ୍ଗ୍ ରୁମ୍ କରାଯିବ। ଏଣୁ ଏହାର ସ୍ଥିତି କିଭଳି ଅଛି ତାହା ବୁଲି ଦେଖିଛନ୍ତି ବିଏମସି କମିସନର ସଂଜୟ ସିଂ। ବିଏମ୍ସି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ସହ ସେ ଏହି ସବୁ ସ୍ଥାନ ବୁଲି ଦେଖିବା ସହ ଷ୍ଟ୍ରଙ୍ଗ୍ରୁମ୍ ଚିହ୍ନଟ କରିଛନ୍ତି। ଉପଲବ୍ଧ କୋଠରୀ ଏବଂ ସ୍ଥାନକୁ ପରିଦର୍ଶନ କରିବା ସହ ଏହାର ସୁପରିଚାଳନା ଉପରେ ସେ ଗୁରୁତ୍ବ ଦେଇଛନ୍ତି।
ତାଙ୍କ ସହିତ ବିଏମ୍ସି ଅତିରିକ୍ତ ଆୟୁକ୍ତ ବିନୟ କୁମାର ଦାଶ, ଡେପୁଟି କମିସନର (ନିର୍ବାଚନ) ଶ୍ରୀମନ୍ତ ମିଶ୍ର, ଜେଡ୍ଡିସି ପୁରନ୍ଦର ନନ୍ଦ, ଡେପୁଟି କମିସନର (ସମାଜ ମଙ୍ଗଳ) କମଳାକାନ୍ତ ବେହେରା ପ୍ରମୁଖ ବିଜେବି କଲେଜ ଆଟ୍ର୍ସ ବ୍ଲକ୍ ତଳ ମହଲା ଓ ପ୍ରଥମ ମହଲା ଏକାଧିକ କୋଠରୀ ପରିଦର୍ଶନ କରିଥିଲେ। ତାଙ୍କ ସହିତ ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ, ସହକାରୀ ଅଗ୍ନିଶମ ଅଧିକାରୀ, ବଡ଼ଗଡ଼ ଥାନା ପୁଲିସ ପ୍ରମୁଖ ସାମିଲ ହୋଇଥିଲେ। ଏହାପରେ ସେମାନେ ୱାର୍ଡ଼ ୱାରୀ ଡିସ୍ପର୍ସାଲ୍ କାଉଣ୍ଟର୍, ପାର୍କିଂ ସ୍ଥାନ, ପ୍ରତୀକ୍ଷା ସ୍ଥାନ, ସୂଚନା ପ୍ରଦାନ ପାଇଁ ହେବାକୁ ଥିବା ଜାଗା ଦେଖିଥିଲେ। ପ୍ରିଜାଇଡ଼ିଂ ଅଫିସର, ପୁଲିଂ ଅଫିସର ଓ ପୁଲିସ୍ ଅଧିକାରୀ କିପରି ନିଜ ନିଜର ସ୍ଥାନରୁ ଇଭିଏମ୍ ନେବେ ଓ ଫେରାଇବେ ତାହା ଉପରେ ମଧ୍ୟ ଗୁରୁତ୍ବ ଦେଇଥିଲେ।