ଦେବୀପାଟଣା ଗାଁ ଶ୍ମଶାନରୁ ଶବ ମିଳିବା ଘଟଣା, ପୁଲିସ ପିଟିପିଟି ମାରି ଦେଇଥିବା ଅଭିଯୋଗ

ମାନବାଧିକାର କମିସନଙ୍କୁ ଭେଟିଲେ ପରିବାରବର୍ଗ

ଭୁବନେଶ୍ବର: କାକଟପୁର ଥାନା ଦେବୀପାଟଣା ଗ୍ରାମର ଶ୍ମଶାନରୁ ଶବ ମିଳିବା ଘଟଣା ନୂଆ ମୋଡ଼ ନେଇଛି। ପୁଲିସ ପିଟିପିଟି ମାରି ଦେବା ପରେ ଶ୍ମଶାନ ନିକଟରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମୃତକର ପରିଜନ। ଆଜି ମୃତକଙ୍କ ପରିବାରର ସଦସ୍ୟମାନେ ମାନବାଧିକାର କମିସନଙ୍କ ନିକଟରେ ଏଭଳି ସଂଗିନ ଅଭିଯୋଗ କରିଛନ୍ତି।

ଶ୍ରୀଚନ୍ଦନପୁର ଗ୍ରାମର କୁନା ପାତ୍ରଙ୍କ ଅଭିଯୋଗ ମୁତାବକ, ଗତ ଏପ୍ରିଲ ୧୧ ତାରିଖ ଦିନ ତାଙ୍କ ବାପା ମାଧବାନନ୍ଦ ପାତ୍ର ନୂଆହାଟ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ। ପରଦିନ ତାଙ୍କ ବାପାଙ୍କ ମୃତଦେହ ଶ୍ମଶାନ ନିକଟରେ ପଡ଼ିଥିଲା। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ମାଡ଼ ଖାଇବା ଭଳି ବିଭିନ୍ନ ସ୍ଥାନରେ ଚିହ୍ନ ରହିଥିଲା। କେହି ପିଟିପିଟି ମାରି ଦେଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ପରେ ଜଣାପଡ଼ିଥିଲା କି ନୂଆହାଟ ବଜାରରେ ଏକ ଜୁଆ ଆଡ଼ା ଚାଲିଥିଲା।

ସେଠାରେ ପୁଲିସ ଚଢ଼ଉ କରି ଜୁଆଡ଼ିଙ୍କୁ ପିଟିଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଥିଲା। ସେହି ସମୟରେ ସେଠାରେ ମାଧବାନନ୍ଦ ମଧ୍ୟ ଉପସ୍ଥିତ ଥିଲେ। ଏଣୁ ତାଙ୍କୁ ମଧ୍ୟ ପୁଲିସ ପିଟିଛି ଏବଂ ସେ ମରିଯିବା ପରେ ଶ୍ମଶାନ ନିକଟରେ ଫିଙ୍ଗି ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ପୁଲିସ ମାଧବାନନ୍ଦଙ୍କୁ ପିଟିପିଟି ମାରି ଦେଇଥିବା ନେଇ କାକଟପୁର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଧମକ ଦେଇ ଏତଲା ବଦଳାଇ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର