ବିଏମ୍‌ସି ବିନା ଅନୁମତିରେ ଖୋଳୁଛନ୍ତି : ଫଟାଇଦେଲେ ଜଳ ଯୋଗାଣ ମୁଖ୍ୟ ପାଇପ୍

ମରାମତି ପାଇଁ ୱାଟ୍‌କୋ ନୟାନ୍ତ ଜଳଯୋଗାଣ ବାଧାପ୍ରାପ୍ତ

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ବିନା ଅନୁମତିରେ ସହରରେ କେହି ଖନନ କାର୍ଯ୍ୟ କରିପାରିବେ ନାହିଁ। ହେଲେ ଅଧିକାଂଶ ସଂସ୍ଥା ବିଏମ୍‌ସିର ଏହି ନିୟମକୁ ଖାତିର୍‌ କରୁନାହାନ୍ତି। ଯିଏ ଯେଉଁଠି ପାରୁଛି, ଖୋଳି ଦେଉଛି। ଫଳରେ କେଉଁଠି ମାଟି ତଳେ ବିଛା ଯାଇଥିବା ଟେଲିଫୋନ୍‌ ତାର ଛିଣ୍ଡି ଯାଉଛି ତ କେତେବେଳେ ପାଣି ପାଇପ୍‌ ଫାଟି ଯାଉଛି। ଆଜି ଅପରାହ୍‌ଣରେ ମଧ୍ୟ ଏପରି ଏକ ଅଘଟଣ ଘଟିଛି। ବାଣୀବିହାର ରେଳବାଇ ଓଭରବ୍ରିଜ୍‌ (ଆର୍‌ଓବି) କଡ଼ରେ ଆଜି ଏଭଳି ବେଆଇନ ଖନନ କାର୍ଯ୍ୟ ଚାଲୁଥିବା ବେଳେ ମାଟି ତଳେ ଯାଇଥିବା ମୁଖ୍ୟ ପାନୀୟ ଜଳଯୋଗାଣ ପାଇପ୍‌ ଫାଟି ଯାଇଛି। ଫଳରେ ଭିଏସ୍‌ଏସ୍‌ ନଗର, ବାଣୀବିହାର, ଆଚାର୍ଯ୍ୟବିହାର ଆଦି ଅନେକ ଅଞ୍ଚଳକୁ ପାନୀୟ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି।

ଅପରପକ୍ଷେ ରାସ୍ତାରେ ପାନୀୟ ଜଳ ଲହଡ଼ି ମାରିବାରୁ ସ୍ଥାନୀୟ ଲୋକେ ୱାଟ୍‌କୋକୁ ଖବର ଦେଇଥିଲେ। ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି ଆରମ୍ଭ କରିଛନ୍ତି। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମରାମତି ସରି ନଥିଲା। ଆଜି ରାତି ସୁଦ୍ଧା ମରାମତି ହୋଇ ନ ପାରିଲେ ସମଗ୍ର ଭୁବନେଶ୍ବରକୁ ଜଳଯୋଗାଣ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ସଂପର୍କରେ ୱାଟ୍‌କୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାତି ସୁଦ୍ଧା ମରାମତି କରି ସକାଳକୁ ଜଳ ଯୋଗାଣ ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରହିଛି। ଏହାବ୍ୟତୀତ କେଉଁ ସଂସ୍ଥା ଖୋଳିଛି, ତାକୁ ଚିହ୍ନଟ କରାଯାଉଛି। ସମ୍ପୃକ୍ତ ସଂସ୍ଥାକୁ ନୋଟିସ୍‌ ହେବା ସହ ବିଏମ୍‌ସିକୁ ମଧ୍ୟ ୱାଟ୍‌କୋ ଚିଠି ଲେଖିବ ବୋଲି ସେ କହିଛନ୍ତି।

ଫାଟିଥିବା ପାଇପ୍‌ର ଉଭୟପାର୍ଶ୍ବ ଖୋଳି ମରାମତି ଆରମ୍ଭ ହୋଇଛି। ସନ୍ଧ୍ୟା ୫ଟାରୁ ୮ଟା ଭିତରେ ଏହି ମରାମତି ସାରିବାକୁ ଯୋଜନା ହୋଇଥିଲେ ମଧ୍ୟ ହୋଇପାରିନାହିଁ। ଜଳଯେଗାଣ ବନ୍ଦ କରିବା ପରେ ପାଣିକୁ ମୋଟର ଯୋଗେ ଶୁଖାଇ ଦିଆଯାଇଛି। ଲୁହା ପାଇପ ଉପରୁ ୪ବର୍ଗଫୁଟ୍‌ କାଟିବା ପରେ ପାଇପ୍‌ ଭିତରେ ପଶି ଫାଟିଥିବା ଅଂଶରେ ଏକ ଲୁହା ପ୍ଲେଟ୍‌ ଲଗାଇ ୱେଲ୍ଡିଂ କରାଯାଉଛି। ପାଣି ବନ୍ଦ କରିବାର ୨ଘଣ୍ଟା ପର୍ଯ୍ୟନ୍ତ ପାଣି ବାହାରୁଥିବାରୁ ଏହି ୱେଲ୍ଡିଂ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପାଣି ବନ୍ଦ ହେବା ପରେ ମରାମତି କାମ ଆରମ୍ଭ ହୋଇଥିଲା। ଉଭୟପାର୍ଶ୍ବକୁ ଜେସିବି ଖୋଳିବା ବେଳେ ସେଠାରେ ବିଛା ଯାଇଥିବା ଆଉ କେତେକ କେବୁଲ ମଧ୍ୟ ‌ଛିଣ୍ଡାଇ ଦେଇଛି।

ଉଲ୍ଲେଖଯୋଗ୍ୟ, ୧୯୯୭ମସିହାରୁ ଏହି ପାଣି ପାଇପ୍‌ ମାଟି ତଳେ ପୋତା ଯାଇଛି। ଅନ୍ୟ ସଂସ୍ଥାମାନେ କେବୁଲ ବିଛାଇବା ପାଇଁ ଖୋଳିଲା ବେଳେ ଏହି ପୁରୁଣା ପାଇପ୍‌କୁ ଫଟାଇ ଦେଇଛନ୍ତି। ଭୁବନେଶ୍ବରରେ ଯେକୌଣସି ଜାଗାରେ ଖୋଳିବାକୁ ହେଲେ ବିଏମ୍‌ସିଠାରୁ ଅନୁମତି ନେବାର ନିୟମ ରହିଛି। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଦେୟ ମଧ୍ୟ ଧାର୍ଯ୍ୟ ହୋଇଛି। ଖନନ କାର୍ଯ୍ୟ ବେଳେ ଯଦି ସେମାନେ ଅନ୍ୟ କିଛି ସମ୍ପତ୍ତି ନଷ୍ଟ କରନ୍ତି, ସେହି ଅର୍ଥରେ ସେଗୁଡ଼ିକ ମରାମତି ହେବା ନିୟମ ରହିଛି। ତେବେ ଘରୋଇ ସଂସ୍ଥା ସହ କେତେକ ସରକାରୀ ସଂସ୍ଥା ମଧ୍ୟ ଅନୁମତି ନେଉନାହାନ୍ତି। ଅନେକ ଜାଗାରେ ସଂସ୍ଥାମାନେ ରାସ୍ତାକଡ଼ରେ ଖୋଳି ଦେଇ ଚାଲି ଯାଉଛନ୍ତି।

ସମ୍ବନ୍ଧିତ ଖବର