ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅଧୀନ ଶ୍ରୀରାମନଗର ଅଞ୍ଚଳର ଏକ କୂଅରୁ ଜଣେ ଯୁବତୀଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବତୀ ଜଣକ ହେଲେ ବାଲେଶ୍ବର ଅଞ୍ଚଳର କ୍ରିଷ୍ଣା ମହାନ୍ତି(୩୮)। ସେ ‘ମୋ ବସ୍’ରେ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିଲେ। ମାନସିକ ଚାପରୁ ସେ ଆତ୍ମହତ୍ୟା କରିଛନ୍ତି କି ଅସାବଧାନତାରୁ କୂଅରେ ପଡ଼ି ଯାଇଛନ୍ତି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନା ମୁତାବକ ଶ୍ରୀରାମନଗର ଲେନ୍ ୧୩ର ପ୍ଲଟ୍ ନଂ ୧୦୨୬/୯୦ରେ ଭଡ଼ାରେ ରହୁଥିଲେ କ୍ରିଷ୍ଣା। ସେ କିଛି ଦିନ ହେଲା ମାନସିକ ଚାପରେ ରହୁଥିଲେ। ତାଙ୍କ ୨ସାନ ଭଉଣୀ ବିବାହ କରି ସାରିଥିଲେ। ସେ ଘରର ବଡ଼ ଭଉଣୀ ଥିଲେ ହେଁ ତାଙ୍କର ବିବାହ ହୋଇନଥିଲା। ଅଧିକ ପାଠ ପଢ଼ି ଚାକରି କରିବାକୁ ଲକ୍ଷ୍ୟ ରଖିଥିଲେ। ତାଙ୍କୁ ଚାକିରି କରାଇ ଦେବାକୁ କହି ଅନ୍ଲାଇନ୍ରେ ଜଣେ ବ୍ୟକ୍ତି ୧ଲକ୍ଷ ୩୮ହଜାର ଟଙ୍କା ଠକେଇ କରି ନେଇଥିଲା। ଏନେଇ ସେ ୨୦୨୧ମସିହା ଜୁଲାଇରେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। କ୍ରିଷ୍ଣା ଗତ ୧୫ତାରିଖରୁ କଣ୍ଡକ୍ଟର କାର୍ଯ୍ୟରୁ ଇସ୍ତଫା ଦେଇଥିଲେ। ଆଜି ସେ ରହୁଥିବା ଘର ମାଲିକ କୂଅ ନିକଟରେ ପାଣି ପମ୍ପ ଲଗାଇବାକୁ ଯିବା ବେଳେ ମୃତଦେହ ଭାସୁଥିବା ଦେଖିଥିଲେ। ଏନେଇ ସେ ଥାନାକୁ ଜଣାଇଥିଲେ। ପରେ ପ୍ରଦୀପ ସେବା ଟ୍ରଷ୍ଟ ଓ ଫାୟାର ସର୍ଭିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ସେ ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକ ସନ୍ଦେହ କରୁଥିବା ବେଳେ ପୁଲିସର ପ୍ରାଥମିକ ତଦନ୍ତରୁ ସେ ଅନ୍ୟମନସ୍କ ହୋଇ କୂଅରେ ପଡ଼ିଯାଇଥିବା ଜଣାପଡ଼ିଛି। କୂଅ ନିକଟରେ ତାଙ୍କ ମୋବାଇଲ୍ ଫୋନ୍ ପଡ଼ିଥିବା ବେଳେ କୂଅର ଜାଲି ମେଲି ଯାଇଥିଲା। ସେ ଗତକାଲି କୂଅ ନିକଟରେ ବସି ଫୋନ୍ରେ କଥା ହେଉଥିଲେ। ପଛପଟୁ ଓଲଟି ପଡ଼ିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-sisat-1.jpg)