ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି ହଡ଼ପ ଅଭିଯୋଗରେ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଜମି ହଡ଼ପ ସହ ପ୍ରାୟ ୪୦ କୋଟି ଟଙ୍କା ହଡ଼ପ କରିବାକୁ ଚାଲିଥିବା ଯୋଜନା ବିରୋଧରେ ସ୍ଥାନୀୟ ଲୋକ ଓ ସେବାୟତମାନେ ସ୍ୱର ଉଠାଇଛନ୍ତି। ଏ ନେଇ ଆଜି ବିଏମ୍‌ସି କାର୍ଯ୍ୟାଳୟ ଓ ବିଏମ୍‌ସି କମିସନରଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା। ଅଭିଯୋଗ ଅନୁସାରେ ମନ୍ଦିର ଉତ୍ତର ପାଶ୍ୱର୍ରେ ୧୦୦ ମିଟର ଦୂରରେ ରହିଛି ଯାତ୍ରୀ ନିବାସ (କୋରାପୁଟ ଭବନ)। ଏହାର ମୂଳ ମାଲିକ ହେଉଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ ଓ ମାର୍ଫତଦାର ହେଉଛନ୍ତି ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ। କିନ୍ତୁ ଏହି ଭୂ-ସମ୍ପତ୍ତିର ମୂଳ ରେକର୍ଡକୁ ଚଞ୍ଚକତାପୂର୍ବକ ପରିବର୍ତ୍ତନ କରାଯାଇଛି। ଜଣେ ବ୍ୟକ୍ତିଙ୍କ ନାମରେ ରେକର୍ଡ କରାଯାଇଛି। ସେହି ବ୍ୟକ୍ତି ସେଠାରେ ଅଟ୍ଟାଳିକା ନିର୍ମାଣ କରି ଘରୋଇ ଯାତ୍ରୀ ନିବାସ କରି ଭଡ଼ା ଲଗାଇ ଅର୍ଥ ଉପାର୍ଜନ କରୁଛନ୍ତି।

ଏବେ ଏକାମ୍ର ଯୋଜନାରେ ଏହି ଜମି ବାବଦରେ ୪୦ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ମସୁଧା ଚାଲିଛି। ଏଥିସହିତ ଜମି ବଦଳରେ ନୂଆ ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡ୍ ନିକଟରେ ଜମି ଦେବାକୁ ବିଏମ୍‌ସ ପତ୍ରସଂଖ୍ୟା ୬୯୯୫୩ରେ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଚିଠି କରିଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଟ୍ରଷ୍ଟ ବୋର୍ଡରେ ଅନୁମୋଦନ କରି ଠାକୁରଙ୍କ ୪୬୨ ଡିସିମିଲ ତାଙ୍କୁ ପ୍ରଦାନ ପାଇଁ ବ୍ୟବସ୍ଥା ହେଉ। ଏହା ଦ୍ୱାରା ମହାପ୍ରଭୁଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହେବ। ଏହାକୁ ପ୍ରତିବାଦ କରି ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଆଜି ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରୋଜ ମିଶ୍ର, ଗୋପୀନାଥ ପ୍ରଧାନ, ମାନସ ପତି, ରାଜେଶ ମିଶ୍ର, ବିଜୟ ଭଟ୍ଟାଚ୍ଚାର୍ଯ୍ୟ, ରାକେଶ ନାୟକ, ରାଜେନ୍ଦ୍ର କୁମାର ନାଥ, ମଞ୍ଜୁଲତା ପଟ୍ଟନାୟକ, ବିନୋଦିନୀ ସେନାପତି, ବିଷ୍ଣୁପ୍ରିୟା ଜେନା ଓ ମାନସୀ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର