ବହି ପ୍ରତ୍ୟେକ କ୍ଷେତ୍ରକୁ ଆଲୋକିତ କରିଛି: ବିଶ୍ବଭୂଷଣ

ସାହିତ୍ୟ ଅକାଦେମି ପକ୍ଷରୁ ବ୍ୟକ୍ତି ଓ ବହି କାର୍ଯ୍ୟକ୍ରମ

ଭୁବନେଶ୍ବର: ଜାତୀୟ ଚେତନାକୁ ଉଦ୍‌ବୁଦ୍ଧ କରିଥିବା ବହିଗୁଡ଼ିକ ମୋତେ ସବୁଠାରୁ ଅଧିକ ପ୍ରଭାବିତ କରିଛି। ମୋ ବାପା ପର୍ଶୁରାମ ହରିଚନ୍ଦନଙ୍କଠାରୁ ଆରମ୍ଭ କରି ଗୋଦାବରୀଶ ମହାପାତ୍ର, ଫକୀର ମୋହନ ସେନାପତି, ରାଧାନାଥ ରାୟ, ଗୋପବନ୍ଧୁ ଦାସ ଆଦି ବରେଣ୍ୟ ଲେଖକଙ୍କ ଗଳ୍ପ, ଉପନ୍ୟାସ, କାବ୍ୟ, କବିତା ମୋତେ ଖୁବ୍‌ ଆନ୍ଦୋଳିତ କରିଛି। ସେ କାଳଜୟୀ ଲେଖାଗୁଡ଼ିକରେ ଜାତିର ସ୍ବାଭିମାନ ଓ ପ୍ରଗତି ପାଇଁ ଆହ୍ବାନ ରହିଛି। ସେଭଳି ଲେଖା ଖାଲି ମୋତେ ନୁହେଁ, ପୂରା ସମାଜକୁ ଖୁବ୍‌ ପ୍ରଭାବିତ କରିଛି। କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ‘ବ୍ୟକ୍ତି ଓ ବହି’ରେ ଯୋଗଦେଇ ଏହା କହିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ବିଶିଷ୍ଟ ସାହିତ୍ୟିକ ବିଶ୍ବଭୂଷଣ ହରିଚନ୍ଦନ।

ଏହି ସାରସ୍ବତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଆହୁରି କହିଥିଲେ ଯେ ପୁସ୍ତକ ସମାଜର ପ୍ରତ୍ୟେକ କ୍ଷେତ୍ରକୁ ଆଲୋକିତ କରିଛି। ଜ୍ଞାନ ସଂପ୍ରାସରଣରେ ପୁସ୍ତକର ଭୂମିକା ଗୁରୁତ୍ବପୂର୍ଣ୍ଣ। ସାହିତ୍ୟିକ, ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ସୃଷ୍ଟି କରିବା ସହ ବିପ୍ଳବୀ ତିଆରି କରିବାରେ ମଧ୍ୟ ପୁସ୍ତକର ଭୂମିକା ରହିଛି। ବାପା ପର୍ଶୁରାମ ହରିଚନ୍ଦନ ଜଣେ ସାହିତ୍ୟିକ ଥିଲେ। ପ୍ରତିଦିନ ସେ ପୁସ୍ତକ ପଢ଼ୁଥିଲେ। ତାଙ୍କର ଜାତୀୟତାବାଦ ଚିନ୍ତାଧାରା ରହିଥିଲା। ଜାତି ଓ ମାଟିକୁ ନେଇ ପୁସ୍ତକ ରଚନା କରୁଥିଲେ। ଓଡ଼ିଶା ସୀମା ଆନ୍ଦୋଳନ ଉପରେ ଅଧାରିତ ବାପାଙ୍କ ‘ଛିନ୍ନାଙ୍ଗି’ ପୁସ୍ତକ ସେ ସମୟରେ ମୋତେ ବହୁତ ପ୍ରଭାବିତ କରିଥିଲା। ଫକୀରମୋହନ ସେନାପତିଙ୍କ ଛମାଣ ଆଠଗୁଣ୍ଠ, ଲଛମା, ମାମୁ ଭଳି ପୁସ୍ତକ ମୁଁ ପଢ଼ିଛି। ଗୋଦାବରୀଶ ମହାପାତ୍ରଙ୍କ ‘ଉଠ କଙ୍କାଳ’ କବିତାର ‘ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି’ ମୋ ଭଳି ଅନେକଙ୍କୁ ପ୍ରଭାବିତ କରିଛି।

ସେତେବେଳେ ସନ୍ଧ୍ୟ‌ା ସମୟରେ ଗାଁରେ ପଢ଼ାଯାଉଥିବା ରାମାୟଣ, ମହାଭାରତ ଶୁଣିଛନ୍ତି। ମହାଭାରତରେ ଦ୍ରୌପଦୀ ବସ୍ତ୍ରହରଣ ଭଳି କିଛି ପ୍ରସଙ୍ଗ ତାଙ୍କ ମନକୁ ଆନ୍ଦୋଳିତ କରିଛି। ଫଳରେ ସେ ପରବର୍ତ୍ତୀ ସମୟରେ ଉକ୍ତ ପ୍ରସଙ୍ଗ ଉପରେ ପୁସ୍ତକ ରଚନା କରିଛନ୍ତି। ସମାଜ ଆମର, ଦେଶ ଆମର, ସଚେତନ ନାଗରିକ ଭାବରେ ସମାଜକୁ ତିଆରି କରିବା ଦାୟିତ୍ବ ବି ଆମର ବୋଲି କହିଛନ୍ତି। ସେ ଆଜି ବି ଲେଖା ଲେଖି ଜାରି ରଖିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରେ ସାହିତ୍ୟ ଅକା‌ଦେମିର ସଚିବ କେ. ଶ୍ରୀନିବାସ ରାଓ ସ୍ବାଗତ ଭା‌ଷଣ ଦେବା ସହ ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କ ପରିବାର, ବ୍ୟକ୍ତିତ୍ବ, ସାହିତ୍ୟିକ ଜୀବନ, ସୃଷ୍ଟି ସମ୍ପର୍କରେ ସୂଚନା ଦେଇଥିଲେ। ଶେଷ‌ରେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡ. ବିଜୟାନନ୍ଦ ସିଂ ଧନ୍ୟବାଦ ଦେବା ସହ ଶ୍ରୀ ହରିଚନ୍ଦନଙ୍କ ବଳିଷ୍ଠ ବ୍ୟକ୍ତିତ୍ବ ଓଡ଼ିଶାର ସମ୍ମାନକୁ ବୃଦ୍ଧି କରୁଛି ବୋଲି କହିଥିଲେ। ଏହି ଉତ୍ସବରେ ବହୁ ପ୍ରଖ୍ୟାତ ସାହିତ୍ୟିକ, ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର