ଭୁବନେଶ୍ବର: ଓଡ଼ିଶା ପାରମ୍ପରିକ ମତ୍ସ୍ୟ କର୍ମୀ ସଙ୍ଗଠନ ପକ୍ଷରୁ ଆଜି ଭୁବନେଶ୍ବରସ୍ଥିତ ଜୟ ଭାରତ କନଫରେନ୍ସ ହଲ୍ରେ ବିଶ୍ବ ମତ୍ସ୍ୟ ଚାଷ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ଉପ ଶ୍ରମ କମିସନର ଦୀନବନ୍ଧୁ ଅଧିକାରୀଙ୍କ ଲିଖିତ ‘ଚିଲିକା, ସମୁଦ୍ର ଓ ଆମ ମତ୍ସ୍ୟଜୀବୀ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୂଚନା, ପ୍ରଯୁକ୍ତିବିଦ୍ୟା ଓ କ୍ରୀଡ଼ା, ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ସଭାକୁ ଉଦ୍ଘାଟନ କରିଥିଲେ।
ମତ୍ସ୍ୟଜୀବୀମାନଙ୍କ ସମସ୍ୟା ଉପରେ ଅବଗତ ହେବା ପରେ କିପରି ସେସବୁର ସମାଧାନ ହୋଇପାରିବ, ତା’ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସଭାରେ ସଭାପତି ପ୍ରସନ୍ନ କୁମାର ବେହେରା ସଭାପତିତ୍ବ କରିଥିବା ବେଳେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ ଯୋଗଦେଇ ଚିଲିକାର ପରିବେଶ ଉପରେ ଆଲୋଚନା କରିଥିଲେ। ଏହା ସହ ନିଖିଳ ଉତ୍କଳ କୈବର୍ତ୍ତ୍ୟ ମହାସଭାର ଉପସଭାପତି ମନୋଜ ବେହେରା, ଓଡ଼ିଶା ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ହଳଧର ସେଠୀ, ସାଧାରଣ ସମ୍ପାଦକ ଦୀନବନ୍ଧୁ ଅଧିକାରୀ ଉପସ୍ଥିତ ରହି ଚିଲିକାରେ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ।
ଏଥିସହ କଇଁଛଙ୍କ ସୁରକ୍ଷା ଲାଗି ଜାନୁଆରି ୧ ତାରିଖଠାରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ମାଛଧରା ନିଷେଧ କରାଯାଉ, ସମସ୍ତ ସାମୁଦ୍ରିକ ସମବାୟ ସମିତି ଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବା ସହ ସମିତି କାର୍ଯ୍ୟାଳୟ ପାଇଁ ପକ୍କାଘର ଯୋଗାଇଦେବା, ପାରମ୍ପରିକ ମତ୍ସ୍ୟଜୀବୀମାନେ ବ୍ୟବହାର କରୁଥିବା ଡଙ୍ଗା, ଜାଲ ଓ ମେସିନ୍ର ସୁରକ୍ଷା ପାଇଁ ପ୍ରତ୍ୟେକ ମତ୍ସ୍ୟଜୀବୀ ଅବତରଣ କେନ୍ଦ୍ରଠାରେ ଶୀତଳ ଭଣ୍ଡାର ନିର୍ମାଣ, ମତ୍ସ୍ୟ ଅବତରଣ କେନ୍ଦ୍ରଗୁଡ଼ିକରେ ପୋତାଶ୍ରୟ ସହ ଜେଟି ନିର୍ମାଣ, ୬୦ବର୍ଷର ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କୁ ମାସିକ ୨ହଜାର ଟଙ୍କା ପେସନସନ୍ ପ୍ରଦାନ ଆଦି ୧୫ଦଫା ଦାବି ଉପସ୍ଥାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/31.jpg)