ଭୁବନେଶ୍ବର: ଗତକାଲି ରାତିରେ ରାଜଧାନୀରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ କଲେଜ୍ର ଛାତ୍ରାବାସରୁ ପୁଲିସ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କରିଛି। ସେ ହେଲେ ପ୍ରଥମ ବର୍ଷର ଛାତ୍ର ସୂର୍ଯ୍ୟପ୍ରକାଶ ପଲେଇ। ତାଙ୍କ ଘର ପୁରୀ ଜିଲ୍ଲା ପାରିକୁଦରେ। ସେ କ’ଣ ପାଇଁ ଆତ୍ମହତ୍ୟା କରୁଛନ୍ତି, ଜାଣିନାହାନ୍ତି ବୋଲି ପୁଲିସ ଜବତ କରିଥିବା ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ ରହିଛି। ଗତ କିଛି ଦିନ ପୂର୍ବେ ଏୟାର୍ଫିଲ୍ଡ ଥାନା ଅଞ୍ଚଳରେ ଏକ ଘରୋଇ ନର୍ସିଂ କଲେଜରେ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ତାଙ୍କୁ ନିଦ ହେଉନଥିବାରୁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟ୍ରେ ଲେଖିଥିଲେ। ସମ୍ପ୍ରତି ବହୁ ମାମଲାରେ ଏଭଳି ବଡ଼ ବିଚିତ୍ର ତଥ୍ୟ ମିଳୁଥିବାରୁ ବଢ଼ୁଥିବା ଆତ୍ମହତ୍ୟା ପ୍ରବଣତାକୁ ନେଇ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକାଶ କରିଛନ୍ତି।
ସୂଚନା ମୁତାବକ ସୋମବାର ରାତିରେ ରାତ୍ରିଭୋଜନ ପାଇଁ କ୍ୟାଣ୍ଟିନ୍ କର୍ମଚାରୀମାନେ ସୂର୍ଯ୍ୟପ୍ରକାଶଙ୍କୁ ଖୋଜିଖୋଜି ତାଙ୍କ ରୁମ୍କୁ ଯାଇଥିଲେ। ସେ ଭିତରୁ ଜବାବ ନଦେବାରୁ କର୍ମଚାରୀମାନେ ଝରକା ଦେଇ ଭିତରକୁ ଚାହିଁଥିଲେ। ସେତେବେଳେକୁ ସୂର୍ଯ୍ୟ ଫ୍ୟାନ୍ରେ ଝୁଲୁଥିଲେ। ସେମାନଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀ ଓ ଛାତ୍ରମାନେ ସେଠାରେ ପହଞ୍ଚି କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ଚିକିତ୍ସା ପାଇଁ ସେମାନେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଇନ୍ଫୋଭ୍ୟାଲି ଥାନା ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। କଲେଜ୍ କର୍ତୃପକ୍ଷଙ୍କ ଅଭିଯୋଗ ପାଇବା ପରେ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ହଷ୍ଟେଲ୍ରେ ପହଞ୍ଚି ଯାଞ୍ଚ କରିଥିଲେ। ଏହି ସମୟରେ ପୁଲିସ ସେଠାରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିଲା। ସେଥିରେ ସୂର୍ଯ୍ୟ ତାଙ୍କ ମା’ଙ୍କୁ ଚିଠି ଲେଖିଥିଲେ। ସେ ଚିଠିରେ ଲେଖିଥିଲେ, ‘ଲଭ୍ ୟୁ ମାମା। ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। କ’ଣ ପାଇଁ ମୁଁ ଆତ୍ମହତ୍ୟା କରୁଛି, ତାହା ବି ଜାଣିପାରୁନାହିଁ? ଏହି କଲେଜ୍ ବହୁତ ଭଲ ଓ ମୋ ସାଙ୍ଗମାନେ ମଧ୍ୟ ବହୁତ ଭଲ।’ ଉକ୍ତ ଚିଠିରେ ସେ ତାଙ୍କର ୫ ଜଣ ଘନିଷ୍ଠ ସାଙ୍ଗଙ୍କ ନାଁ ମଧ୍ୟ ଲେଖିଛନ୍ତି। ତେଣୁ ସୂର୍ଯ୍ୟଙ୍କ ମୃତ୍ୟୁକୁ ନେଇ ପୁଲିସ ଦ୍ବନ୍ଦ୍ବରେ ପଡ଼ିଛି। ହସ୍ତାକ୍ଷର ଯାଞ୍ଚ କରାଯିବ ବୋଲି ପୁଲିସ ସୂଚନା ଦେଇଛି।