ଡିଜି ଲକର ସହ ଯୋଡ଼ି ହେଲା ବିଏମ୍‌ସି: କାଗଜପତ୍ର ଦାଖଲ କରିବାକୁ ପଡ଼ିବନି, ଆପେ ଯାଞ୍ଚ ହେବ

ଭୁବନେଶ୍ବର: ଅନ୍‌ଲାଇନ୍‌ରେ ବିବାହ ପ୍ରମାଣପତ୍ର ପାଇବା ପାଇଁ ଆଉ କାଗଜପତ୍ର ଦାଖଲ କରିବାକୁ ପଡ଼ିବନି। ପ୍ରଥମ ଥର ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କେନ୍ଦ୍ର ସରକାରଙ୍କର ଇ-ଗଭର୍ଣ୍ଣାନ୍‌ସ୍‌ ବ୍ୟବସ୍ଥା ‘ଡିଜି ଲକର’ ସହ ଯୋଡ଼ି ହୋଇଛି। ଏହି ବ୍ୟବସ୍ଥା ଜରିଆରେ କାଗଜପତ୍ର ଆପେ ଯାଞ୍ଚ ହେବ। ଯାଞ୍ଚ ହେବା ପରେ ଆବେଦନକାରୀଙ୍କୁ ପ୍ରମାଣପତ୍ର ମିଳିଯିବ। ଏଭଳି ଏକ ବ୍ୟବସ୍ଥା ଆସନ୍ତାକାଲି ଠାରୁ ଉପଲବ୍ଧ ହେବାକୁ ଯାଉଥିବା ସୂଚନା ଦେଇଛନ୍ତି ବ୍ୟବସ୍ଥାର ନୋଡାଲ ଅଫିସର କମଲଜିତ୍‌ ଦାସ। ଏହି ବ୍ୟବସ୍ଥା ଏବେ ଆବେଦନକାରୀଙ୍କ ପାଇଁ ସୁବିଧା ହେବ। ବିଏମ୍‌ସିକୁ ମଧ୍ୟ ସହଜ ହେବ। ପୂର୍ବାପେକ୍ଷା ପ୍ରମାଣପତ୍ର ଆହୁରି ଶୀଘ୍ର ମିଳିଯିବ ବୋଲି ଶ୍ରୀ ଦାସ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏହି ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ଅନ୍‌ଲାଇନ୍‌ ହୋଇଥିଲା। ଅନ୍‌ଲାଇନ୍‌ରେ ଆବେଦନ କରିବା ପରେ ଉପଯୁକ୍ତ ପ୍ରମାଣପତ୍ର ଧରି ବିଏମ୍‌ସି ଅଫିସ୍‌କୁ ଆସିବାକୁ ପଡ଼ୁଥିଲା। ସେଠାରେ କାଗଜପତ୍ର ଯାଞ୍ଚ ହେବା ପରେ ପ୍ରମାଣପତ୍ର ମିଳୁଥିଲା। ଏବେ ଡିଜି ଲକର ସହ ଏହି ବ୍ୟବସ୍ଥାକୁ ସମନ୍ବିତ କରାଯାଇଛି। ଆବେଦନ ହେବା ପରେ ଡିଜି ଲକରରେ ଥିବା ଆବେଦନକାରୀର କାଗଜପତ୍ରକୁ ଅନ୍‌ଲାଇନ୍‌ରେ ଯାଞ୍ଚ କରାଯିବ। ଯାଞ୍ଚ ହେବା ପରେ ସମ୍ପୃକ୍ତ ଆବେଦନକାରୀକୁ ପ୍ରମାଣପତ୍ର ମିଳିବ।

ପୂର୍ବରୁ ଏହି ବ୍ୟବସ୍ଥା ସହ ଟ୍ରାଫିକ୍‌ ସହ ସମନ୍ବିତ ହୋଇଥିଲା‌। ଗାଡ଼ିଚାଳକ କାଗଜପତ୍ର ସାଙ୍ଗରେ ନେବେ ନାହିଁ। ବରଂ ପୁଲିସ ଅଧିକାରୀ ଗାଡ଼ିଚାଳକର କାଗଜପତ୍ର ଏହି ଡିଜିଲକର ସହାୟତାରେ ଯାଞ୍ଚ କରିବେ। କିନ୍ତୁ କୌଣସି ଟ୍ରାଫିକ୍‌ ପୁଲିସ ଏହି ବ୍ୟବସ୍ଥାକୁ ଗ୍ରହଣ କଲେ ନାହିଁ। ବରଂ ଗାଡ଼ିଚାଳକଙ୍କୁ ହଇରାଣ କଲେ। ଏଯାବତ୍‌ ଏହି ଡିଜିଲକର ବ୍ୟବସ୍ଥାକୁ ଟ୍ରାଫିକ୍‌ ଗ୍ରହଣ କରିପାରି ନାହିଁ। ଏଣୁ ଏଭଳି ଦ୍ବନ୍ଦ୍ବ ବିବାହ ପ୍ରମାଣପତ୍ର ସଂଗ୍ରହରେ ଉପୁଜିବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ବ୍ୟବସ୍ଥାରେ କୌଣସି ଦ୍ବନ୍ଦ୍ବ ହେବ ନାହିଁ ବୋଲି ବିଏମ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଲୋକଙ୍କ ସୁବିଧା ପାଇଁ ଏଭଳି ବ୍ୟବସ୍ଥା କରିବାକୁ ଗତ ଅଗଷ୍ଟ ମାସରେ ବିଏମ୍‌ସି କମିସନର ସଞ୍ଜୟ ସିଂ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ସରକାରଙ୍କର ସ୍ୱୀକୃତି ମିଳିବା ପରେ ବିଏମ୍‌ସି ଡିଜି ଲକର ସହ ଯୋଡ଼ି ହୋଇଛି। ତେବେ ଆବେଦନକାରୀ ମଧ୍ୟ ଡିଜି ଲକର ବ୍ୟବସ୍ଥା ସହ ପୂର୍ବରୁ ଯୋଡ଼ି ହୋଇଥିବା ଆବଶ୍ୟକ।

ସମ୍ବନ୍ଧିତ ଖବର