ଭୁବନେଶ୍ବର: ଦୁଇ ବର୍ଷର ବିରତି ପରେ ପୂର୍ଣ୍ଣାଙ୍ଗ ରୂପରେ ଆରମ୍ଭ ହୋଇଥିବା ୨୫ତମ କଳିଙ୍ଗ ପୁସ୍ତକ ମେଳାରେ ଲୋକଙ୍କ ଗହଳି ବଢ଼ୁଛି। ପୁସ୍ତକ ଓ ପୁସ୍ତକ ମେଳାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ରହିଥିବା ଉତ୍ସାହ ଓ ଉଦ୍ଦୀପନା ସ୍ପଷ୍ଟ ବାରି ହୋଇପଡ଼ୁଛି। ଆଜି ମେଳାର ତୃତୀୟ ଦିନ ଥିବା ବେଳେ ପୁସ୍ତକ ପ୍ରେମୀମାନଙ୍କ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ରବିବାର ଛୁଟିଦିନ ଥିବାରୁ ଅପରାହ୍ଣ ୪ଟାରୁ ମେଳା ପଡ଼ିଆ ପୂରି ଉଠିଥିଲା। ଏଠାରେ ପଡ଼ିଥିବା ୮୦ଟି ବହି ଷ୍ଟଲ୍ ମଧ୍ୟରୁ ବିଶେଷକରି ଓଡ଼ିଆ ଗପ, ଉପନ୍ୟାସ, ଶିଶୁ କଥା, ଭ୍ରମଣ କାହାଣୀ, ଆଧ୍ୟାତ୍ମିକ ବହି ମିଳୁଥିବା ଷ୍ଟଲ୍ଗୁଡ଼ିକରେ କିଶୋରଙ୍କଠାରୁ ବରିଷ୍ଠଙ୍କ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଲୋକଙ୍କ ଭିଡ଼ ଜମିଥିଲା। ମେଳାରେ ସ୍କୁଲ୍ ଓ କଲେଜର ପାଠ୍ୟପୁସ୍ତକ ସମେତ ବିଭିନ୍ନ ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷା ବହି ବି ବିକ୍ରି କରାଯାଉଛି। ତେବେ ଦିନକୁ ଦିନ ଲୋକଗହଳି ବଢ଼ୁଥିବାରୁ ପ୍ରକାଶକ ଓ ବୁକ୍ ଷ୍ଟୋର୍ ମାଲିକମାନେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ମେଳାକୁ ଆସିଥିବା ପାଠକ ଶୋଭନ କୁମାର ଦାଶ, ସମୀକ୍ଷା ପଲାଇ, ଚିନ୍ମୟ ଦଣ୍ଡପାଟ କହିଛନ୍ତି ଯେ ଆଜିକା ଯୁଗକୁ ଲୋକେ ମୋବାଇଲ୍ ଯୁଗ ବୋଲି କହୁଛନ୍ତି। ହାତ ପାଆନ୍ତାରେ ସବୁ କିଛି ଉପଲବ୍ଧ ହେଉଛି, ସେଥିରେ ଦ୍ବିମତ ନାହିଁ। କିନ୍ତୁ ଛାପା ବହିର ବାସ୍ନା ଅଲଗା। ବହିଟିଏ ଧରି ପଢ଼ିବାର ମଜା ମୋବାଇଲ୍ ସ୍କ୍ରିନ୍ରେ କୋଉଠୁ ମିଳିବ? ଯୁଗ ଯେତେ ଆଗେଇଲେ ବି ଛାପା ବହିର ସ୍ଥାନ କେହି ନେଇପାରିବେ ନାହିଁ। କରୋନା ଯୋଗୁଁ ଦୁଇ ବର୍ଷ ଧରି ଏମିତି ବଡ଼ଧରଣର ପୁସ୍ତକ ମେଳା ହୋଇ ନଥିବାରୁ ଆମ ମନ ମରି ଯାଇଥିଲା। ଏଥରକ ମେଳାକୁ ଆସି ବହୁତ ଖୁସି ଲାଗୁଛି। ଯେଉଁ ବହିଗୁଡ଼ିକ ଆମେ ଦୋକାନରେ ପାଉ ନଥିଲୁ, ତାହା ଏଠାରେ ପ୍ରକାଶନୀ ସଂସ୍ଥା ପକ୍ଷରୁ ସିଧାସଳଖ ମିଳିଯାଉଛି। ଏହା ହିଁ ଏ ପୁସ୍ତକ ମେଳାର ଅନ୍ୟତମ ବିଶେଷତ୍ବ। ଓଡ଼ିଆ ଭାଷା ସାହିତ୍ୟର ଅନନ୍ୟ କାଳଜୟୀ ସୃଷ୍ଟିଗୁଡ଼ିକ ବି ଏଠାରେ ଦେଖିବାକୁ ମିଳୁଛି। ତାହା ବେଶି ଆକୃଷ୍ଟ କରୁଛି।
ପୁସ୍ତକ ମେଳାର ସମ୍ପାଦିକା ରେଣୁକା ମିଶ୍ର କହିଛନ୍ତି, ଦୁଇ ବର୍ଷ ପରେ ମେଳା ହେଉଥିବାରୁ ଅନେକ ପୁସ୍ତକ ପ୍ରେମୀଙ୍କ ଭିଡ଼ ମେଳାରେ ଦେଖିବାକୁ ମିଳୁଛି। ଆଜି ଆମେ ସ୍କୁଲ ପିଲାମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା କରିଥିଲୁ। ସେହିଭଳି ବ୍ୟଙ୍ଗ ସାହିତ୍ୟିକମାନଙ୍କୁ ନେଇ ଏକ ବ୍ୟାଙ୍ଗାତ୍ମକ ସମ୍ମିଳନୀ ମଧ୍ୟ କରାଯାଇଥିଲା।
‘ଆମ ଓଡ଼ିଶା’ ଷ୍ଟଲ୍ରେ ଭିଡ଼
ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘ଆମ ଓଡ଼ିଶା’ ଦ୍ବାରା ପ୍ରକାଶିତ ପୁସ୍ତକଗୁଡ଼ିକରେ ଦିଆଯାଉଥିବା ସ୍ବତନ୍ତ୍ର ରିହାତି ପାଠକଙ୍କୁ ବେଶି ଆକୃଷ୍ଟ କରୁଥିବା ଜଣାଯାଇଛି। ବିଶେଷକରି ଗାନ୍ଧୀ ବିଚାର ଗାନ୍ଧୀଙ୍କ ଭାଷାରେ (ଗାନ୍ଧୀଙ୍କୁ ନେଇ ୧୦ଟି ପୁସ୍ତକ ସେଟ୍), ମହାଭାରତକୁ ନେଇ ‘କୃଷ୍ଣାବତାର’ର ଏକ ସେଟ୍ ଓ ସୁରେନ୍ଦ୍ର ମହାନ୍ତିଙ୍କ ‘ସୁରେନ୍ଦ୍ର ରଚନା ସମଗ୍ର’, ଗୋପାଳ ବଲ୍ଲଭ ପଟ୍ଟନାୟକଙ୍କ ‘ମନେ ଅଛି ଯେତିକି’ ଆଦି ବହିଗୁଡ଼ିକ ଅଧିକ ବିକ୍ରି ହେଉଥିବା ଜଣାପଡ଼ିଛି।