ବାଲିପାଟଣା: ଚୋର ଓ ମାଙ୍କଡ଼ଙ୍କ ଉପଦ୍ରବରୁ ଫସଲ ରକ୍ଷା କରିବାକୁ କିଆରୀ ବାଡ଼ରେ ଜିଆଇ ତାର ଘେରାଇ ବିଦ୍ୟୁତ୍ ସଂଯୋଗ କରିଥିଲେ। କିନ୍ତୁ ବିଧିର ବିଡ଼ମ୍ବନା। ସେହି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ସୁମୁଦି ଗାଁର ସୁରେଶ ବେହେରା ଓରଫ୍ ବୁଲୁ(୩୨)। ଗରିବ ବୁଲୁଙ୍କ ଏଭଳି ଅକାଳ ମୃତ୍ୟୁ ଲୋକଙ୍କୁ ଯେତିକି ଦୁଃଖ ଦେଇନି, ପୁଲିସ ଶବ ଜବତ କରିବାକୁ ୧୦ ଘଣ୍ଟା ନେଇ ବିଳମ୍ବ କରିବା ସେତିକି ବ୍ୟଥିତ କରିଛି। ପୁଣି ବୁଲୁଙ୍କ ମୃତଦେହ ପାଇଁ ପୁଲିସ ଭ୍ୟାନ୍ କିମ୍ବା ଆମ୍ବୁଲାନ୍ସ ଯୋଗାଡ଼ କରି ନ ପାରି ଏକ ଡାଲାଅଟୋରେ ଡାକ୍ତରଖାନା ନେଇଥିଲା। ତେଣୁ ଗତରାତିରୁ ବୁଲୁଙ୍କ ମୃତ୍ୟୁ ହୋଇଥିଲେ ବି ଆଜି ଶବ ବ୍ୟବଚ୍ଛେଦ ହୋଇପାରିନାହିଁ।
ଦେଉଳିଧରପୁର ଖୁଣ୍ଟିଆସାହିର ବୁଲୁ ସୁମୁଦି ଗ୍ରାମର ସୁଭଦ୍ରାଙ୍କୁ ବିବାହ କରିଥିଲେ। ସେମାନେ ସୁମୁଦି ଗାଁ ନିକଟ କୁଶଭୁଦ୍ରା ନଦୀପଠାରେ ଝାଟିମାଟିର ଘର କରି ରହୁଥିଲେ। ବୁଲୁ ସ୍ଥାନୀୟ ଅଞ୍ଚଳରେ ମୂଲପାତି ଲାଗୁଥିଲେ। ଏଥିସହିତ ନଦୀପଠାରେ ସେ କରିଥିବା ବାଡ଼ିରେ ଅମୃତଭଣ୍ଡା, କଦଳୀ, କାଙ୍କଡ଼ ଆଦି ପନିପରିବା ଚାଷ କରିଥିଲେ। ଚୋର ଓ ମାଙ୍କଡ଼ଙ୍କ ଉପଦ୍ରବରୁ ଫସଲ ରକ୍ଷା କରିବାକୁ ସେ ବିଲ ବାଡ଼ରେ ତାର ଘେରାଇ ବିଦ୍ୟୁତ୍ ସଂଯୋଗ କରୁଥିଲେ। ସବୁଦିନ ରାତିରେ ଶୋଇବା ପୂର୍ବରୁ ବୁଲୁ ତାରବାଡ଼ରେ ବିଦ୍ୟୁତ୍ ସଂଯୋଗ କରିଦିଅନ୍ତି। ଗତକାଲି ରାତିରେ ସମସ୍ତେ ଶୋଇଥିବା ବେଳେ ବୁଲୁ ପରିସ୍ରା କରିବାକୁ ଯାଇଥିଲେ। ଅସାବଧାନତାବଶତଃ ସେ ବାଡ଼ ସଂସ୍ପର୍ଶରେ ଆସି ଟଳି ପଡ଼ିଥିଲେ। ସକାଳୁ ତାଙ୍କ ପତ୍ନୀ ସୁଭଦ୍ରା ନିଦରୁ ଉଠିବା ପରେ ସବୁ ଦେଖିଥିଲେ। ଖବର ପାଇ ବାଲିପାଟଣା ଥାନା ପୁଲିସ ପହଞ୍ଚିଥିଲା। ଡାକ୍ତରଖାନାକୁ ମୃତଦେହ ନେବାଲାଗି ସୁଭଦ୍ରା ଅର୍ଥ ଯୋଗାଡ଼ କରିପାରିନଥିଲେ। ପୁଲିସ ମଧ୍ୟ ଭ୍ୟାନ୍ କିମ୍ବା ଆମ୍ବୁଲାନ୍ସ ଯୋଗାଡ଼ କଲାନି। ସକାଳ ଯାଇ ସଂଜ ବୁଡ଼ିବାକୁ ବସିଲା। ଗ୍ରାମବାସୀଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇବା ଦେଖି ପୁଲିସ ଏକ ଡାଲାଅଟୋରେ ମୃତଦେହକୁ ଡାକ୍ତରଖାନା ପଠାଇଥିଲା। ବୁଲୁଙ୍କ ପତ୍ନୀ ଓ ୨ ପିଲା ଏବେ ବେସାହାରା ହୋଇପଡ଼ିଛନ୍ତି।