ଭୁବନେଶ୍ବର: ଗୀତଗୋବିନ୍ଦ ସଦନଠାରେ ‘ଫାଉଣ୍ଡେସନ୍ ଅଫ୍ ମ୍ୟାଥ୍ମେଟିକ୍ସ’ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଗଣିତଜ୍ଞ ଡ. ଗୋକୁଳାନନ୍ଦ ଦାସ କହିଲେ, ଏହି ଗଣିତ ପୁସ୍ତକ ଯୁକ୍ତ-୨ ପିଲାମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। ବିଶେଷ କରି ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ ପାଇଁ ଏହି ପୁସ୍ତକ ଅତ୍ୟନ୍ତ ସହାୟକ ହେବ ବୋଲି ଡ. ଦାସ ମତବ୍ୟକ୍ତ କରିଥିଲେ। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥ୍ମେଟିକ୍ସ ଆଣ୍ଡ ଆପ୍ଲିକେସନ୍ର ନିର୍ଦ୍ଦେଶକ ଡ. ଯଶୋବନ୍ତ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ପୁସ୍ତକର ଲେଖକ ଅମରେନ୍ଦ୍ର ପଟ୍ଟନାୟକ, ତପନ ବିହାରୀ ଭଞ୍ଜ ଓ ବିଶିଷ୍ଟ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଉପସ୍ଥିତ ଥିଲେ। ଶିକ୍ଷାବିତ୍ ଅଭିରାମ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ। ସୂଚନାଯୋଗ୍ୟ, ଏହି ପୁସ୍ତକରେ ଯୁକ୍ତ-୨ ଗଣିତ ପାଠ୍ୟକ୍ରମର ୨୮ଟି ପ୍ରମୁଖ ବିଷୟ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଏଥିରେ ପର୍ଯ୍ୟାପ୍ତ ଉଦାହରଣ, ଅଭ୍ୟାସ ପ୍ରଶ୍ନ ସନ୍ନିବେଶିତ ହୋଇଛି।