ଭୁବନେଶ୍ବର: ପକେଟ ହାଲ୍କା କରୁଛି କିନ୍ତୁ ପାଟିକୁ ପାଉନି। ରାଜଧାନୀର ଆମିଷପ୍ରିୟ ବ୍ୟକ୍ତିଙ୍କ ଦୁଃଖ ସରୁନି। ମଟନ ଦର କେଜି ପ୍ରତି ୭୫୦ରୁ ୮୫୦ ଟଙ୍କା ଏବଂ ଚିକେନ ଦର କିଲୋ ପିଛା ୨୩୦ ଟଙ୍କାରେ ପହଞ୍ଚିଛି। ସାଧାରଣତଃ ଖରା ଦିନରେ ଚିକେନ ଦର ହ୍ରାସ ପାଇଥାଏ ଓ ଶୀତରେ ବୃଦ୍ଧି ପାଏ। ଚଳିତ ବର୍ଷ ମେ’ ୧୨ ତାରିଖରେ ଚିକେନ ଦର ଏକାଥରକେ ୨୦୦ରୁ ୩୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। କିଛି ଦିନ ହେଲା ଏହା ୨୩୦ ଟଙ୍କାକୁ ହ୍ରାସ ପାଇଛି। କୋଭିଡ୍ ପରଠାରୁ ଆମିଷ ଖାଇବା ବୃଦ୍ଧି ସହିତ ତା’ର ଦର ବଢ଼ିଛି। ଦରବୃଦ୍ଧିର ବିଭିନ୍ନ କାରଣ ଯାହା କୁହାଯାଉଛି ତାହା ହେଲା, ରାଜ୍ୟରେ ଆବଶ୍ୟକତା ଅନୁସାରେ ଛେଳି, କୁକୁଡ଼ା ମାଂସ ଉତ୍ପାଦନ ହେଉ ନାହିଁ। ନୟାଗଡ଼ ଭଳି ଯେଉଁଠି ଛେଳି ବଜାର ଥିଲା, ତାହା ମଧ୍ୟ ବନ୍ଦ ହେଲାଣି।
ପର ରାଜ୍ୟ ଉପରେ ନିର୍ଭରଶୀଳତା ଓ ଡିଜେଲ ଦରବୃଦ୍ଧି ଯୋଗୁଁ ସିଧା ଗ୍ରାହକ ପକେଟରୁ ଯାଉଛି। ଏଥିସହ କୁକୁଡ଼ା ଦାନା ବୃଦ୍ଧି ଓ ଦାଦାବଟିର ବୋଝ ମଧ୍ୟ ଗ୍ରାହକଙ୍କ ଉପରେ ପଡ଼ୁଛି। ବର୍ତ୍ତମାନ ଯେଉଁଭଳି ସ୍ଥିତି ରହିଛି, ଆଗାମୀ ଦିନରେ ଏହା ଶସ୍ତା ହେବା ଭଳି ଅନୁଭବ ହେଉ ନାହିଁ।
ସୂଚନାନୁଯାୟୀ, ରାଜ୍ୟରେ ମୁଣ୍ଡ ପିଛା ଚିକେନ, ମଟନ ଚାହିଦାର ଯଥାକ୍ରମେ ୫ ଏବଂ ୧୦ ଗ୍ରାମ ପୂରଣ ହୋଇପାରୁଛି। ମାତ୍ର ୪ରୁ ୫ ବର୍ଷ ମଧ୍ୟରେ ରାଜଧାନୀରେ ମଟନ ଦୋକାନ ସଂଖ୍ୟା ୪୭୦ରୁ ୬୦୦ ଏବଂ ଚିକେନ ଦୋକାନ ସଂଖ୍ୟା ୩୦୦ରୁ ୧୫୦୦କୁ ବୃଦ୍ଧି ପାଇଛି। ଏହା ସତ୍ତ୍ବେ ବିଶେଷକରି ରବିବାର, ଶୁକ୍ରବାର, ବୁଧବାର ଦିନ ଉଭୟ ଚିକେନ, ମଟନ ଦୋକାନମାନଙ୍କରେ ଯେଉଁଭଳି ଭିଡ଼ ଲାଗି ରହିଥାଏ, ତାହା କଳ୍ପନାତୀତ। ୟୁନିଟ-୧ ଆମିଷ ବଜାରରେ ବଡ଼ବଡ଼ ହୋଲସେଲର ଦୈନିକ ଟନ୍ ହିସାବରେ ବିକ୍ରି କରନ୍ତି। ୫ବର୍ଷ ପୂର୍ବରୁ ନୟାଗଡ଼ ଛେଳି ବଜାରରୁ ୨୦ଟି ଛେଳି ୪ରୁ ୫ ହଜାର ଟଙ୍କାରେ ଆସୁଥିଲା। ବର୍ତ୍ତମାନ ଏହା ୨୦ହଜାର ଟଙ୍କାକୁ ବଢ଼ିଛି। ସବୁ ଚାହିଦା ସ୍ଥାନୀୟ ଉତ୍ପାଦନ ପୂରଣ କରୁନଥିବାରୁ ଅଧିକାଂଶ ଛେଳି ଛତିଶଗଡ଼, ଜାମସେଦପୁର ଓ ପଶ୍ଚିମବଙ୍ଗରୁ ଆସେ। ଯାହାର ଖର୍ଚ ୫୦ ହଜାର ଟଙ୍କା ଅଟେ। ପିପିଲିରୁ ପୁରୀ, ଏମ୍ସରୁ ଆଇଗିଣିଆ ସମେତ ବିଭିନ୍ନ ସ୍ଥାନରେ କୁକୁଡ଼ା ପାଳନ ତ ହୁଏ। କିନ୍ତୁ ତାହା ଆଖିଦୃଶିଆ ନୁହେଁ। ଆନ୍ଧ୍ରପ୍ରଦେଶରୁ ଅଧିକାଂଶ କୁକୁଡ଼ା ଆସୁଛି।
ଯାହାର ଖର୍ଚ୍ଚ ୩୦ହଜାର ଟଙ୍କା। ବାହାର ରାଜ୍ୟର ବ୍ୟବସାୟୀମାନେ ବ୍ୟବସ୍ଥିତ ଥିବାରୁ ସ୍ଥାନୀୟ ରିଲେଟଲରମାନେ ସେଠାରୁ ସୁବିଧାରେ ଛେଳି, କୁକୁଡ଼ା ପାଇଯାଆନ୍ତି। ରାଜ୍ୟରେ ବ୍ରହ୍ମପୁର, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜରେ କୁକୁଡ଼ା ପାଳନ ହେଲେ ମଧ୍ୟ ସେମାନେ ଏହାକୁ ରାଜଧାନୀ ବଜାରକୁ ପଠାଇ ପାରନ୍ତି ନାହିଁ। ଯେତେ ଦୂର ବାଟରୁ ଏହା ଆସିବ, ଡିଜେଲ, ପେଟ୍ରୋଲ ଦର ବଢ଼ିଲେ, ପରିବହନ ଖର୍ଚ ମଧ୍ୟ ବଢ଼ୁଛି। ବର୍ତ୍ତମାନ ଯେଉଁଭଳି ଦାଦାବଟି ମାଡ଼ ପଡ଼ୁଛି, ଏଥିପ୍ରତି ଧ୍ୟାନ ଦେବାର ବିଶେଷ ଆବଶ୍ୟକତା ରହିଥିବା କହିଛନ୍ତି ପୂର୍ବତନ କର୍ପୋରେଟର ମୁଜାହିଦ ହୁସେନ। କୁକୁଡ଼ା, ମାଛ ଏବଂ ଚିଙ୍ଗୁଡ଼ି ଦାନା ଦର ୬ ମାସ ମଧ୍ୟରେ ଯେଉଁଭଳି ବଢୁଛି, ଆମିଷ ଦର ବଢ଼ିବାରେ ଲାଗିଛି।
ବିଶେଷକରି କୁକୁଡ଼ା ଦାନା ୬ ମାସରେ ୧୬ରୁ ୨୪ଟଙ୍କାକୁ ବୃଦ୍ଧି ପାଇଛି। ବ୍ୟବସାୟୀ ଅଭିଷେକ ଦ୍ବିବେଦୀଙ୍କ ଅନୁସାରେ, ଦେଶରେ ସୋୟା ଉତ୍ପାଦନ ହେଉ ନାହିଁ। ଏହା ସାଧାରଣତଃ ଇସ୍ରାଏଲ ସମେତ ଅନ୍ୟାନ୍ୟ ଦେଶରୁ ଆସୁଛି। ବର୍ତ୍ତମାନ ଏହାର ଆମଦାନି କମିଛି। ତେଣୁ ଦାନାଦର ବଢ଼ିବାର ମାଡ଼ ମଧ୍ୟ ଗ୍ରାହକ ସହୁଛନ୍ତି। ଅନ୍ୟଦିଗରେ ଗ୍ରାହକଙ୍କ ମଧ୍ୟରେ ଆମିଷ ସଉକ ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି। ପୂର୍ବରୁ ଯେତେ ମାଂସ ଖାଉଥିଲେ, ଏବେ ଅଧିକ ଖାଉଛନ୍ତି। ତେଣୁ ଦର ବୃଦ୍ଧି ଯୋଗୁଁ ସପ୍ତାହରେ ୪ ଦିନ ବଦଳରେ ୧ ଦିନ ଖାଇ ସନ୍ତୁଷ୍ଟ ହେବାକୁ ପଡ଼ୁଥିବା କହିଛନ୍ତି କିଛି ଗ୍ରାହକ। ଆଉ କିଛି ବ୍ୟକ୍ତି କେବଳ ମାସକୁ ଥରେ ଖାଉଛନ୍ତି। ଚିକେନ, ମଟନ ଦର ବୃଦ୍ଧି ଯୋଗୁଁ ଚିକେନ ପକୋଡ଼ା, ମଟନ ପକୋଡ଼ା ଦର ବଢ଼ାଇବାକୁ ବାଧ୍ୟ ହୋଇଥିବା କହିଛନ୍ତି ଖାଓଗଳି ବ୍ୟବସାୟୀ ସଂଘ ସଭାପତି ଅମ୍ବୁଜ ବିଶୋଇ। ବଜାର ଚାହିଦା ଦୃଷ୍ଟିରୁ କୁକୁଡ଼ା ଏବଂ ଛେଳି ପାଳନ ପ୍ରତି ସରକାର ଦୃଷ୍ଟି ଦେଲେ ଉଭୟ ଚାଷୀ ଏବଂ ଗ୍ରାହକଙ୍କୁ ସୁହାଇବ।