ଭୁବନେଶ୍ବର: ଗତ ୩୦ ତାରିଖ ରାତିରେ ଭରତପୁର ଥାନା ପୁଲିସ ପଣ୍ଡାକୁଦିଆ ବସ୍ତିସ୍ଥିତ ଏକ ବନ୍ଦ ଘରର ଗାଧୁଆ ଘରୁ ଜ‌ଣେ ମହିଳାଙ୍କ ଗଳିତ ମୃତଦେହ ଜବତ କରିଥିଲା। ମୃତ ମହିଳା ହେଲେ ମିନତି ଲେଙ୍କା(୪୫)। ଧାର୍ଯ୍ୟ ସମୟ ଭିତରେ ମିନତିଙ୍କ କୌଣସି ସମ୍ପର୍କୀୟ ନ ମିଳିବାରୁ ପଡ଼ୋଶୀମାନେ ଶବଦାହ କରିଛନ୍ତି।

Advertisment

ସୂଚନାନୁସାରେ ସ୍ବାମୀ ଛାଡ଼ିଚାଲିଯିବା ପରେ ମିନତି ଏକ ଘରୋଇ ହସ୍ପିଟାଲ୍‌ରେ ପରିଚାରିକା ଭାବେ କାମ କରୁଥିଲେ। କିନ୍ତୁ ଅସୁସ୍ଥ ହୋଇପଡ଼ିବାରୁ ଗତ କିଛି ଦିନ ହେଲା ସେ ଚାକିରି ଛାଡ଼ିଦେଇଥିଲେ। ପଡ଼ୋଶୀମାନଙ୍କ କହିବା କଥା ଗତ କିଛି ଦିନ ହେବ ସେ ଘରୁ ବାହାରୁ ନଥି‌ଲେ। ଘର ଭିତରୁ କବାଟ ବନ୍ଦ ଥିଲା। ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ସେମାନେ ସନ୍ଦେହ କରି ପୁଲିସକୁ ଜଣାଇଥିଲେ। ଭରତପୁର ଥାନା ପୁଲିସ ଏସିପିଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଗାଧୁଆ ଘର ଭିତରୁ ତାଙ୍କ ଗଳିତ ମୃତଦେହ ଜବତ କରିଥିଲା। ମିନତି ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗର ଆକ୍ରାନ୍ତ ଥିବା ଜଣାପଡ଼ିଛି। ପୁଲିସକୁ ଉକ୍ତ ଘରୁ ଏହି ଦୁଇ ରୋଗର ଔଷଧ ମିଳିଛି। ତେଣୁ ଗାଧୁଆ ଘରେ ପଡ଼ିଯିବା ପରେ ସେ ଆଉ ଉଠିନପାରି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି।